ଧନୁଯାତ୍ରା ମହୋତ୍ସବରେ ୪୭ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ୧୩ତମ ବିରାଟ ଧନୁଯାତ୍ରା ମହୋତ୍ସବ -୨୦୨୩ ଲେଲେହରଠାରେ ଧନୁଯାତ୍ରା ମହୋତ୍ସବ କମିଟି ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଫିତା କାଟି ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଆମ୍ବଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଲଖନପୁର ସରପଞ୍ଚ ସତ୍ୟ ଭୂଷଣ ସାହୁ ଯୋଗ ଦେଇଥିଲେ । ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ଏହି ଶିବିରରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଶିବିରରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଧନୁଯାତ୍ରା କମିଟିର ସଭାପତି ତଥା ସ୍ଥାନୀୟ ସରପଞ୍ଚ ହିରାଧର ସାହୁ, କମିଟିର କର୍ମକର୍ତ୍ତା, ଗ୍ରାମବାସୀ ଓ ନିଷ୍ଠା ପରିବାରର ଉପସଭାପତି ଆଶିଷ କର, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ, ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିରର ସୁପରିଚାଳନା କରିବା ସହ ଶିବିରକୁ ସଫଳ କରିଥିଲେ । ଧନୁଯାତ୍ରା ଅବସରରେ ରକ୍ତଦାନ ଶିବିର ଆୟୋଜନ କରିଥିବା ପାଇଁ ମହାରାଜ କଂସ ଓ ରାଜ ଅତିଥଙ୍କ ଉପସ୍ଥିତିରେ କଂସ ଦରବାରରେ ଧନୁଯାତ୍ରା କମିଟିକୁ ଆମ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କମିଟି ତରଫରୁ ଆମ ନିଷ୍ଠା ପରିବାରକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ରକ୍ତଦାତା, ଶୁଭେଚ୍ଛୁ, ସହଯୋଗୀ, କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.