କୋଇଲା ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତୃମଣ୍ଡଳୀ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସଂସଦ ଭବନଠାରେ ତାଳଚେର ଏମ୍‌ସିଏଲ୍‌ କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି । ବିଜେପି ରାଜ୍ୟ ସମ୍ପାଦକ ତଥା ତାଳଚେର ବିଧାନସଭା ନେତା କାଳିନ୍ଦୀ ସାମଲଙ୍କ ପରାମର୍ଶ କ୍ରମେ ବିଜେପି ରେଳ ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ, ପୂର୍ବତନ ସରପଞ୍ଚ ବିରଞ୍ଚି ସାହୁ ଓ କ୍ଷତିଗ୍ରସ୍ତ ଗ୍ରାମର ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏମ୍‌ସିଏଲ୍‌ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାକୁ ନେଇ ଏହି ପ୍ରତିନିଧି ମଣ୍ଡଳୀର ଉପସ୍ଥିତିରେ କେନ୍ଦ୍ର କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କଣିହାଁ ବ୍ଲକ ସାନ ତ୍ରିବିଡ଼ା ପଞ୍ଚାୟତର ବଡହାର ଓ ତାଳଚେର ବ୍ଲକ ଗୋପାଳ ପ୍ରସାଦ ପଞ୍ଚାୟତର ବାଘବାସପୁରକୁ ୪ (୧) କରିବା କୁମୁଣ୍ଡାକୁ ୭( ୧) କରିବା ସହିତ ଗୋପାଳ ପ୍ରସାଦ ତୃତୀୟ ଫେଜର ପେମେଣ୍ଟ କରିବା ଉପରେ ବିସ୍ତୃତ ଭାବେ କ୍ଷତଗ୍ରସ୍ତ ପ୍ରଜାମାନଙ୍କ ସହିତ ଆଲୋଚନା ହୋଇଥିଲା । ଆସନ୍ତା ୧୫ ତାରିଖରେ ଏମ୍‌ସିଏଲ୍‌ର ସିଏମ୍‌ଡିକୁ ନୂଆଦିଲ୍ଲୀ ସଂସଦ ଭବନଙ୍କୁ ଡକାଯାଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପାଇଁ ଆଜି ବଡହାର ବାଘବାସପୁର ୪(୧) ଓ କୁମୁଣ୍ଡା ୭(୧) ହେବାକୁ ଯାଉଛି ବୋଲି କ୍ଷତିଗ୍ରସ୍ତ ପ୍ରଜାମାନେ ପ୍ରକାଶ କରିଛନ୍ତି । ଏ ଖବର ଜଣାପଡିବା ପରେ ସମ୍ପୃକ୍ତ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.