ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥ ପ୍ରକଳ୍ପ : ହୃଦୟ ଖୋଲା ବଜେଟ ଘୋଷଣା ହେଲେ ଖର୍ଚ୍ଚ ବେଳକୁ କୁନ୍ଥୁ କୁନ୍ଥୁ, ଗତ ଦଶନ୍ଧିରେ ବଜେଟ ଘୋଷଣାର ଅଧା ଅର୍ଥ ବି ଖର୍ଚ୍ଚ କରାଯାଇ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ଆର୍ଥିକ ବର୍ଷ ତଥା ୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ଓ ୨୧-୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । କେନ୍ଦ୍ର ସରକାର ହାତ ଖୋଲି ଏହି ଅବହେଳିତ ପ୍ରକଳ୍ପ ପାଇଁ ପ୍ରଚୁର ଟଙ୍କା ବଜେଟ ବ୍ୟୟରେ ଘୋଷଣା କରୁଥିବା ବେଳେ ଖର୍ଚ୍ଚ କିନ୍ତୁ କୃପଣ ଭଳି କରୁଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ବଜେଟ ବ୍ୟୟ ଘୋଷଣା ପରେ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥକୁ ସଂଯୋଗ କରୁଥିବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଯେତିକି ଆନନ୍ଦ ପ୍ରକାଶ ପାଉଛି ରେଳପଥ ନିର୍ମାଣ ପାଇଁ କରାଯାଉଥିବା ବାର୍ଷିକ ଖର୍ଚ୍ଚର ପରିମାଣକୁ ଦେଖିଲେ ସେତିକି ନିରାଶାଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପ୍ରତ୍ୟେକ ବର୍ଷର ବଜେଟ ଘୋଷଣା ସହ କରାଯାଉଥିବା ବାର୍ଷିକ ଖର୍ଚ୍ଚକୁ ତୁଳନା କଲେ ସରକାର ଅଭ୍ୟାସଗତ ଭାବେ ପ୍ରତିବର୍ଷ ଏଭଳି କୁନ୍ଥୁ କୁନ୍ଥୁ ହୋଇ ଖର୍ଚ୍ଚ କରୁଥବା ଜଣାପଡିଛି । ବଜେଟରେ ଘୋଷଣା କରାଯାଉଥିବା ଅର୍ଥକୁ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି ବିଷୟରେ ଅଜ୍ଞ ରହି ଅନ୍ଧ ଭାବରେ କେବଳ ବ୍ୟୟ ଘୋଷଣା କରିବା ଦ୍ୱାରା ଏଭଳି ସ୍ଥିତି ଉପୁଜିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରାଜନୈତିକ ଅଭିସନ୍ଧିମୂଳକ ଶସ୍ତା ଜନପ୍ରିୟତା ପାଇଁ ଦେଶର ବଜେଟ ବ୍ୟୟ ଅଟକଳ ଘୋଷଣା କରାଯାଉଥିବା କଥା ଖୋର୍ଦ୍ଧା ରୋଡ-ବଲାଙ୍ଗିର ପାଇଁ ଘୋଷିତ ବଜେଟ ଅର୍ଥ ଓ ଖର୍ଚ୍ଚର ପରିମାଣକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ପୂର୍ବତଟ ରେଳ କାର୍ଯ୍ୟଳେୟରୁ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ଗତ ବର୍ଷ ତଥା ୨୨-୨୩ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ବଜେଟ ବ୍ୟୟ ଥିଲା ୮୯୧ କୋଟି ୧୧ ଲକ୍ଷ ଟଙ୍କା କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୨୮୭ କୋଟି ୩୬ ଲକ୍ଷ ଟଙ୍କା ଯାହାକି ଘୋଷିତ ଅର୍ଥର ମାତ୍ର ୩୨ ପ୍ରତିଶତ ଅଟେ । ଠିକ ସେହିପରି ୨୧-୨୨ ଆର୍ଥିକ ବର୍ଷ ବଜେଟରେ ଘୋଷଣା କରାଯାଇଥିବା ୧୦୦୦ କୋଟି ୫୦ ଲକ୍ଷ ଟଙ୍କାରୁ ଖର୍ଚ୍ଚ କରାଯାଇଛି ମାତ୍ର ୩୭୧ କୋଟି ୮୪ ଲକ୍ଷ ଟଙ୍କା ଯାହାକି ଘୋଷିତ ମୂଲ୍ୟର ମାତ୍ର ୩୫ ପ୍ରତିଶତ ଅଟେ । ଠିକ ସେହିପରି ବିଗତ ୧୨ ବର୍ଷର ବଜେଟ ଘୋଷଣା ଓ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଛି ଯେ, ବିଗତ ଦଶନ୍ଧିର ବଜେଟରେ ଘୋଷଣା କରାଯାଇଥିବା ଅର୍ଥରାଶିର ଅର୍ଦ୍ଧେକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ । ବିଗତ ବଜେଟମାନଙ୍କରେ ଘୋଷଣା କରିଛନ୍ତି ଯେତିକି ତାଠୁ ଫେରିଛି ଅଧିକ । ପ୍ରତ୍ୟେକ ବର୍ଷ ବାରମ୍ବାର ମନଲୋଭା ବଜେଟ ଦିଆଯାଉଛି ସତ କିନ୍ତୁ ଘୋଷିତ ଅର୍ଥର ଅଧାରୁ ଅଧିକ ଫେରି ଯାଉଛି । ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି କରା ଯାଉଥିବା ଅଭିଯୋଗ ଆଣିଛନ୍ତି ହେମନ୍ତ । ଏଭଳି ଆକର୍ଷଣୀୟ ବଜେଟ ଘୋଷଣା ପଛରେ ଶସ୍ତା ଜନପ୍ରିୟତା ପାଇଁ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ ଆଣିବା ସହ ଏହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ବିପଦଜନକ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ଗତ ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୧୨ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ ବଲାଙ୍ଗିର ପ୍ରକଳ୍ପ ପାଇଁ ୪୬୯୨ କୋଟି ଟଙ୍କା ବଜେଟ ଘୋଷଣା କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୦୦୩ କୋଟି ୨୬ ଲକ୍ଷ ଟଙ୍କା ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଘୋଷଣା କରାଯାଇଥିବା ବିପୁଳ ଅର୍ଥରାଶି ପରିମାଣର ଅଧା ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ । ପ୍ରକଳ୍ପ କେବେ ସରିବ ଏହାର ସମୟ ସୀମା ବର୍ତ୍ତମାନ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିବା ଜଣାପଡିଛି । ଏହି ପ୍ରକଳ୍ପ ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଥମେ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ୨୨ ବର୍ଷ ପରେ ମଧ୍ୟ ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା କରାଯାଇ ପାରି ନାହିଁ । ଜଙ୍ଗଲ ପରିବେଶ ଷ୍ଟେଜ ୧ ଅନୁମତି ପରେ ସାଢେ ତିନି ବର୍ଷ ସମୟ ସୀମା ୧୧୨ କିମିରୁ ୧୮୦ କିମି ପାଇଁ ସ୍ଥିର କରାଯାଇଥିବା ଜଣାପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.