ବେଆଇନ ଇଟାଭାଟି ଉପରେ ଚଢ଼ାଉ କଲା ପ୍ରଶାସନ : ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟି ଧୂଳିସାତ୍‌

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡାହାଡ ଗାଁ ସମ୍ମୁଖରେ ବେଆଇନ ଇଟାଭାଟି ଚାଲିଥିବା ବେଳେ ଗତ ବୁଧବାର ଦିନ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟିକୁ ନଷ୍ଟ କରି ଧୂଳିସାତ୍‌ କରାଯାଇଛି । ସୂଚନା ଅନୁସାରେ ଏହି ଇଟାଭାଟି ପ୍ରାୟ ତିନି ବର୍ଷ ହେବ ଏଭଳି ବେଆଇନ ଭାବେ ଚାଳିଥିବା ବେଳେ ଇଟାଭାଟିରେ ବ୍ୟବହାର ହେଉଥିବା ମାଟି, କାଠ, ବାଲି, କୋଇଲା ଆଦି ସାମଗ୍ରୀର ରାଜସ୍ୱ ପଇଠ ହୋଇନଥିବା ବେଳେ ମାଟି ଇଟା ଗଢିବା ପାଇଁ ନିୟମ ନଥିବା ଦର୍ଶାଯାଇ ଭଙ୍ଗା ଯାଇଛି ଇଟାଭାଟି । ଏହି ଚଢାଉ ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, କଣ୍ଟାବାଞ୍ଜି ତହସିଲ୍‌ଦାର ଅମୃତଲାଲ୍ ବେହେରା, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ, କଣ୍ଟାବାଞ୍ଜି ପୋଲିସ୍ ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଥାନାଧିକାରୀ ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ତହସିଲଦାର କହିଛନ୍ତି ଯେ, ଏହି ଇଟାଭାଟି ବେନିୟମ ଭାବେ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ ବୁଧବାର ଚଢାଉ କରାଯାଇ ଇଟାଭାଟି ନଷ୍ଟ କରାଯାଉଛି । ଏହି ଅଞ୍ଚଳରେ ଥିବା ଅନ୍ୟ ବେଆଇନ ଇଟାଭାଟିକୁ ମଧ୍ୟ ଆଗାମୀ ଦିନରେ ନଷ୍ଟ କରାଯିବ ବୋଲି ସେ କହିଛନ୍ତି । ଇଟାଭାଟିରେ ରହିଥିବା କାଠ ଗଣ୍ଡି ସବୁ ଉପରେ ବନବିଭାଗର ଦୃଷ୍ଟି କେମିତି ପଡ଼ିଲା ନାହିିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.