ଘାଟିରେ ଟ୍ରକ୍‌ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୃତ୍ତ ବୁଧବାର ସନ୍ଧ୍ୟାରେ ୫୯ନଂ. ଜାତୀୟ ରାଜପଥରେ କାଠଗଣ୍ଡି ପକାଇ ଏକ ଟ୍ରକ୍‌କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ସମୟରେ କୌଣସି ଯାତ୍ରୀବାହୀ ବସ୍‌ ନ ଆସିବାରୁ ଏକ ଟ୍ରକ୍‌ରେ ସ୍କୁଲରୁ ଫେରୁଥିବା ବେଳେ ପରମପାଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଶିକ୍ଷକଙ୍କ ଠାରୁ ୧୪ ହଜାର ୯୮୦ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଏବଂ ଡ୍ରାଇଭର ଶ୍ରୀଧର ମହାପାତ୍ରଙ୍କୁ ମଧ୍ୟ ମାଡ଼ ମାରି ୧୧ ହଜାର ୮୦୦ଟଙ୍କା ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି । ଶିକ୍ଷକ ଜଣକ ଅଚେତ ଅବସ୍ଥାରେ କିଛି ସମୟ ରହିଥିବା ବେଳେ କିଛି ଲୋକ ଉଦ୍ଧାର କରିଥିଲେ । ଏହା ପରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଥିରେ ସ୍ଥାନୀୟ କିଛି ଯୁବକ ସଂପୃକ୍ତ ରହିଥିବା ଅନୁମାନ କରାଯାଉଛି । ଏ ନେଇ ଶିକ୍ଷକ ଓ ଡ୍ରାଇଭର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଟ୍ରକ୍‌ଟି ଇଟା ନିର୍ମାଣ ପାଇଁ ପାଉଁଶ ଗୁଣ୍ଡ ଧରି ଲାଞ୍ଜିଗଡ ଠାରୁ ଜି.ଉଦୟଗିରି ଆସୁଥିବା ବେଳେ ଏହି ଘଟଣା ଘଟିଛି । ଉକ୍ତ ଟ୍ରକ୍‌ଟି ଭଞ୍ଜନଗର ନିକଟସ୍ଥ କ୍ଷତ୍ରିୟ ବରପୁର ବଡ଼ କୋଦଣ୍ଡା ଗ୍ରାମର ସନ୍ତୋଷ କୁମାର ଲେଙ୍କାଙ୍କ ଟ୍ରକ୍‌ ବୋଲି ଜଣାପଡିଛି ।

Leave A Reply

Your email address will not be published.