ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାଠାରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗତକାଲି ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ଉମାରାଣୀ ପୁରୋହିତ ଓ ରାଜେନ୍ଦ୍ର ପୁରୋହିତ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରର ରତ୍ନମୁଦ ପାଇଁ ସୁନା, ରୂପା ସହ ବିଭିନ୍ନ ଧାତୁ ଓ ଧାନ ଭର୍ତ୍ତି କରି ମନ୍ଦିରର ଚୂଡା ପୂର୍ଣ୍ଣ କରିଥିଲେ । ସୁଦପଡ଼ା ସମେତ ବିଭିନ୍ନ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ, ଭକ୍ତଙ୍କ ଦ୍ୱାରା ରତ୍ନମୁଦ ପାଇଁ ଧାନ ଓ ଧାତୁ ତଥା ମୁଦ୍ରା ପ୍ରଦାନ କରାଯାଇଥିଲା । ପୂଜକ ସୁଶୀଲ କୁମାର ମିଶ୍ର ଓ ସହଯୋଗୀ ପୂଜାର୍ଚ୍ଚନା ସଂପନ୍ନ କରିଥିଲେ । ପରେ ପରେ ବନ୍ଦିତା ନାୟକଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିଲା । ସଂଧ୍ୟାରେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଦିବସର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୁର୍ଗା ଚରଣ ବେହେରା, ସତ୍ୟାନନ୍ଦ ଜେନା, ରାଜେଶ ଦୋରା, ସୁବଲ ଖରସେଲ, ସୂର୍ଯ୍ୟ ସାହୁ, ବିଦ୍ୟା ସାହୁ, ବାବୁ ପଧାନ, ନୀଲ ଦୌରା, କିଶୋର କୁମ୍ଭାର ଓ ତାଙ୍କ ସହଯୋଗୀମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.