ଦନ୍ତା ହାତୀ ଆକ୍ରମଣରେ ୨ ମୃତ

ପରଜଙ୍ଗ : ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ଶନିବାର ଏକ ଅଘଟଣ ଘଟିଛି । ପୃଥକ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଏବଂ ପରଜଙ୍ଗ ଗ୍ରାମର ବାରି ନାୟକ । ମିଳିଥିବା ସୂଚନା ମୁତାବକ, ଅଲେଖ ଘର ପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ସେତିକି ବେଳେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ପରଜଙ୍ଗ ଗଣ୍ଡତଇଲାରେ ଥିବା ଏକ ଫାର୍ମ ହାଉସ ପଛପଟ ପଡ଼ିଆକୁ ବାରି ଶୌଚ ପାଇଁ ଯାଇଥିଲେ । ତାଙ୍କୁ ମଧ୍ୟ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିପଥ ଅନୁଧ୍ୟାନ କରୁଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

Leave A Reply

Your email address will not be published.