ଦୁଇ ଅସାଧୁ କପା ବ୍ୟବସାୟୀ ଜେଲ ଗଲେ, ନିଜ ପାଉଣା ଫେରସ୍ତ ପାଇଲେ ଚାଷୀ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ କପସିପାଲି ଗ୍ରାମର ଦୁଇଜଣ ବ୍ୟବସାୟୀ କପା କିଣୁଥିବା ବେଳେ ଚଞ୍ଚକତା କରି ଚାଷୀଙ୍କୁ ଠକୁଥିବା ନେଇ ଅଭିଯୋଗରେ ଖପ୍ରାଖୋଲ ପୋଲିସ ଦୁଇ ଅସାଧୁ କପା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି । ଅଭିଯୁକ୍ତ ଦୁଇଜଣ ହେଲେ କପସିପାଲି ଗ୍ରାମର ଗୋବିନ୍ଦ ସାହୁ(୪୨) ଏବଂ କଂଟାବାଞ୍ଜିର ଅକ୍ଷୟ ମେହେର(୫୨) । ସୂଚନାଯୋଗ୍ୟ ଯେ, ଗତ ଦୁଇଦିନ ପୂର୍ବେ କପସିପାଲି ଗ୍ରାମର ଗୋବିନ୍ଦ ସାହୁଙ୍କ ଘରକୁ କପସିପାଲି ଏବଂ ଆଖପାଖ ଅଂଚଳର କେତେକ ଚାଷୀ କପା ବିକ୍ରି କରିବାକୁ ଆସିଥିବା ବେଳେ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । କପା ଓଜନ ସମୟରେ କମ୍ପ୍ୟୁଟର ଓଜନ ମେସିନରେ ଓଜନ କରୁଥିବା ବେଳେ ଏକ ଡାଏରୀରେ ଗୁପ୍ତ ଭାବେ ରିମୋର୍ଟ ଲଗାଇ ଓଜନ ପରିମାଣକୁ କମ୍‌ କରୁଥିବା ନେଇ ଚାଷୀମାନେ ଜାଣିବାକୁ ପାଇଥିଲେ । ୫୦ କେଜି କପାରେ ୧୦ କେଜି କପା ଚଞ୍ଚକତା କରି ଚାଷୀଙ୍କଠାରୁ ଏହି ବ୍ୟବସାୟୀ ଦୁଇଜଣ ଲୁଟ୍‌ କରୁଥିଲେ । ଏହି ବ୍ୟବସାୟରେ ମହାରାଷ୍ଟ୍ରର ଜଣେ ବ୍ୟବସାୟୀ ସମୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଲୁଟର ଶିକାର ହୋଇଥିବା ଚାଷୀମାନେ ଖପ୍ରାଖୋଲ ପୋଲିସକୁ ଜଣାଇଥିଲେ । ଖପ୍ରାଖୋଲ ପୋଲିସ ଗୋବିନ୍ଦ ସାହୁ ଏବଂ ଅକ୍ଷୟ ମେହେରଙ୍କୁ ଗତ ମଙ୍ଗଳବାର ଥାନାକୁ ଧରିଆଣି ଅଟକ ରହିବା ସହିତ ପଚରାଉଚରା କରିଥିଲେ । ଏ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନିର୍ଦ୍ଦେଶରେ ୪୨୦,୨୬୪ ଏବଂ ୩୪ଦଫାରେ ମକଦ୍ଦମା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ ଆଇ ଗୋପିନାଥ ମହାକୁଡଙ୍କଠାରୁ ଜାଣିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଥିବା ନେଇ ଜାଣିବା ପରେ ଲୁଟ୍‌ର ଶିକାର ହୋଇଥିବା ଚାଷୀମାନେ ଥାନାରେ ଆସି ଭିଡ ଜମାଇଥିଲେ । ଏହି ଚାଷୀମାନେ ତାଙ୍କୁ ସେମାନଙ୍କ ଟଙ୍କା ଫେରାଇବାକୁ ଦାବୀ କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ଅଭିଯୁକ୍ତ ଗୋବିନ୍ଦ ସାହୁ ପରିବାର ପକ୍ଷରୁ ୧୧ ଜଣ ଚାଷୀଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିଲା ।

Leave A Reply

Your email address will not be published.