ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍ ସମସ୍ୟାଜନିତ ଆନ୍ତର୍ଜାତୀୟ କର୍ମଶାଳା

• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୋଗଦେଇ ବହୁ ବୈଜ୍ଞାନିକ ଓ ଗବେଷକଙ୍କ ମାନସଚିନ୍ତନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ ଭାରତ-ଇଂଲଣ୍ଡର ମିଳିତ କାର୍ଯ୍ୟକ୍ରମରେ ‘ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍‌’ ଶୀର୍ଷକ ଏକ ଦିବସୀୟ ଆନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କହିଲେ ଯେ, ପ୍ଲାଷ୍ଟିକ୍‌ର ଦୁରୁପଯୋଗ ଫଳରେ ଜନବସତି ସହିତ ସମୁଦ୍ରତଟ, ସମୁଦ୍ର ଉପକୂଳ ଏବଂ ସାମୁଦ୍ରିକ ଜୀବଙ୍କ ଉପରେ ଏହାର କୁପ୍ରଭାବ ପଡିବା ସହିତ ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତଙ୍କର ସହଯୋଗର ଏକାନ୍ତ ଆବଶ୍ୟକତା ରହିଛି ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଚେନ୍ନାଇ ସ୍ଥିତ ରାଷ୍ଟ୍ରୀୟ ତଟୀୟ ଅନୁସନ୍ଧାନ କେନ୍ଦ୍ରର ବୈଜ୍ଞାନିକ ଡ. ପ୍ରଭାକର ମିଶ୍ର ଭାରତୀୟ ସମୁଦ୍ରତଟକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ପ୍ରଦୂଷଣ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ବିଶିଷ୍ଟ ସାମୁଦ୍ରିକ ବିଜ୍ଞାନୀ ପ୍ରଫେସର ପ୍ରତାପ କୁମାର ମହାନ୍ତି ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ସେ କର୍ମଶାଳାର ଆବଶ୍ୟକତା ସମ୍ପର୍କରେ ପ୍ରାରମ୍ଭରେ ସୂଚନା ପ୍ରଦାନ କରିବା ସହିତ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଇଂଲଣ୍ଡର ପରିବେଶ ମତ୍ସ୍ୟ ଓ ଜଳଚର ବିଜ୍ଞାନ କେନ୍ଦ୍ର (ସେଫାସ୍‌)ର ବରିଷ୍ଠ ବୈଜ୍ଞାନିକ ଡାଭିଡ୍ ସିଭୟର ଏବଂ ଡ଼. ଡାନିଆ ହୋଏନ୍ ଆଦାମ୍‌ସ ଦେଶ ବିଦେଶରେ ସମ୍ପ୍ରତି ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ନିଆଯାଉଥିବା ଆନ୍ତର୍ଜାତୀୟ ସରକାରୀ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ସୂଚନା ଦେଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନେ ସମ୍ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କର୍ମଶାଳାର ବୈଷୟିକ ଅଧିବେଶନରେ ‘ଭାରତ-ଇଂଲଣ୍ଡ ମିଳିତ ସହଯୋଗରେ ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ’, ‘ସମୁଦ୍ରତଟର ସ୍ୱଚ୍ଛତା ଓ ତହିଁରେ ଜନସମୁୁଦାୟର ଭୂମିକା’, ‘ଭାରତୀୟ ରିମୋର୍ଟ ସେନସିଂ ଉପଗ୍ରହ(ପି-୪) ଓସିଏନ୍ କଲର ମୋନିଟୋରିଂ ସେନ୍‌ସର ଆପ୍ଲିକେସନ୍ସ’ ଏବଂ ‘ବାଇଓଜିଓକେମିକାଲ ଚକ୍ରରେ ସାମୁଦ୍ରିକ ଜଳ ଉଦ୍ଭିଦର ଗୁରୁତ୍ୱ ଏବଂ ଭୂମିକା’ ବିଷିୟ ଭିତ୍ତିରେ ଡ. ଡାନିଆ ହୋଏନ୍ ଆଦାମ୍‌ସ, ଡ. ପ୍ରଭାକର ମିଶ୍ର, ପ୍ରଫେସର ଆର୍‌. ନାଗଲକ୍ଷ୍‌ମୀ(ଏସ୍‌ଆର୍‌ଏମ୍ ବିଶ୍ୱବିଦ୍ୟାଳୟ, ଚେନ୍ନାଇ) ଓ ଡ. ମେହମୁମା ବେଗମ୍‌(ଏସ୍‌ଆର୍‌ଏମ୍ ବିଶ୍ୱବିଦ୍ୟାଳୟ, ଚେନ୍ନାଇ) ସ୍ୱତନ୍ତ୍ର ବକ୍ତାଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପ୍ରାରମ୍ଭରେ ପରିବେଶକୁ ପ୍ଲାଷ୍ଟିକ୍ ଓ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ଫୁଲକୁଣ୍ଡରେ ଜଳଦାନ କରାଯାଇଥିଲା । ବିଭାଗର ସହଯୋଗୀ ପ୍ରଫେସର ତମୋଘ୍ନ ଆଚାର୍ଯ୍ୟ ଅତିଥି ପରିଚୟ, ସହକାରୀ ପ୍ରଫେସର ଡ. ଶେଷଦେବ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହକାରୀ ଅଧ୍ୟାପକ ଡ. ଶୁଚିସ୍ମିତା ଶ୍ରୀଚନ୍ଦନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସଭାରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଭାଗର ଅଧ୍ୟାପକ ଡ. ଦୁଷ୍ମନ୍ତ ମହାରଣା, ଅଧ୍ୟାପକ ଡ. ଶକ୍ତିଧର ନାହାକ, ଗବେଷକ ଡ. ଅସୀମ ଅମିତାଭ ପଟ୍ଟନାୟକ, ଡ. ପ୍ରବୀଣ କୁମାର କର, ବାଲାଜି ବେହେରା, ରାକେଶ କୁମାର ବରାଳ, ଲୋଚନ ପାତ୍ର, ଶୁଭଜିତ୍ ବାରିକ୍‌, ପୂଜା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ବହୁ ଶିକ୍ଷକ, ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.