ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ହେଲା ପଞ୍ଚାୟତ ଗୃହ ଜମି ବିବାଦ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଡିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ପଞ୍ଚାୟତ ଗୃହ ଜମି ବିବାଦ । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଗୃହ ୫୦ ବର୍ଷ ପୁରୁଣା ହୋଇଥିବା ଯୋଗୁଁ ଉକ୍ତ ଗୃହକୁ ବ୍ଲକ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ପଞ୍ଚାୟତ ଜମିକୁ ଗ୍ରାମର ବାସିନ୍ଦା ପ୍ରଶାନ୍ତ ଖମାରୀ ପୈତୃକ ଜମି ଦର୍ଶାଇ ଆଇନର ସହାୟତା ନେଇ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ । ଫଳରେ ଗତ ତିନି ମାସ ହେବ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ବିଡିଓ ଶରତ କୁମାର ପାତ୍ର, ତହସିଲଦାର ଏବଂ ଆର.ଆଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଉକ୍ତ ଜମି ତହସିଲଦାର ମୌଜା ଅଧିନରେ ଥିବା ଜାଣି ପାରିଥିଲେ । ଏହା ପରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରି ଜମି ବିବାଦକୁ ସମାଧାନ କରିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଗୁଡିକ ଭିତ୍ତିହୀନ ଦର୍ଶାଇ ତୁରନ୍ତ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁଡୁତୁଲି ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ ଓ ଗ୍ରାମବାସୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.