ମେଗାଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବୀରେ ତହସିଲଦାରଙ୍କୁ ଭେଟିଲେ ଲଡୁଗାଁ ପଞ୍ଚାୟତର ଚାଷୀ

କୋକସରା : କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା କୋକସରା ଓ ଧର୍ମଗଡ଼ର ୨୫ ହଜାର ହେକ୍ଟରରୁ ଉର୍ଦ୍ଧ ଚାଷଜମିକୁ ଜଳସେଚନ ଆରମ୍ଭ ହୋଇଥିଲା । ରବି ଋତୁ ଧାନଚାଷ ପାଇଁ ଡିଏମ୍‌ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା ବ୍ଲକର ପାଖାପାଖି ୧୩ ହଜାର ହେକ୍ଟର ଚାଷଜମିକୁ ଜଳସେଚନ କରାଯିବା ନେଇ କୁସୁମଖୁଣ୍ଟି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ସୂତ୍ରରୁ ସୂଚନା ମିଲିଛି । ତେବେ ଲଡୁଗାଁ ପଞ୍ଚାୟତ ଦେଇ ଯାଇଥିବା ମେଗାଲିଫ୍ଟ କେନାଲ ଡିଏମ୍‌ ୧୧ର ଅନେକ ହେକ୍ଟର ଚାଷଜମି ଜଳସେଚନ ପରିଚାଳନାରେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଜଳସେଚନ ହେଉନଥିବା ଓ ମରାମତି ଦାବୀ କରି ଶନିବାର ଲଡୁଗାଁ ଅଞ୍ଚଳର ଅନେକ ଚାଷୀ ସମାଜସେବୀ ତଥା ଚାଷୀ ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ୱରେ କୃଷକ ମଞ୍ଚ ସଭାପତି ପଙ୍କଜ ମୁଖ ଚୌଧୁରୀ, ରଜନୀକାନ୍ତ ଚୌଧୁରୀ, ମୁକ୍ତେଶ୍ଵର ପଟ୍ଟନାୟକ, ରବି ନାରାୟଣ ଦାସ, କିଶୋର ଦାସ ଓ ଅନ୍ୟ ଚାଷୀମାନେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ସାକ୍ଷାତକରି ତହସିଲଦାରଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ତହସିଲଦାର ଏନେଇ ମେଗାଲିଫ୍ଟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ମରାମତି କରି ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି । ଅନ୍ୟପଟେ ଲଡୁଗାଁର ଚାଷୀମାନେ ଶନିବାର ଅପରାହ୍ନରେ ଲଡୁଗାଁ ଧାନ ମଣ୍ଡିରେ ଏକ ବୈଠକର ଆୟୋଜନ କରି ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି । ନଚେତ ଆଗକୁ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.