ଆଗାମୀ ନିର୍ବାଚନ ପାଇଁ ବିଜେଡି ଆରମ୍ଭ କଲା ମିଶନ ୨୦୨୪

  • ହରିଶଙ୍କର ଠାରେ ସଭା ଅନୁଷ୍ଠିତ
  • ଦଳୀୟ କର୍ମୀଙ୍କୁ ଏକଜୁଟ ହେବା ପାଇଁ ଦେଲେ ଆହ୍ୱାନ

ଖପ୍ରାଖୋଲ, (ଅଶୋକ ବାଗ) : ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବିଗୁଳ ଫୁଙ୍କିଛନ୍ତି । ଏହି ଅବସରରେ ଏକ ବିଶାଳ କର୍ମୀ ସମ୍ମିଳନୀ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ, ବେଲପଡା ଏବଂ ଖପ୍ରାଖୋଲ ତିନି ବ୍ଲକ ସହିତ ପାଟଣାଗଡ ଏନ୍‌ଏସିର ବିଜେଡିର ଦଳୀୟ କର୍ମକର୍ତ୍ତାଙ୍କ ସହିତ ଦଳୀୟ କର୍ମୀ ଯୋଗଦେଇଥିଲେ । ବିଧାୟକ ସରୋଜ ମେହେର ନୂତନ ବର୍ଷର କର୍ମୀମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଖପ୍ରାଖୋଲ ବ୍ଲକ ବିଜେଡି ସଭାପତି ତଥା ବିଧାୟକ ପ୍ରତିନିଧି ରମେଶ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସରୋଜ ମେହେର ହିଂସା, ଅହଙ୍କାର ଛାଡି ଦଳ ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ସହିତ ହାତ ମିଶାଇ ଚଳିବାକୁ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ସମ୍ମାନ ଦେବା, ଭଲ ପାଇବା ସହିତ ଲୋକଙ୍କ ସାଙ୍ଗରେ ରହିବାକୁ କର୍ମୀମାନଙ୍କୁ ପରାମର୍ଶ ଦେବା ସହିତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ୱାର୍ଡରୁ ୧୦ ଜଣ ଲେଖାଏଁ ସକ୍ରୀୟ କର୍ମୀ ସଂଗ୍ରହ କରାଯିବ ବୋଲି ସୂଚନା ଦେବା ସହିତ ଆସନ୍ତା ଜାନୁୟାରୀ ମାସରେ ସମ୍ପୃକ୍ତ କର୍ମୀମାନଙ୍କୁ ନେଇ ସମାବେଶ କରାଯିବ ବୋଲି ସମ୍ମିଳନୀରେ କହିଥିଲେ । ୨୦୧୪ ନିର୍ବାଚନରେ ପାଟଣାଗଡରେ ବିଜେଡି ୧୯ ହଜାର ଭୋଟ କମ ପାଇଥିବା ବେଳେ ୨୦୧୯ରେ ବିଜେଡି ୧୧ ହଜାରରୁ ଅଧିକ ଭୋଟ କର୍ମୀମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମତେ ମିଳିଥିଲା ବୋଲି କହିବା ସହିତ ଆପଣମାନଙ୍କ ପାଇଁ ମତେ ପଦବୀ ମିଳିଛି ବୋଲି କହି କର୍ମୀମାନଙ୍କୁ ଶ୍ରେୟ ଦେଇଥିଲେ । ନବୀନ ସରକାର ଅମଳରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ବୋଲି ସେ କହିବା ସହିତ ପାଟଣାଗଡରୁ ଭାୟା ଖପ୍ରାଖୋଲ ହରିଶଙ୍କରକୁ ରାସ୍ତା, ଜୁରିଆରୁ ପାଟଣାଗଡ ଏବଂ ଧଣ୍ଡାମୁଣ୍ଡାରୁ ହରିଶଙ୍କର ଛକ ରାସ୍ତା ନିର୍ମାଣ ପାଇଁ ୧୨୪ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବା ବେଳେ ଟେଣ୍ଡର କାର୍ଯ୍ୟ ସରିଯାଇଛି ବୋଲି କହିଥିଲେ । ଆଉ ଯାହା କାମ ବାକି ରହିଛି ଆସନ୍ତା ଦେଢ ବର୍ଷରେ ତାହା ସମ୍ପୂର୍ଣ୍ଣ ହେବ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦଳୀୟ କର୍ମୀମାନେ ନିଜ ଅଂଚଳର ଲୋକଙ୍କୁ ଘର, ଭତ୍ତା ଏବଂ ରାସନ କାର୍ଡ କିପରି ମିଳିବ ସେ ନେଇ ଦଳୀୟ କର୍ମୀମାନଙ୍କୁ ସେ ଦାୟିତ୍ୱ ଦେବା ସହିତ ଅନ୍ୟସବୁ କାର୍ଯ୍ୟ ମୁଁ ନିଜେ କରିବି ବୋଲି ବିଧାୟକ କର୍ମୀମାନଙ୍କୁ କହିଥିଲେ । ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲ, ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ମଧୁସୁଦନ ଦାଶ, ରାଜକୁମାର ପାଣିଗ୍ରାହୀ, ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଗଣ୍ଡାରାମ ବେହେରା, ପାଟଣାଗଡ ଏନ୍‌ଏସସି ସଭାପତି ପ୍ରଫୁଲ୍ଲକୁମାର ମେହେର, ଖପ୍ରାଖୋଲ ବ୍ଲକ ବିଜେଡି ନେତା ଗୋବିନ୍ଦ ବାରିକ ପ୍ରମୁଖ ଦଳୀୟ କର୍ମୀମାନଙ୍କୁ ଏକଜୁଟ ହୋଇ ବିଧାୟକ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଦଳୀୟ ନେତାମାନେ ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିପୁଳ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ପାଟଣାଗଡ ବିଧାୟକ ସରୋଜ ମେହେର ସାତୋଟି ପଂଚାୟତର ଦାୟିତ୍ୱ ନେଇଥିଲେ । ଏହି ସାତଗୋଟି ପଂଚାୟତରେ ବିଜେଡି ପାଂଚ ହଜାରରୁ ଅଧିକ ଭୋଟ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କ ଉପରେ ସନ୍ତୋଷ ପ୍ରକାଶ କରିଥିବା ଦଳୀୟ ନେତୃବୃନ୍ଦ କହିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ସରୋଜ ମେହେର ଅଧିକରୁ ଅଧିକ ଭୋଟରେ ବିଧାୟକ ଭାବେ ଜିତିଲେ ତାଙ୍କୁ ବଡ ପଦବୀ ମିଳିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଥିଲେ । ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ପଟେଲ ସଭା ପରିଚାଳନା କରିଥିଲେ । ବିଧାୟକଙ୍କୁ କର୍ମୀମାନ ବାଜା ବଜାଇ ଏକ ଶୋଭାଯାତ୍ରାରେ ଆଣି ମଂଚ ନିକଟକୁ ପାଛୋଟି ନେଇଥିଲେ । ସଭା ଆରମ୍ଭରେ ସଭା ସ୍ଥଳରେ ମା’ ସମଲେଇଙ୍କ ପୂଜା ଅର୍ଚ୍ଚନା କରାଯିବା ସହିତ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବେ ମାଲ୍ୟାର୍ପଣ କରିଥିଲେ । ସଭା ସ୍ଥଳରେ ବିଜେଡି ପତାକା ଛାଇ ହୋଇଯାଇଥିଲା । ଚାରି ଚକିଆ ଗାଡି ସାଙ୍ଗକୁ ଶହ ଶହ ମୋଟର ସାଇକେଲ ନିର୍ବାଚନ ସଭାର ଭ୍ରମ ସୃଷ୍ଟି କରିଥିଲା । ୨୦୨୪ ବଦଳରେ ୨୦୨୩ରେ ଆଗୁଆ ନିର୍ବାଚନ ହେବ ବୋଲି ଆଶଙ୍କାରେ ବିଧାୟକ ମିଶନ ୨୦୨୪ ଆରମ୍ଭ କରିଥିବା ନେଇ ସଭା ସ୍ଥଳରେ କର୍ମୀମାନଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ପାଟଣାଗଡ ବ୍ଲକ ଅଧ୍ୟକ୍ଷ ନିଳକାନ୍ତ ବାଗ, ବେଲପଡା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର, ପାଟଣାଗଡ ବ୍ଲକ ସଭାପତି ସିମାଂଚଳ ପଧାନ, ବେଳପଡା ବ୍ଲକ ସଭାପତି ଲକ୍ଷ୍ମଣ ମେହେର, ଖପ୍ରାଖୋଲ ବ୍ଲକ ଉପାଧ୍ୟକ୍ଷ ସୁଖିରାମ ଷାଣ୍ଢ, ପାଟଣାଗଡ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ଜିଲ୍ଲାପରିଷଦ ସଭ୍ୟା ଜୋନ-୧୪ ବିଶେଶ୍ୱରୀ ବରିହା, କସ୍ତୁରୀ ସେଠ ଜୋନ-୧୫, ବାଳିକା ମାଝୀ ଜୋନ-୧୬, ଜୟ ଧରୁଆ ଜୋନ-୨୪, ବିଜେଡି ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ, ଖପ୍ରାଖୋଲ ବ୍ଲକ ମହିଳା ସଭାନେତ୍ରୀ ରଞ୍ଜିତା ସୁନା, ପାଟଣାଗଡ ବ୍ଲକ ସଭାନେତ୍ରୀ ବିଦୁସ୍ମିତା ମହାକୁଡ, ବେଲପଡା ବ୍ଲକ ସଭାପତି ଖିର ମେହେର, ପାଟଣାଗଡ ଏନ୍‌ଏସି ସଭାନେତ୍ରୀ ସଞ୍ଜୁ ମୁଣ୍ଡା, ଖପ୍ରାଖୋଲ ବ୍ଲକ ଯୁବ ବିଜେଡି ସଭାପତି ବେଲାର ସିଂ ମେହେର, ପାଟଣାଗଡ ବ୍ଲକ ସଭାପତି ବେଣୁଧର ବିଶି, ଏନ୍‌ଏସି ସଭାପତି ପରେଶ ସାହୁ, ସୁରେନ୍ଦ୍ର ହାତୀ, ଛାତ୍ରସଭାପତି ଖପ୍ରାଖୋଲ ବ୍ଲକ, ସତ୍ୟନାରାୟଣ ମେହେର ଜୋନ ସଭାପତି ପ୍ରମୁଖ ଦଳୀୟ ନେତା ମଂଚାସୀନ ଥିଲେ । ଏହି ଅବସରରେ ବିଜେପି ଏବଂ କଂଗ୍ରେସର ୩୬ ଜଣ ଦଳୀୟ ନେତା ଏବଂ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଥିଲେ । ବିଧାୟକ ସରୋଜ ମେହେର ସେମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ସମ୍ମିଳନୀରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ପଂଚାୟତ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଶହ ଶହ ଦଳର କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.

error: Content is protected !!