ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ଅବସରରେ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭପତିତ୍ୱରେ ଏକ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଯଦୁମଣି ସାହୁ, ମେଡିକାଲ ଅଫିସର, ଉପଖଣ୍ଡ ଚିକିତ୍ସାଳୟ, ପଦ୍ମପୁର ମୁଖ୍ୟ ଅତିଥି ଭାବରେ ଏବଂ ସମାଜସେବୀ ନିରୋଜ ଦୋରା ଅତିଥି ଭାବରେ ଯୋଗ ଦେଇଥିଲେ । ଡକ୍ଟର ସାହୁ ଛାତ୍ରଛାତ୍ରୀମାନଙ୍କୁ ଏଚ୍ଆଇଭି ଏଡ୍ସ ଉପରେ ଅବଗତ କରାଇ ତାଙ୍କ ମନରେ ସଚେତନତା ସୃଷ୍ଟି କରାଇ ସମାଜରେ ଲୋକଙ୍କୁ ସଚେତନ କରାଇବା ପାଇଁ ଉଦ୍ବୋଧନ ଦେଇଥିଲେ । ଏହା ପରେ ଏକ ମୁକ୍ତ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପଖଣ୍ଡ ରକ୍ତ ଭଣ୍ଡାରର ଅଧିକାରୀ ଓ ସହକର୍ମୀ ଯୋଗ ଦେଇଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ୧୧ ଜଣ ଛାତ୍ରୀ ଏବଂ ୨୪ ଜଣ ଛାତ୍ରଙ୍କ ଠାରୁ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ରାଲି ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ରେଡକ୍ରସ କାଉନସିଲର ପ୍ରମୋଦ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ସହ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦାନ କରିଥିଲେ ।