ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ୩ ଅଟକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବୌଦ୍ଧ ରେଞ୍ଜର ଗୁରୁଜିମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ବନ ବିଭାଗ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ସମୟରେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ରବିବାର ବୌଦ୍ଧ ପୋଲିସ ଓ ବନ ବିଭାଗ ପକ୍ଷରୁ ଟିକରପଡ଼ା ପଞ୍ଚାୟତର ଲକଡପାଜୁ ଓ ସାଲଦରଙ୍ଗା ଅଞ୍ଚଳରେ ଥିବା ଜଙ୍ଗଲ ଜମିରେ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯିବା ସମୟରେ ଗୁରୁଜିମୁଣ୍ଡା ନିକଟରେ ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ।

ପୁଲିସ ପକ୍ଷରୁ ସେହି ସ୍ଥାନକୁ ଯାଇ ଦେଖିବା ବେଳକୁ ତିନି ଜଣ ଲୋକ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ । ପୁଲିସ ଉକ୍ତ ତିନି ଜଣଙ୍କୁ ଆଣି ପଚରାଉଚୁରା କରୁଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ମାଲିକପଡ଼ା ଗ୍ରାମର ଦୁଇ ଜଣ ଓ ବହାଲପଡ଼ା ଗ୍ରାମର ଜଣେ ବୋଲି ଜଣାପଡିଛି । ସେହି ସ୍ଥାନରୁ କିଛି ତାର ପୁଲିସ ଜବତ କରିଛି । ପରେ ଲକଡପାଜୁ ଓ ସାଲଦରଙ୍ଗା ଅଞ୍ଚଳରେ ଥିବା ୭ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିଲା । ଏନେଇ ବୌଦ୍ଧ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.