jayashree

ଜୟଦେବ କଳା ସଂସଦ ବଲାଙ୍ଗିର ତରଫରୁ ଭଜନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ ଅନ୍ତର୍ଗତ ଖପରା ଡୁଙ୍ଗୁରୀ ସ୍ଥିତ ସପ୍ତଋଷି ସାଧନ ପୀଠରେ ଜୟଦେବ କଳା ସଂସଦ ବଲାଙ୍ଗିର ତରଫରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପର୍ବତ ଗହ୍ୱରରେ ସପ୍ତଋଷିଙ୍କର ତପସ୍ୟା ସମୟର ମୂର୍ତ୍ତି ପଥର ଚଟାଣରେ ଖୋଦି ହୋଇ ରହିଛି । ଏହା ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ମରଣୀୟ ସ୍ଥାନ । ପ୍ରଥମେ କଳାକାରମାନେ ଉକ୍ତ ଗୁମ୍ପାରେ ଥିବା ସପ୍ତଋଷି ଏବଂ ପାହାଡ ପାଦ ଦେଶରେ ଥିବା ମହାଦେବ ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରି ସାରିବା ପରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗୁରୁ କ୍ଷମାସାଗର ଯୋଷୀ, ଗୁରୁଶ୍ରୀ କାଳୀ ପ୍ରସାଦ ଷଡଙ୍ଗୀ, ରାହାସ ବିହାରୀ ଭୋଇ, ବୁଦ୍ଧି ସାଗର ଯୋଷୀ, ନିଳାଞ୍ଚଳ ହୋତା, କୁଞ୍ଜ ବିହାରୀ ଅଗସ୍ତୀ, ସୁଧାଙ୍ଗନା ଭୋଇ ଦିବା ଘ.୧୨ରୁ ଘ.୨ ପର୍ଯ୍ୟନ୍ତ ଭଜନ ପରିବେଷଣ କରିଥିଲେ । ସନ୍ତୋଷ କୁମାର ରଣଜିତ ତବଲା ସଙ୍ଗୀତ କରିଥିଲେ । ନିକଟସ୍ଥ ମଣ୍ଡଳ, ରାଡବାହାଲ, ଜଲିଆ, ଧୁମାଭଟା ଆଦି ଗ୍ରାମରୁ ମହିଳା ଓ ପୁରୁଷ ଭଗବତ ତଥା ଭଜନ ପ୍ରେମୀ ଶ୍ରୋତାଙ୍କର ସମାବେଶ ହୋଇଥିଲା । ମନ୍ଦିରର ପୂଜକ ବାବା ପ୍ରଣବ ଦାସ ଓ ମନ୍ଦିର କମିଟି ସଦସ୍ୟ ଗ୍ରାମବାସୀଙ୍କ ସହ ମିଶି ସାହାଯ୍ୟ ଓ ସହଯୋଗ କରିଥିଲେ । ଶ୍ରୋତାମାନେ ଭଜନ ଗାୟକଙ୍କ ଭୁୟସୀ ପ୍ରଶଂସା କରିଥିଲେ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ । ଉକ୍ତ ପୀଠକୁ ଯିବା ପାଇଁ ୩ କିମି ରାସ୍ତା ଅତି ଶୋଚନୀୟ । ରାସ୍ତା, ବିଜୁଳି ଓ ପାନୀୟ ଜଳର ବ୍ୟବସ୍ଥା ହୋଇ ପାରିଲେ ବହୁ ଯାତ୍ରୀ ସମାଗମ ହେବା ସଙ୍ଗେ ସଙ୍ଗେ ଏକ ପ୍ରମୁଖ ତିର୍ଥସ୍ଥଳୀରେ ପରିଣତ ହେବ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.