
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ଡି.ଆର ଡି.ଏ. ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ରଥ, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନ, ସମ୍ପାଦକ ସୌମେନ୍ଦ୍ର କୁମାର ପରିଚ୍ଛାଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି, ସମବାୟ, ଜଳ ସେଚନ, ନିୟନ୍ତ୍ରିତ ବଜାର କମିଟି, ଭାରତୀୟ ଖାଦ୍ୟ ନିଗମର ଅଧିକାରୀ ଓ ମିଲର୍ସ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବଲାଙ୍ଗିର ଜିଲ୍ଲାରେ ଚଳିତ ଖରିଫ ଧାନ କ୍ରୟ ଯେପରି ସୂଚାରୁ ରୂପେ ସମ୍ପାଦିତ ହେବ, ଚାଷୀ ମାନେ ସେମାନଙ୍କର ଉତ୍ପାଦିତ ଧାନ ମଣ୍ଡି ଗୁଡିକରେ ଯେପରି ସୁରୁଖୁରୁରେ ବିକ୍ରୟ କରିପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ ତଥା ଧାନ କ୍ରୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ସହ ଚଳିତ ଖରିଫରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ ସମ୍ପର୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ବଲାଙ୍ଗିର ଜିଲ୍ଲାରେ ଚଳିତ ନଭେମ୍ବର ମାସ ୨୫ ତାରିଖରୁ ୧୫୮ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୬ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯିବ । ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଏଫ .ଏ .କ୍ୟୁ. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଏଫ୍.ଏ.କ୍ୟୁ. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ )ଗୁଡିକରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ସମୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା ତଥା ସେମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଉପକରଣ, ଯନ୍ତ୍ରପାତି ଯଥା ଓଜନ ମେସିନ, ଆଦ୍ରତା ମାପ ମେସିନ, ମିନି ଗ୍ରେଡର, ତାରପୋଲିନ ଇତ୍ୟାଦିକୁ କାର୍ଯ୍ୟକ୍ଷମ କରି ମଣ୍ଡି ଆରମ୍ଭ ହେବା ଯଥେଷ୍ଟ ପୂର୍ବରୁ ଉପଲବ୍ଧ କରାଇବା ଏବଂ ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀ ଓ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଧାନ ସଂଗ୍ରହ ପ୍ରକ୍ରିୟାକୁ ପାରଦର୍ଶିତା କରିବା ନିମନ୍ତେ ସମସ୍ତ ମଣ୍ଡି ଗୁଡିକରେ ସିସିଟିଭି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲାରେ ୭୪୪୫୦ ଜଣ ଚାଷୀ ପେକ୍ସ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଛନ୍ତି । ଚାଷୀ ମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଧାନ କ୍ରୟ ସମ୍ପର୍କିତ ସୂଚନା ସମ୍ପର୍କରେ ବ୍ୟାପକ ସଚେତନ କରିବାକୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଧାନ ସଂଗ୍ରହ ସମୟରେ ହେଉଥିବା ବିବିନ୍ନ ଅସୁବିଧା ଏବଂ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।