ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନର ପଞ୍ଜିକରଣ ପ୍ରକ୍ରିୟା ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ସଂଗଠନ ‘ଲାଲ’ ପକ୍ଷରୁ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା ମହିଳା କୃଷକମାନଙ୍କୁ ନେଇ ଲାଠିକଟାରେ କୃଷକ ଉତ୍ପାଦକ ସଂଗଠନ ଗଠନର ପଞ୍ଜିକରଣ କାର୍ଯ୍ୟ ବ୍ଲକ ସମ୍ମିଳନୀ କକ୍ଷରେ ଶେଷ ହୋଇଯାଇଛି । ଲାଠିକଟା ପଞ୍ଚାୟତ ସମିତି ଅଧୀନରେ ଥିବା ଜଲଦା, ହାତିବନ୍ଧା, ସିଉଡ଼ିହି, ଲାଠିକଟା ଓ ବଲାଣି ପରି ୫ଟି ଗ୍ରାମ ପଞ୍ଚାୟତରେ ୧୦ ଜଣ ମହିଳା ନିର୍ଦ୍ଦେଶିକା ସମ୍ପୃକ୍ତ ଅଞ୍ଚଳର ମହିଳା ଚାଷୀମାନଙ୍କ ଦ୍ୱାରା ମନୋନୀତ କରାଯାଇଥିଲା । ମନୋନୀତ ନିର୍ଦ୍ଦେଶିକା ହେଲେ ସସ୍ମିତା ସିଂ, ମନ୍ଦାକିନୀ ମାହତୋ, ବିନିତା ଭୂମିଜ, ଜୋହାନି ସୂରିନ, କୌଶଲ୍ୟା ସିଂ, ପ୍ରତିମା ରାଉତ, ସଂଚିତ ପୂରଣ, ମଞ୍ଜରୀ ରଣା ଓ ପଦ୍ମିନା ଅମାତ ପ୍ରମୁଖଙ୍କୁ କମ୍ପାନୀ ପଞ୍ଜିକରଣ ଆଇନ ଅନୁସାରେ ପଞ୍ଜିକୃତ କରାଯାଇଛି । ଏହି ଅବସରରେ ଲାଠିକଟା ବିଡ଼ିଓ ଶ୍ରୀମତୀ ମନସ୍ମିତା ଦାସ, ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡା, କମ୍ପାନୀ ସେକ୍ରେଟାରୀ ସୁନୀଲ ସୋଭେନ ସାମନ୍ତରାୟ ଓ ଅନୁଷ୍ଠାନର କୋଷାଧ୍ୟକ୍ଷ ଶୁଦ୍ଧିରଞ୍ଜନ ବାରିକ ଓ ବ୍ଲକ ସଂଯୋଜକ ମୋନାଲିସା ପରିଡା ପ୍ରମୁଖ ପଞ୍ଜିକରଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରାରମ୍ଭରେ ନିର୍ଦ୍ଦେଶିକାମାନଙ୍କର ଭୂମିକା ଓ କାର୍ଯ୍ୟ ଦକ୍ଷତା ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କୃଷକ ଉତ୍ପାଦକ ସଂଗଠନ ଜରିଆରେ ମହିଳା କୃଷକମାନଙ୍କ ସାମାଜିକ, ବୈଷୟିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଘଟାଇ ପାରିବ ବୋଲି ଏହି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା । ଏହିଭଳି କୁତ୍ରା ବ୍ଲକ ଓ କୁଆଁରମୁଣ୍ଡା ବ୍ଲକରେ ୨ଟି ମହିଳା କୃଷକ ଉତ୍ପାଦନ ସଂଗଠନ ଓ ପଞ୍ଜିକରଣ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି ।

Leave A Reply

Your email address will not be published.