jayashree

ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ

  • ଲକ୍ଷ୍ମଣ ମେହେରଙ୍କ ବିରୁଦ୍ଧରେ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୧୫ଟି ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସବୁ ପ୍ରସ୍ତୁତି ସରିଯାଇଛି । ତେବେ ୧୫ ନମ୍ବର ୱାର୍ଡର ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ଲଢୁଥିବା ପୂର୍ବତନ ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ନାମାଙ୍କନକୁ ଅଯୋଗ୍ୟ ଘୋଷଣା କରିବାକୁ ତାଙ୍କ ପ୍ରତିଦ୍ୱନ୍ଦି ନବକୃଷ୍ଣ ଦନ୍ତା ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଥିବା ଜଣାଯାଇଛି । ବ୍ୟାଙ୍କର ସଭାପତି ଥିବା ବେଳେ ଲକ୍ଷ୍ମଣଙ୍କ ନାମରେ ୧ଲକ୍ଷ ୩୪ ହଜାର ଟଙ୍କାର ଆର୍ଥିକ ଅନିୟମିତତା କରାଯାଇଥିବା ଅଭିଯୋଗ ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବଲାଙ୍ଗିର ସମବାୟ ନିର୍ବାଚନ ଅଧିକାରୀ ଥିବା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ପାଖରେ ସ୍କୃଟିନି ବେଳେ ନବକୃଷ୍ଣ ଆବେଦନ କରିଥିଲେ । କିନ୍ତୁ ନବକୃଷ୍ଣଙ୍କ ଅଭିଯୋଗକୁ ନିର୍ବାଚନ ଅଧିକାରୀ ଗ୍ରହଣ କରିନଥିଲେ ଓ ଲକ୍ଷ୍ମଣଙ୍କ ପ୍ରାର୍ଥୀପତ୍ରକୁ କାୟମ ରଖିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ନବକୃଷ୍ଣ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଆବେଦନରେ ଯଥାର୍ଥତା ନଥିବା ଦର୍ଶାଇ ୨୮/୧୦/୨୦୨୨ରେ ଏହାକୁ ଖାରଜ କରିଦେଇଛନ୍ତି । ଫଳରେ ଲକ୍ଷ୍ମଣ ମେହେର ନିର୍ବାଚନ ଲଢିବା ନେଇ ଆଉ କୌଣସି ଦ୍ୱନ୍ଦ ନାହିଁ । ସେପଟେ ୭ନମ୍ବର ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ପୂର୍ବତନ ନିର୍ଦ୍ଦେଶକ ଅଶୋକ ଦୋରାଙ୍କ ପ୍ରାର୍ଥିତ୍ୱକୁ ବଲାଙ୍ଗିର ସମବାୟ ନିର୍ବାଚନ ଅଧିକାରୀ ଅଯୋଗ୍ୟ ଘୋଷଣା କରିଥିଲେ । ଅଶୋକ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇଥିଲେ । ହାଇକୋର୍ଟ ନିର୍ଦ୍ଦେଶରେ ତାଙ୍କ ପ୍ରାର୍ଥୀପତ୍ର କାୟମ ରହିଛି । ସେ ମଧ୍ୟ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଗତକାଲି ବିଚାର କରି ପୁଣି ତାଙ୍କ ପ୍ରାର୍ଥୀପତ୍ରକୁ କାୟମ ରଖି ନୂଆ ବ୍ୟାଲଟ ଛପାଇଥିବା ଜଣାଯାଇଛି ।

Leave A Reply

Your email address will not be published.