oom

ଗଞ୍ଜାମ ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରୁ ସଚେତନତା ସମ୍ପର୍କିତ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାସକାଠିଆ ପରିବେଷଣ ପୂର୍ବକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୨ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ବିଭିନ୍ନ ବିପତ୍ତିମାନ ଆସୁଛି । ତାହାର ମୁକାବିଲା ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ନିମନ୍ତେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିବା ଆବଶ୍ୟକ ବୋଲି କହିଥିଲେ । ସର୍ବୋପରି ବିପତ୍ତି ସମୟରେ ଗୋଷ୍ଠୀଗତଙ୍କୁ ସାମିଲ କରାଯାଇ ବିପର୍ଯ୍ୟୟ ସମସ୍ୟା ବେଳକୁ ମୁକାବିଲା ନିମନ୍ତେ ପ୍ରଶାସନର ସହଯୋଗ ନେଇ ଆମ୍ଭେ ଯୋଜନା ପ୍ରସ୍ତୁତି କରିବାକୁ ପଡ଼ିଥାଏ । ଯାହାକି ଆସୁଥିବା ବିପତ୍ତିର ମୁକାବିଲା କରିବା ସମ୍ଭବ ପର ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି ଯୋଗ ଦେଇ ଗଞ୍ଜାମ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ନିଜକୁ ପ୍ରସ୍ତୁତ ରଖିବେ ସେ ସମ୍ପର୍କରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ପରିଯୋଜନା ଅଧିକାରୀ ଅବନୀକାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁରସ୍ଥ ସମସ୍ତ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍.ସି.ସି., ସ୍କାଉଟ୍, ସ୍ୱୟଂ ସିଦ୍ଧା ଗୋଷ୍ଠୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ଏବଂ ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍ ଛତ୍ରପୁର ଓଡ୍ରାଫ୍ ଟିମ୍ ଦ୍ୱାରା ମକ୍ ଡ୍ରିଲ୍ ପ୍ରଦର୍ଶନ କରାଯାଇଥିଲା । ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ପବ୍ଲିକ୍ ଏହି ମକ୍ ଡ୍ରିଲ୍ ଦେଖି ମୁକାବିଲା ଉପରେ ଖୁବ ସଚେତନ ହୋଇଥିଲେ । ବିପତ୍ତି/ଆପତ୍ତି ସମୟରେ ଲୋକଙ୍କ ଧନ-ଜୀବନକୁ ସୁରକ୍ଷା ଦିଆଯାଇପାରିବ ତାହାର ପୂର୍ବପ୍ରସ୍ତୁତିର ରୂପରେଖକୁ ଅଭ୍ୟାସ ଭାବେ ପ୍ରଦର୍ଶନ କରାଯାଇଥିଲା । ବିପତ୍ତି ସମୟରେ କେଉଁ ସବୁ ଯନ୍ତ୍ରପାତି ସରଞ୍ଜାମ ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ଓ ସୁରକ୍ଷା କାର୍ଯ୍ୟରେ ବିନିଯୋଗ ହେଉଛି ତାହା ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏସ୍.ଆଇ. ଆର୍ମସ ପ୍ରସନ୍ନ କୁମାର ସୁବୁଦ୍ଧି ଏବଂ ସେମାନଙ୍କ ସାଥୀଗଣ ଏହି ଦୁଃସାହସିକ କାର୍ଯ୍ୟ ପ୍ରଦର୍ଶନ କରିଥିଲେ । ଅଗ୍ନିଶମ ବିଭାଗ ଦ୍ୱାରା ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା । ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ବିଷୟବସ୍ତୁକୁ ନେଇ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରବନ୍ଧ ପ୍ରତିଯାଗିତାରେ ବ୍ରହ୍ମପୁର ଭି.ଭି. ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ଚୌଧୁରୀ, (ପ୍ରଥମ), ଆସ୍କା ସହରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସୌମ୍ୟ ରଞ୍ଜନ ପଣ୍ଡା (ଦ୍ୱିତୀୟ ) ଏବଂ କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟ, ହୁଗୁଳାପଟା ଛାତ୍ରୀ ଶୋଭନା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଜିନା ଗୌଡ, ଆର୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମନାଭପୁର ପ୍ରଥମ, ସ୍ପନ୍ଦନ କୁମାର ତ୍ରିପାଠୀ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ୍ ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ଓ ଅଙ୍କିତା ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର-୨, ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ସସ୍ମିତା ମହାନ୍ତି ପ୍ରଥମ ସ୍ଥାନ, ଲାଞ୍ଜିପଲ୍ଲୀ ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ଶୁଭମ୍ ତ୍ରିପାଠୀ, ଦ୍ୱିତୀୟ ସ୍ଥାନ ଏବଂ ଛତ୍ରପୁର ଅନସ୍ଳୋ ସରକାରୀ ଉଚ୍ଚ ବିଦ୍ୟାଳୟର ମୁକେଶ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

jittmm
Leave A Reply

Your email address will not be published.