ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମରେ ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟ ତରଫରୁ ସମାଜର ମଙ୍ଗଳ କାମନା କରି ବସ୍ତ୍ର ବଣ୍ଟନ କରିବା ସହିତ ସାମୁହିକ ଦୀପାବଳୀ ପର୍ବ ପାଳନ କରାଯାଇଛି । ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ର ସଙ୍ଘ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ କରାଯାଇଥିଲା । ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅନ୍ତେବାସୀମାନଙ୍କୁ ବସ୍ତ୍ର ବଣ୍ଟନ କରାଗଲା । ସମାଜର ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସମ୍ମାନ ଦେବା ସହିତ ବିଶେଷ କରି ବୃଦ୍ଧବୃଦ୍ଧା ଓ ଶିଶୁମାନଙ୍କର ସେବା, ଯତ୍ନ ନେବାର ଆବଶ୍ୟକତା ଅଛି ବୋଲି ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭାବ ବିନିମୟ ପାଇଁ ସଂଗୀତ ଗାନ କାର୍ଯ୍ୟକ୍ରମ କରାଯାଇଥିଲା । ନୃତ୍ୟ ଗୀତରେ ସମସ୍ତ ଅନ୍ତେବାସୀମାନଙ୍କୁ ସାମିଲ କରି ଆନନ୍ଦର ସହିତ ଦୀପାବଳୀ ପାଳନ କରାଯାଇଛି । ଶେଷରେ ଆବାସର କାର୍ଯ୍ୟରତ ନିର୍ବାହୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post