ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆରତୀର ୧୭ତମ ବାର୍ଷିକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ମହୋଦଧି ଆରତୀ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଚଳିତ ବର୍ଷର ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେଇ ସଞ୍ଚାଳନ ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପୂଜ୍ୟ ଗୁରୁଜୀଙ୍କୁ ଅବଗତ କରାଇଥିଲେ କି, ଚଳିତ ବର୍ଷ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ବିଭିନ୍ନ ସନାତନ ସମ୍ପ୍ରଦାୟର ସନ୍ଥ ମହନ୍ତ, ରାଜ୍ୟପାଳ, ଗଜପତି ମହାରାଜା, ୩୦ଟି ଦେଶର ୬୦୦ ବିଦେଶୀ ଭକ୍ତଙ୍କ ସମେତ ସମଗ୍ର ଦେଶରୁ ୧୦ ହଜାର ଭକ୍ତ ଏହି ମହୋତ୍ସବରେ ଯୋଗ ଦେବାର ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜନରେ ଓମ୍ ପରିବାର, ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ପାଞ୍ଚ ହଜାର ସ୍ୱେଚ୍ଛାସେବୀ ଯୋଗ ଦେବେ । ସ୍ୱର୍ଗଦ୍ୱାରଠାରୁ ଦୀଗବାରେଣୀ ଛକ ପର୍ଯ୍ୟନ୍ତ ଦୁଇ କିଲୋମିଟର ବିସ୍ତିର୍ଣ୍ଣ ବେଳାଭୂମିରେ ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏକାସଙ୍ଗେ ସମୂହ ସମୁଦ୍ର ଆରତୀର ମଧ୍ୟ ଆୟୋଜନ କରାଯିବ । ପବିତ୍ର ସାଗର ଆରତୀର ପରିକଳ୍ପନା ସମ୍ପର୍କରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ କହିଲେ ପୁରୀ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଖ୍ୟାତ ହେଉ, ତୀର୍ଥସ୍ଥଳୀ ବିକାଶ ନାମରେ ଭୋଗସ୍ଥଳୀ ନହେଉ । ଆଧ୍ୟାତ୍ମିକ ଓ ପର୍ଯ୍ୟାବରଣ ଦୃଷ୍ଟିରୁ ଅଶ୍ଳିଳ ମନୋରଞ୍ଜନର କେନ୍ଦ୍ର ନ ହେଉ ଏହି ଦୃଷ୍ଟିରେ ଶ୍ରୀମହୋଦଧି ଭଗବାନଙ୍କ ନିତ୍ୟ ସଂଧ୍ୟା ଆରତୀ ବିଗତ ୧୭ ବର୍ଷ ଧରି ହୋଇ ଆସୁଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ସ୍ଥାନୀୟ ଗଣମାଧ୍ୟମ, ରାଜ୍ୟପାଳ ଓ ଗଜପତି ମହାରାଜା ଅତ୍ୟନ୍ତ ଆସ୍ଥା ପୂର୍ବକ ସମସ୍ତ ସହଯୋଗ କରିଆସୁଛନ୍ତି । ଏ କାର୍ଯ୍ୟକ୍ରମ ଆପଣମାନଙ୍କର । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର କଲ୍ୟାଣ କରନ୍ତୁ କହି ଆଶୀର୍ବାଦ ପ୍ରଦାନ କରିଥିଲେ । ଆଜିର ଏହି ପ୍ରସ୍ତୁତି ବୈଠକରେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପ୍ରଭୁ ମହାନ୍ତି, ଅରୁଣ ମହାନ୍ତି, ସୂଭେନ୍ଦୁ ସ୍ୱାଇଁ, ମହେଶ ସାହୁ, ବିଚିତ୍ରାନନ୍ଦ ମହାନ୍ତି, ତନ୍ମୟ ଚାଟାର୍ଜୀ, ଚିନ୍ମୟୀ ଦେଓ, ସୁରେଶ ସିଂ, ହୃଷିକେଶ ବ୍ରହ୍ମଚାରୀ, ଭଗବାନ ପଣ୍ଡା ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।
Next Post