ସେପ୍ଟେମ୍ବର ମାସରେ ଆଧାର ବ୍ୟବହାର କରି ହେଲା ୨୫.୨୫ କୋଟି ଇ-କେୱାଇସି କାରବାର

• ଏହି ମାସରେ ହୋଇଛି ୧୭୫ କୋଟିରୁ ଅଧିକ ପ୍ରମାଣିକରଣ
• ସେପ୍ଟେମ୍ବର ମାସରେ ୨୧ କୋଟିରୁ ଅଧିକ ଏଇପିଏସ କାରବାର
• ସେପ୍ଟେମ୍ବର ମାସରେ ବାସିନ୍ଦାମାନଙ୍କର ୧.୬୨ କୋଟିରୁ ଅଧିକ ଆଧାର ସଂଶୋଧନ ଅନୁରୋଧ ସଫଳତାପୂର୍ବକ କାର୍ଯ୍ୟକାରୀ କଲା ୟୁଆଇଡିଏଆଇ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଆଧାର ଲାଗୁ ହେବା ପରେ ସାଧାରଣ ନାଗରିକମାନେ ଏହାକୁ ବେଶ ଉତ୍ସାହର ସହ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ ସହାୟକ ହୋଇଛି । କେବଳ ସେପ୍ଟେମ୍ବର ମାସରେ, ଆଧାର ଉପଯୋଗ କରାଯାଇ ୨୫.୨୫ କୋଟି ଇ-କେୱାଇସି କାରବାର ହୋଇଛି । ଅଗଷ୍ଟ ତୁଳନାରେ ଏହି କାରବାରରେ ପ୍ରାୟ ୭.୭% ବୃଦ୍ଧି ଦେଖିବାକୁ ମିଳିଛି ।

କେବଳ ଆଧାର କାର୍ଡଧାରୀଙ୍କର ସ୍ପଷ୍ଟ ସହମତି ମିଳିଲେ ଏକ ଇ-କେୱାଇସି କାରବାର ସମ୍ପୂର୍ଣ୍ଣ ହୋଇଥାଏ। ଏଥିରେ କେୱାଇସି ପାଇଁ ଭୌତିକ କାଗଜପତ୍ର କାର୍ଯ୍ୟ କିମ୍ବା ବ୍ୟକ୍ତିଗତ ଯାଞ୍ଚ ଦରକାର ପଡ଼ିନଥାଏ।

ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସେବା ପାଇଁ ଆଧାର ଇ-କେୱାଇସି ସେବା ଦିନକୁ ଦିନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାରେ ଲାଗିଛି । ଏହା ଗ୍ରାହକମାନଙ୍କୁ ଉନ୍ନତ ଏବଂ ପାରଦର୍ଶୀ ଅନୁଭୂତି ପ୍ରଦାନ କରିବା ସହିତ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେଉଛି ।
ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ଆଧାର ଜରିଆରେ ଇ-କେୱାଇସି କାରବାର ବା ଟ୍ରାଞ୍ଜାକ୍ସନ ସଂଖ୍ୟା ୧୨୯୭.୯୩ କୋଟିକୁ ବୃଦ୍ଧି ପାଇଛି ।

ସେହିପରି, ଆଧାର ସଂଯୁକ୍ତ ପେମେଣ୍ଟ ବ୍ୟବସ୍ଥା (ଏଇପିଏସ) ଆୟ ବର୍ଗର ସବୁଠୁ ନିମ୍ନ ଭାଗରେ ରହୁଥିବା ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ସହାୟକ ହୋଇଛି ।

ଏଇପିଏସ ଏବଂ ମାଇକ୍ରୋ ଏଟିଏମ ନେଟୱର୍କ ଜରିଆରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ମୋଟ୍‌ ୧୫୪୯.୮୪ କୋଟି ଅନ୍ତିମ ଧାଡ଼ିର ବ୍ୟାଙ୍କିଙ୍ଗ କାରବାର ସମ୍ଭବ ହୋଇପାରିଛି । କେବଳ ସେପ୍ଟେମ୍ବର ମାସରେ ସାରା ଭାରତରେ ମୋଟ୍‌ ୨୧.୦୩ କୋଟି ସଂଖ୍ୟକ ଏଇପିଏସ କାରବାର ହୋଇଛି ।

ଆଧାର ଜରିଆରେ ସେପ୍ଟେମ୍ବର ମାସରେ, ୧୭୫.୪୧ କୋଟି ପ୍ରମାଣିକରଣ ବା ଅଥେଣ୍ଟିକେସନ କାରବାର ହୋଇଛି। ଏହି ମାସିକ କାରବାର ମଧ୍ୟରୁ ଅଧିକାଂଶ କାରବାର ଟିପ ଚିହ୍ନ ବାୟୋମେଟ୍ରିକ ପ୍ରମାଣିକରଣ ବ୍ୟବହାର କରି କରାଯାଇଛି । ଅବଶିଷ୍ଟ କାରବାର ଜନସାଂଖ୍ୟିକ ଏବଂ ଓଟିପି ପ୍ରମାଣିକରଣ ଜରିଆରେ କରାଯାଇଛି ।

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୋଟ ୮୨୫୦.୩୬ କୋଟି ପ୍ରମାଣିକରଣ କାରବାର ସମ୍ପୂର୍ଣ୍ଣ ହୋଇଛି । ଏହା ଆଧାର ବ୍ୟବସ୍ଥାର ବିଶ୍ବସନୀୟତାକୁ ପ୍ରମାଣ କରୁଛି ।

ଦେଶର ପ୍ରାପ୍ତ ବୟସ୍କ ଜନସଂଖ୍ୟା ମଧ୍ୟରେ ଆଧାର ସେଚୁରେସନ ବା ସମ୍ପୂର୍ଣ୍ଣତା ପ୍ରାୟ ସାର୍ବଜନୀନ ହେବା ନିକଟରେ ପହଞ୍ଚିଛି । ସବୁ ବୟସ ବର୍ଗଙ୍କ ମଧ୍ୟରେ, ସେପ୍ଟେମ୍ବର ଶେଷ ସୁଦ୍ଧା ଆଧାର ସେଚୁରେସନ ୯୩.୯୨%ରେ ପହଞ୍ଚିଛି ।

ସେପ୍ଟେମ୍ବର ମାସରେ, ବାସିନ୍ଦାମାନେ ୧.୬୨ କୋଟି ଆଧାର ସଂଶୋଧନ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନ କରିଥିଲେ । ଅଗଷ୍ଟ ମାସରେ ଏହି ସଂଶୋଧନ ସଂଖ୍ୟା ୧.୪୬ କୋଟି ଥିଲା ।

ବାସିନ୍ଦାମାନଙ୍କ ଅନୁରୋଧକ୍ରମେ ଏବେ ସୁଦ୍ଧା, (ସେପ୍ଟମ୍ବର ଶେଷ) ମୋଟ୍‌ ୬୬.୬୩ କୋଟିରୁ ଅଧିକ ଆଧାର ନମ୍ବର ସଂଶୋଧନ କରାଯାଇସାରିଛି ।

ଉଭୟ ଭୌତିକ ଆଧାର କେନ୍ଦ୍ର ଠାରେ ଏବଂ ଅନଲାଇନ ଆଧାର ପ୍ଲାଟଫର୍ମର ଉପଯୋଗ କରାଯାଇ ଏହିସବୁ ଜନସାଂଖ୍ୟିକ ତଥା ବାୟୋମେଟ୍ରିକ ସଂଶୋଧନଗୁଡ଼ିକ କରାଯାଇଛି ।

ଅନ୍ତିମ ଧାଡ଼ିରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଲାଗି ଏଇପିଏସ ହେଉ କିମ୍ବା ଇକେୱାଇସି, ଅଥବା ଆଧାର ସଂଯୁକ୍ତ ଡିବିଟି କିମ୍ବା ପ୍ରମାଣିକରଣ, ଆଧାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ।

ଉତ୍ତମ ପ୍ରଶାସନ ପାଇଁ ଏକ ଡିଜିଟାଲ ଭିତ୍ତିଭୂମି ଭାବେ, ଆଧାର ଉଭୟ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣକୁ ପ୍ରୋତ୍ସାହନ ଦେଉଛି । ଏହି ଡିଜିଟାଲ ପରିଚୟପତ୍ର କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ଦକ୍ଷତାରେ ସୁଧାର ଆଣିବା, ପାରଦର୍ଶିତା ସୁନିଶ୍ଚିତ କରିବା ଏବଂ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ କଲ୍ୟାଣମୂଳକ ସେବା ପହଞ୍ଚାଇବା କ୍ଷେତ୍ରରେ ସହାୟକ ହେଉଛି ।

ଏବେ ସୁଦ୍ଧା, ଦେଶରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରାୟ ୧୦୦୦ କଲ୍ୟାଣମୂଳକ ଯୋଜନାରେ ଆଧାର ବ୍ୟବହାର ପାଇଁ ବିଜ୍ଞପିତ କରାଯାଇଛି ।

Leave A Reply

Your email address will not be published.

error: Content is protected !!