ବ୍ରାହ୍ମଣୀ ନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଧୀନ ରଜାମୁଣ୍ଡା ପଞ୍ଚାୟତ ୧୪୩ ନମ୍ବର ଜାତୀୟ ରାଜପଥର ନରେନ୍ଦ୍ର ପୋଲ ଉପରୁ ବ୍ରହ୍ମଣୀ ନଦୀକୁ ଡେଇଁ ଜଣେ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଅଗ୍ନିଶମ କର୍ମଚାରୀ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ, ଗୁରୁବାର ଦିନ ନରେନ୍ଦ୍ର ପୋଲ ଉପରେ ନାବାଳିକା ଜଣକ ପହଞ୍ଚି ଆଧାର କାର୍ଡ, ମୋବାଇଲ ଫୋନ ପୋଲ ଉପରେ ରଖି ତଳକୁ ଡେଇଁ ପଡିଥିଲେ । ତେବେ ନାବାଳିକା ଜଣକ ଡେଇଁବା ସମୟରେ ସ୍କୁଲ ବ୍ୟାଗ କାନ୍ଧରେ ଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କେତେଜଣ ଲୋକ ତାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ବିଫଳ ହେବାପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳିକା ଜଣକ ଲହୁଣୀପଡ଼ା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ଆତ୍ମହତ୍ୟା ଉଦ୍ୟମର କାରଣ ନେଇ ଉଭୟ ଲହୁଣୀପଡ଼ା ଓ ବଣାଇ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.