ଗଞ୍ଜାମ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

• ତିନିବର୍ଷ ପରେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ସମ୍ପାଦିକା ଶ୍ରୀମତୀ ଲୀନା କୁମାରୀ ଖେସ୍ ସମସ୍ତଙ୍କୁ ସ୍ୱାଗତ କରିବା ସହ ଗ୍ରାହକ ସୁରକ୍ଷା ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ଭୂମିକା ଏବଂ ଦାୟିତ୍ୱ ଛଅ ଗୋଟି ଉପଭୋକ୍ତା ଅଧିକାର ବିଷୟରେ ଆଲୋଚନା ହୋଇଥିଲା । ଗ୍ରାହକ ସୁରକ୍ଷା ଆଇନ୍ -୨୦୧୯ର ଉଦ୍ଦେଶ୍ୟ ଓ ଏହାର ଆଭିମୁଖ୍ୟ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ ଉପଭୋକ୍ତା ବିବାଦର ସମାଧାନ ପାଇଁ ଏକ ସ୍ଥିର ତଥା ଦୃଢ ପ୍ରଣାଳୀ ପ୍ରତିଷ୍ଠା କରିବା ଏହି ଆଇନର ମୂଳ ଲକ୍ଷ୍ୟ ବୋଲି ସୂଚାଇଦିଆଯାଇଛି । ଜୀବନ ଏବଂ ସମ୍ପତ୍ତି ପାଇଁ ବିପଦ ଜନକ ଦ୍ରବ୍ୟ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା । ଗ୍ରାହକଙ୍କୁ ସାମଗ୍ରୀର ଗୁଣବତ୍ତା, କ୍ଷମତା, ପରିମାଣ ମାନକ, ଶୁଦ୍ଧତା ଏବଂ ମୂଲ୍ୟ ବିଷୟରେ ସୂଚନା ଦେବା, ଗ୍ରାହକଙ୍କ ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ ଗ୍ରାହକ ସୁରକ୍ଷା ପରିଷଦ ଗଠନ କରିବା, ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା, ଦ୍ରବ୍ୟର ମୂଲ୍ୟ, ଦ୍ରବ୍ୟ ପ୍ୟାକିଂ ତାରିଖ ଏବଂ ଅବଧି ଶେଷ ତାରିଖ ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଗ୍ରାମାଞ୍ଚଳରେ ଗ୍ରାହକମାନଙ୍କୁ ସଚେତନ କରାଇବା, ବ୍ଲକ୍, ତହସିଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରରେ ଗୋଟିଏ ଗୋଟିଏ ସଚେତନତା ଶିବିର କରି ଗ୍ରାହକମାନଙ୍କୁ ବୁଝାଇବାକୁ ପଡିବ । ଅନ୍‌ଲାଇନ୍‌ରେ ମଧ୍ୟ ଗ୍ରାହକମାନଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ବିଦ୍ୟାଳୟ ଗୁଡିକରେ ଟେଷ୍ଟିଂ ଲ୍ୟାବ୍ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ଜାତୀୟ ଖାଉଟି ସହାୟତା ନମ୍ବରରେ ଗ୍ରାହକ ଅଭିଯୋଗ ଦାଖଲ କରିପାରିବେ । ଅନ୍‌ଲାଇନ୍ ଠକେଇ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଆମ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଉପଭୋକ୍ତା ସୁରକ୍ଷା କେନ୍ଦ୍ର, ଉପଭୋକ୍ତା ପରାମର୍ଶ କେନ୍ଦ୍ରରେ ଗ୍ରାହକ ଅଭିଯୋଗ କରିପାରିବେ । ଜିଲ୍ଲା ଉପଭୋକ୍ତା ବିବାଦସମାଧାନ ଆୟୋଗର ସଦସ୍ୟ ସତୀଶ୍ ପାଣିଗ୍ରାହୀ ସମସ୍ତ ବିଷୟ ଉପସ୍ଥାପନ କରିଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବୈଠକରେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଉପସ୍ଥିତ ଥିଲେ ଏବଂ ଗଞ୍ଜାମ ଜିଲ୍ଲାର ଅନ୍ୟ ବିଧାୟକମାନେ ଅନୁପସ୍ଥିତ ଥିଲେ, ସେହି ବିଧାୟକଙ୍କ କେବଳ ପ୍ରତିନିଧିଗଣ ଯୋଗ ଦେଇଥିବା ଦେଖାଦେଇଛି । ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ସଭ୍ୟ ପ୍ରଶାନ୍ତ କୁମାର ମହାରଣା, ସୟେଦ ମୁକ୍ତାର, ସାଗରିକା ପଣ୍ଡା, ରାଜୀବ ଲୋଚନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଭ୍ୟ /ସଭ୍ୟା ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.