ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଭେଟିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି

  • ରେଳପଥର ନିର୍ମାଣରେ ପରିବେଶ ମଞ୍ଜୁରି ଓ ଜମି ଅଧିଗ୍ରହଣ ନେଇ ଉଦବେଗ ଜଣାଇଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବଲାଙ୍ଗିର ଗସ୍ତ ଅବସରରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀରେ ହେଉଥିବା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ ପାଇଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଏକ ପ୍ରତିନିଧିଦଳ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ବିଧାସଭାର ଉପମୁଖ୍ୟ ସଚେତକ ସରୋଜ ମେହେର ଓ ବଲାଙ୍ଗିର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ ଉପସ୍ଥିତିରେ ପ୍ରକଳ୍ପର ସମସ୍ୟା ନେଇ ଆଲୋଚନା କରିବା ସହିତ ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସଂଘର୍ଷ ସମିତିର ମୁଖ୍ୟ ସଂଯୋଜକ ଗୋପାଳଜୀ ପାଣିଗ୍ରାହୀ ଓ ବଲାଙ୍ଗିର ଜିଲ୍ଲା ସଂଯୋଜକ ଭବାନୀଶଙ୍କର ଶତପଥିଙ୍କ ନେତୃତ୍ୱରେ ଯାଇଥିବା ଏହି କମିଟିରେ ଜିଲ୍ଲା ଓକିଲ ସଂଘର ସଭାପତି ଅମ୍ବରିଶ ତ୍ରିପାଠୀ, ବଲାଙ୍ଗିର ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ଏକ୍ସନ କମିଟିର ଉପସଭାପତି ସୁଶାନ୍ତ ପଟ୍ଟନାୟକ(ମୁନା), ପ୍ରମୋଦ ସାହୁ, ରବି ଖମାରୀ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଚିତ୍ତରଂଜନ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଆଲୋଚନାରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ, ରାଜ୍ୟ ସରକାର ଏହି ରେଳପଥ ନିର୍ମାଣ ନେଇ ସବୁବେଳେ ତତ୍ପରତା ଦେଖାଇ ଆସିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟ ସରକାର ରେଳପଥ ପାଇଁ ହୋଇଥିବା ଚୁକ୍ତି ମୁତାବକ ୫୦% ଖର୍ଚ୍ଚ ବହନ କରିସାରିଥିବା ସହିତ ୮କି.ମି ଟନେଲ ପାଇଁ ହେବାକୁ ଥିବା ଖର୍ଚ୍ଚର ମଧ୍ୟ ୫୦% ବହନ କରିବାକୁ ସମ୍ମତି ଦିଆଯାଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କ ବିଭାଗ ପ୍ରକଳ୍ପରେ ଯାଉଥିବା ଜଙ୍ଗଲ ଜମିର ପରିବେଶ ମଞ୍ଜୁରୀ ନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ଦଶପଲ୍ଲା ଅଞ୍ଚଳରେ ପଡୁଥିବା ବନ୍ୟଜନ୍ତୁ ସଂରକ୍ଷଣ ଅଞ୍ଚଳ ପାଇଁ କେନ୍ଦ୍ର ଅନୁମତି ଦେଉନାହିଁ । ଏହାର ତର୍ଜମା କରାଯିବ ଓ ଆଉ ଥରେ ଏନେଇ ପ୍ରସ୍ତାବ ପଠାଯିବ ବୋଲି କହିଥିଲେ । ଏହା ସହିତ ସୋନପୁର ଜିଲ୍ଲା ସହ ବୌଦ୍ଧ ଜିଲ୍ଲାର ଚାରିଛକ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯାଇ ରେଳ ବିଭାଗକୁ ଦିଆଯାଇସାରିଛି । ତଥାପି ରେଳ ବିଭାଗ କାମ ଅଗ୍ରଗତି କରାଇ ପାରୁନି । ସମସ୍ତ ବ୍ରିଜ ଓ ଚାରିଛକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ସହ ଜଙ୍ଗଲ ଜମିର ପରିବେଶ ମଞ୍ଜୁରୀ ନେଇ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଠିକ ସେହିପରି ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ, ଦଶହରା ଛୁଟିପରେ ରେଳପଥର ରାଜ୍ୟ ସଂଯୋଜକ ଥିବା ଅତିରିକ୍ତ ଶାସନ ସଚିବ ଓ ରେଳ ବିଭାଗର ଜିଏମଙ୍କୁ ଡାକି ଭୁବନେଶ୍ୱରରେ ଆଲୋଚନା କରାଯିବ ବୋଲି କହିଥିଲେ । ସମସ୍ୟାଗୁଡିକ ବିଷୟରେ ଆଲୋଚନା ହେଲେ ତାହାର ନିଶ୍ଚୟ ନିସ୍କର୍ଷ ବାହାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।

Leave A Reply

Your email address will not be published.

error: Content is protected !!