ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଝାରସୁଗୁଡ଼ା : ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବା ଓ ସେମାନଙ୍କ ହାତ ପାହାନ୍ତାରେ ପୁସ୍ତକ ଓ ପତ୍ର ପତ୍ରିକା ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ବରଗଡ଼ର ‘ଶିଶୁଶ୍ରୀ’ ଭ୍ରାମ୍ୟମାଣ ପାଠାଗାର ଆନୁକୂଲ୍ୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲା ସର୍ ବାହାଲ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଡକ୍ଟର ସରୋଜ କୁଅଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଅନନ୍ତ ରାମ ସାହୁ, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ତପନ କୁମାର ବାରିକ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ସୁବ୍ରତ କୁମାର ତ୍ରିପାଠୀ ଓ ସାହିତ୍ୟିକ ଅକ୍ଷୟ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମନୁଷ୍ୟକୁ ସହାନୁଭୂତି ସମ୍ପନ୍ନ କରିବା ସହ ମଣିଷ ଭିତରେ ମଣିଷ ପଣିଆ ଭରି ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଛାତ୍ରଛାତ୍ରୀମାନେ ପାଠାଗାର ସହ ସମ୍ପର୍କ ଯୋଡି ପୁସ୍ତକ ମନସ୍କ ହୋଇ ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇ ନଅଟି ଜିଲ୍ଲା ପରିକ୍ରମା ସାରି ଦଶମ ଜିଲ୍ଲା ଭାବେ ଝାରସୁଗୁଡ଼ାରେ ପହଞ୍ଚି ଥିବା କଥା ଉଲ୍ଲେଖ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପୁସ୍ତକ ସବୁରୁ ନିଜର ପସନ୍ଦ ମୁତାବକ ପୁସ୍ତକ ପାଠକରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ଜସ୍ମିନ ଭୂୟାଁ, ବୈଷ୍ଣବୀ ତ୍ରିପାଠୀ ଓ ବିଶ୍ୱରଂଜନ ଦଳାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଆବାହକ ଡକ୍ଟର ସାହୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବିଜୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!