ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ ୧୦ ଜଣିଆ ପ୍ରତିନିଧି ମଣ୍ଡଳ ସଭାନେତ୍ରୀ ରଚନା ସିଂଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତକାର କରିଥିବା ସମୟରେ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା ସମାଧାନ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ନବନିର୍ବାଚିତ ସଦସ୍ୟ ଓ ସଦସ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଆଲୋଚନା ହୋଇଥିବା ବିଷୟ ଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସଂଘର ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ଅନ୍ୟ ଶିକ୍ଷା ଅଧିକାରୀମାନଙ୍କ ସହିତ ସାକ୍ଷାତକାର କରି ସଂଘର ଦାବୀ ଓ ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ମାସ ୨୪ ତାରିଖରେ ଜମନକିରା ବ୍ଲକର କଦଳୀପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ସମ୍ବଲପୁର ଜିଲ୍ଲା ସଂଘର ନିର୍ବାଚନରେ ରାଜ୍ୟ ସଙ୍ଗଠନ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ଉପସ୍ଥିତ ରହି ସମସ୍ତ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ବିଧିରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଜିଲ୍ଲାର ୯ଟି ବ୍ଲକର ସଦସ୍ୟ ଓ ସଦସ୍ୟାମାନେ ଭାଗ ନେଇଥିଲେ । ତେବେ କିଛି ସ୍ୱାର୍ଥପର ସଦସ୍ୟ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରି ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅପପ୍ରଚାର ଅଟେ । ଏଣୁ ସମ୍ବଲପୁର ଜିଲ୍ଲା ଶିକ୍ଷକ ସଂଘ ଏହାର ଦୃଢ଼ତାର ସହିତ ପ୍ରତିବାଦ କରୁଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.