ଶୁଭାରମ୍ଭ ହେଲା କରୋନା ସଚେତନତା ରଥ

ଲୋଇସିଂହା,(ବିମଳେନ୍ଦୁ ସାହୁ) : ମହାମାରୀ କରୋନା ଯୋଗୁ ବଲାଙ୍ଗୀର, ବରଗଡ ଓ ନୂଆପଡ଼ା ଜିଲାର ହଜାର ହଜାର ପ୍ରବାସୀ ଶ୍ରମିକ ଜୀବନ ଜୀବିକା ହରାଇଛନ୍ତି । ସେହି ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପ୍ରଦତ୍ତ ଯୋଜନାରେ କାମ କରି ରୋଜଗାର ହାସଲ କରି ସୁରକ୍ଷିତ ରହି ପାରିବେ । ସେ ନେଇ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଛି କରୋନା ସଚେତନତା ରଥ । ଲୋଇସିଂହା ଥାନା ଆଗଲପୁର ବ୍ଲକରୁ ଏହି ରଥ ପରିକ୍ରମା ଆରମ୍ଭ ହୋଇଛି । ଆଗଲପୁର ବିଡିଓ ଭୂବନ ଶତପଥୀ ଓ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରି ସଫଲତା କାମନା କରିଥିଲେ ।

ଆଗଲପୁର ବ୍ଲକ୍ ଏଡ.ଏଟ ଏକ୍ସନର ସହାୟତା ଓ ନଅଗାଁ(ଖ) ପଲ୍ଲୀ ଆଲୋକ ପାଠାଗାର ଉଦ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ କରୋନା ସଚେତନତା ରଥ ବାହାରିଛି । ବିଭିନ୍ନ ରାଜ୍ୟରୁ ବଲାଙ୍ଗୀର, ବରଗଡ ଓ ନୂଆପଡା ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନେ ଏଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଯୋଜନାରେ କାମ କରି ରୋଜଗାରକ୍ଷମ ହୋଇ ପରିବାର ଚଲାଇବା ସହିତ ଘରୋଇ ହିଂସାରୁ ମୁକ୍ତ ହୋଇ ସରକାରଙ୍କ ଦ୍ୱାରା କରାଯାଉଥିବା କାମରେ ଅଂଶୀଦାର ହୋଇପାରିବେ ସେ ଦିଗରେ ପ୍ରବାସୀ ଶ୍ରମିକମାନଙ୍କୁ ଉକ୍ତ ରଥ ସଚେତନତା ସୃଷ୍ଟି କରିବ ।

ରାଜ୍ୟ ବାହାରେ କେତେ ପ୍ରବାସୀ ଶ୍ରମିକ ଅଛନ୍ତି ଓ ଫେରିଛନ୍ତି ତାହାର ତଥ୍ୟ ମଧ୍ୟ ସଂଗ୍ରହ ଏହି ରଥ ଜରିଆରେ କରାଯିବ । ସରକାରୀ ଯୋଜନା ସହିତ ଯୋଡିବା ପାଇଁ ପଶ୍ଚିମ ଓଡିଶାର ଲକ୍ଷାଧିକ ଶ୍ରମିକ ମାନଙ୍କ ସକାଶେ ଏହି ସଚେତନତା ରଥ ଜରିଆରେ ପ୍ରୟାସ କରାଯାଉଥିବା ପ୍ରକାଶ କରିଛନ୍ତି ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ।

Leave A Reply

Your email address will not be published.