ଜୁହାର ପରିବାର ଦିଲ୍ଲୀର ୨୨ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର : ପ୍ରବାସୀ ଓଡିଆଙ୍କ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାରର ଦିଲ୍ଲୀର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରବିବାର ସ୍ଥାନୀୟ ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ, ମା’ ସୁରେଶ୍ୱରୀ, ମା’ ମାଣିକେଶ୍ୱରୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୀପ ଓ ଧୂପ ପ୍ରଜ୍ୱଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉଦ୍ଭିଦ ଜୈବ ପ୍ରଦ୍ୟୋଗିକ ସଂସ୍ଥାନ ନେସନାଲ ଇନଷ୍ଟିଟ୍ୟୁଟ ଅଫ ପ୍ଲାନ୍ଟ ବାଇଟେକ୍‌ନୋଲୋଜିର ନିର୍ଦ୍ଦେଶକ ଡ. ଅଜିତ କୁମାର ଶାସନୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ଓଡିଶାରେ ଅରୋରମା ଭ୍ୟାଲି ହେବାର ଅନେକ ସମ୍ଭାବନା ରହିଛି । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଆଦି ସ୍ଥାନରେ ଅରୋରମା ଗଛ ଗୁଡିକର ସଫଳତାର ସହିତ ଚାଷ କରାଯାଉଛି ବୋଲି ମୁଖ୍ୟ ବକ୍ତା ଡ. ଶାସନୀ କହିଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଡ. ଭବାନୀ ଦୀକ୍ଷିତ କହିଥିଲେ ଯେ, ବର୍ତ୍ତମାନ ସମୟରେ କୃଷିରେ ବିବିଧକରଣର ଆବଶ୍ୟକତା ରହିଛି । ଜୁହାର ପରିବାରର ସଦସ୍ୟ ଅନୁପମ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ବାସୁଦେବ ତ୍ରିପାଠୀ, ବରିଷ୍ଠ ସଦସ୍ୟ ବିଜୟାନନ୍ଦ ନାୟକ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆଁଖାଇ ସମ୍ପର୍କିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଜୁହାର ପରିବାର ଦିଲ୍ଲୀର ଆୟୋଜିତ ନୂଆଁଖାଇ ପର୍ବ ୨୦୨୨ରେ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶତାଧିକ ସଦସ୍ୟ ଓ ସଦସ୍ୟା ସାମିଲ ହୋଇ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ ।

Leave A Reply

Your email address will not be published.