ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ‘ସ୍ମୃତିର ବେଳାଭୂମିରୁ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍ ତଥା ଗାଳ୍ପିକା ମଞ୍ଜୁଳା ରଥଙ୍କ ଅଷ୍ଟମ ଗଳ୍ପ ସଂକଳନ ‘ ସ୍ମୃତିର ବେଳାଭୂମିରୁ ‘ ସେକ୍ଟର ୭ସ୍ଥିତ ଇସ୍ପାତ ସାହିତ୍ୟ ସଂସଦଠାରେ ଉନ୍ମୋଚିତ ହୋଇଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି, କବି ରାଜୀବ ପାଣି ମୁଖ୍ୟ ବକ୍ତା ତଥା ପୁସ୍ତକର ସମୀକ୍ଷକ ଓ ସମ୍ମାନିତ ଅତିଥି ଭାବେ ରଶ୍ମିବାଳା ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ପୁସ୍ତକକୁ ସମୀକ୍ଷା କରି ସମୀକ୍ଷକ ଶ୍ରୀ ପାଣି କହିଥିଲେ ଯେ, ଗଳ୍ପ ଗୁଡିକରେ ସାମାଜିକ ପ୍ରତିବଦ୍ଧତା ଓ ଅଙ୍ଗେନିଭା କଥାକୁ ଗାଳ୍ପିକା ଅତି ସୁନ୍ଦର ଭାବେ ଚିତ୍ରଣ କରିଥିବାରୁ ତାହା ପାଠକୀୟ ଆଦୃତି ଲାଭ କରିବ । ଏହା ସହ ଦମ୍ପତିଙ୍କ ମଧ୍ୟରେ ଥିବା ପରସ୍ପର ମଧ୍ୟରେ ବିଶ୍ୱାସ, ଭଲ ପାଇବା ଓ ଅନାବିଳ ପ୍ରେମର ନିଛକ ଚିତ୍ରଣ ଗଳ୍ପଗୁଡିକୁ ଗତିଶୀଳ କରାଇଛି ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ କହିଥିଲେ ଯେ, ଲେଖକମାନେ ସାମାଜିକ ପ୍ରତିବଦ୍ଧତା ନେଇ ଲେଖିଲେ ତାହା ପାଠକୀୟ ଆଦୃତି ଲାଭ କରିବ । ସେଥିପାଇଁ ଲେଖକମାନେ ସମାଜର ଚିତ୍ରକୁ ସଠିକ ଭାବେ ରୂପାୟନ କରିବା ଦରକାର । ସମ୍ମାନିତ ଅତିଥି ଶ୍ରୀମତୀ ରାଉତରାୟ ପୁସ୍ତକଟି ପାଠକ ମହଲରେ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଲେଖିକା ଶ୍ରୀମତୀ ରଥ ନିଜ ପୁସ୍ତକ ସଂପର୍କରେ କହିବା ସହ ଏହାର ଶ୍ରେୟ ପରିବାର ବର୍ଗକୁ ଦେଇଥିଲେ । କବି ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ଉପସଭାପତି ଖଗେନ୍ଦ୍ର ବେହେରାଙ୍କ ସଭାପତିତ୍ୱ ଓ ଗୌତମ ଦାସ ତଥା ସୁମିତ୍ରା ବାରିକଙ୍କ ସଂଯୋଜନାରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, କବି, ଗାଳ୍ପିକ, ସମାଲୋଚକ, ଶିକ୍ଷାବିତ୍ ଓ ଶ୍ରୀମତୀ ରଥଙ୍କ ପରିବାର ବର୍ଗ ଯୋଗ ଦେଇଥିବା ବେଳେ ବ୍ୟଙ୍ଗକବି ବ୍ରଜବିହାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.