ବଡ ଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ଅଭିଯୋଗ

ପାତ୍ରପୁର : ଜରଡା ଥାନା ତୁମ୍ବା ପଞ୍ଚାୟତ ଗୁଜୁଲିଙ୍ଗି ଆଦିବାସୀ ଗ୍ରାମରେ ବଡ ଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅତି ନୃସଂଶ ଭାବରେ କଟୁରୀରେ ହାଣି ହାଣି ଭାଇକୁ ହତ୍ୟା କରିଛି ଭାଇ । ହତ୍ୟାର ଶିକାର ହୋଇ ଥିବା ବ୍ୟକ୍ତି ଜଣକ କାର୍ତ୍ତିକ କାର୍ଜି(୩୫) ବୋଲି ଜଣାପଡ଼ିଛି । ଏନେଇ ଖବର ପାଇବା ପରେ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ ଭାଇ ଅସିନା କାର୍ଜିକୁ ଅଟକ ରଖିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାଙ୍କ ଭାଣିଜୀ ଜ୍ୱାଇଁ ପିଙ୍କୁ ନାୟକ ଏନେଇ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତ ଜଣକ ଗତ ତିନି ଚାରି ଦିନ ଧରି ଏକ କଟୁରୀ ଧରି ବୁଲିବା ସହ ଭାଇକୁ ହତ୍ୟା କରିବା ପାଇଁ ଧମକ ଦେଉଥିଲା । ଗତକାଲି ମଝିଆ ଭାଇ ଜଣକ ଶୋଇଥିବା ବେଳେ କଟୁରୀ ସାହାଯ୍ୟରେ ଅତି ନୃସଂଶ ଭାବେ ବାରମ୍ବାର ଆକ୍ରମଣ କରିଥିଲା ବଡ଼ଭାଇ । ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପୂର୍ବରୁ ଉଭୟଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଭାଇ ଅଲଗା ରହି ଆସୁଥିଲେ । ଗତ କିଛିବର୍ଷ ହେଲା ବଡ ଭାଇଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଗ୍ରାମର ଲୋକମାନେ କହିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛି ।

Leave A Reply

Your email address will not be published.

error: Content is protected !!