ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଗତକାଲି ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରି ଥିବା ପଦ୍ମପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨ ଲକ୍ଷ ଟଙ୍କା ପୁରସ୍କୃତ କରାଯିବା ସହ ଟ୍ରଫି ଓ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଡାକ୍ତର ଆଦିତ୍ୟ କୁମାର ଭୋଇ, ଡାକ୍ତର ଦେବାଶିଷ ରଥ ଓ କର୍ମଚାରୀଙ୍କ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ବିଜେପୁର ପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦ୍ୱିତୀୟ ଶ୍ରେଷ୍ଠ କାୟାକଳ୍ପ ପୁରସ୍କାର କ୍ରମେ ୧ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ବରଗଡ଼ ସହରାଞ୍ଚଳ ହାଟପଦା ସ୍ଥିତ ଏମ୍ଏମ୍‌ସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟର ଫାଷ୍ଟ ରନର୍ସ ଅଫ୍ ପୁରସ୍କାର ବାବଦକୁ ଦେଢ଼ ଲକ୍ଷ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ନୁପୁର ପାଢ଼ୀ ତାଙ୍କ ସହକର୍ମୀମାନଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାର ୩୪ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ସେବା ଓ ସ୍ୱଚ୍ଛ ପରିବେଶ ପାଇଁ ଜିଲ୍ଲାପାଳ ସମର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ କାୟାକଳ୍ପ ପୁରସ୍କାର ଡାକ୍ତରଖାନାର ସ୍ୱଚ୍ଛତା, ସେବାର ଗୁଣବତ୍ତା ସହ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ନେଇ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.