ଅଗଷ୍ଟ ୯ରୁ ଆରମ୍ଭ ହେବ ବଲାଙ୍ଗିର କ୍ରାନ୍ତି ଦିବସ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗିର ଜିଲାର ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଆସନ୍ତା ଅଗଷ୍ଟ ୯ରୁ ସେପ୍ଟେମ୍ବର ୯ ତାରିଖ ଏକମାସ ବ୍ୟାପୀ ବଲାଙ୍ଗିର କ୍ରାନ୍ତି ଦିବସ ଉତ୍ସବ ପାଳନ କରାଯିବ । ବଲାଙ୍ଗିରର ବିଭିନ୍ନ ବୈଚାରିକ, ସାମାଜିକ, ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଙ୍କୁ ନେଇ ବଲାଙ୍ଗିର କ୍ରାନ୍ତି ଦିବସ କମିଟି ଗଠନ କରାଯାଇ ଏସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ରାନ୍ତି ଦିବସ କମିଟି ସଭାପତି ଐତିହାସିକ ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବଲାଙ୍ଗିର ଜିଲାର ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ନିଷ୍ପତ୍ତି ନିଆଯାଇଛି । ବିଟ୍ରିଶରାଜ୍‌ ବିରୁଦ୍ଧରେ ଐତିହାସିକ ସିପାହୀ ବିଦ୍ରୋହ ପ୍ରସ୍ତୁତିରେ ଓଡିଶାର କନ୍ଧମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ କଳାହାଣ୍ଡି ଓ ପୂର୍ବତନ ପାଟଣା (ଅଧୁନାତନ ବଲାଙ୍ଗିର ଜିଲା)ର କନ୍ଧମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଘୁମସର କନ୍ଧ ବିଦ୍ରୋହର ଅଗ୍ରଣୀ ସେନାନୀ ଚକରା ବିଶୋଇଙ୍କ ସହ ବଲାଙ୍ଗିର ଜିଲା ଆଟଗାଁ ଜମିଦାର ଧରମ ସିଂ ମାଝି ମାନ୍ଧତାଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଉପନିବେଶବାଦ୍‌ ଓ ସାମ୍ରାଜ୍ୟବାଦ୍‌, ଶୋଷଣ, କଷଣ ବିରୁଦ୍ଧରେ ବଲାଙ୍ଗିର-ପାଟଣାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସକ୍ରିୟ ଯୋଗଦାନ କରିଥିଲେ । ୧୯୩୮ ମସିହା ସେପ୍ଟେମ୍ବର ମାସରେ ବଲାଙ୍ଗିରରେ ବିଶାଳ କୃଷକ ସମାବେଶ ଏହି ପର୍ଯ୍ୟାୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାକ୍ରମ । ଏହାସତ୍ତେ୍ୱ ବଲାଙ୍ଗିର ଜିଲାର ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀ ମାନଙ୍କୁ ଉଚିତ୍‌ ମର୍ଯ୍ୟାଦା ମିଳିନାହିଁ । ସ୍ୱାଧୀନତା ସଂଗ୍ରାମର ଏହି ଅନାଲୋଚିତ ଅଧ୍ୟାୟ, ଐତିହାସିକ ଘଟଣାକ୍ରମକୁ ପୁଣି ଥରେ ଉଜାଗର କରିବା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଗାମୀ ଅଗଷ୍ଟ ୯ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ବଲାଙ୍ଗିର ଓ ଚୁଡାପାଲି ଠାରେ କ୍ରାନ୍ତି ଦିବସ ଉତ୍ସବ ପାଳନ କରାଯିବ । ଅଗଷ୍ଟ ୯ ତାରିଖ ଦିନ ବଲାଙ୍ଗିର ସହରରେ ଏକ ବିଶାଳ ମୋଟର ସାଇକଲ ରାଲି ଅନୁଷ୍ଠିତ ହେବ । ସହରର ବିଭିନ୍ନ ସ୍କୁଲ, କଲେଜରେ ଜିଲାର ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀ ମାନଙ୍କ ଉପରେ ବକ୍ତୃତା, କୁଇଜ୍‌, ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ । ଏହା ବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ କରାଯିବ । ୧୯୩୮ ମସିହା ସେପ୍ଟେମ୍ବର ମାସରେ ଐତିହାସିକ କୃଷକ ସମାବେଶ ଓ ରାଲି ହୋଇଥିôବାରୁ ସେପ୍ଟେମ୍ବର ୯ ତାରିଖ ଦିନ ଚୁଡାପାଲିରୁ ବଲାଙ୍ଗିର ସହରକୁ ୨୨ କିଲୋମିଟର ଦୂର ବିଶାଳ ମୋଟର ସାଇକଲ ରାଲି ପରିକ୍ରମା କରିବ । ଉକ୍ତ ଦିନ ବଲାଙ୍ଗିର ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ସଂଗ୍ରାମ ଗାଥା ସଂକଳନ ଉନ୍ମୋଚିତ ହେବ । ଐତିହାସିକ ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ସଂକଳନରେ ଏହି ବହି କାମ ଚାଲିଛି । ଜିଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସମ୍ପର୍କରେ ପ୍ରାମାଣିକ ତଥ୍ୟ ସଂଲଗ୍ନ ସୂଚନା ଓ ଘଟଣାକ୍ରମ ବିଷୟରେ ସୂଚନା ଦେଲେ ଉକ୍ତ ବହିରେ ସନ୍ନିବେଶିତ କରାଯିବ ବୋଲି ଡ. ଶ୍ରୀ ନନ୍ଦ କହିଛନ୍ତି । ଏଦିଗରେ ଅଧିକ ସୂଚନା ଦେବାକୁ ସେ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି । ବଲାଙ୍ଗିର କ୍ରାନ୍ତି ଦିବସ କମିଟିରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ଙ୍କ ସହ ବଲାଙ୍ଗିର ନାଗରିକ କମିଟି, ଆକ୍ସନ କମିଟି, ଭୂମିକା, ରୋଟାରୀ କ୍ଳବ୍‌ ଅଫ୍‌ ଇଲାଇଟ୍‌, ୟୁଥ୍‌ ଆକ୍ସନ କମିଟି, ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ୍‌, ମାହେଶ୍ୱରୀ, ବଲାଙ୍ଗିର ସବୁଜ ବାହିନୀ, ସ୍ରୋତସ୍ୱତୀ, ସ୍ମୃତିବିନ୍ଦୁ ଫାଉଣ୍ଡେସନ୍‌ ଓ ଅନ୍ୟାନ୍ୟ ଅନୁଷ୍ଠାନ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.

4 × 3 =