ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସିଡିଏମ୍‌ଓ ଅଫିସକୁ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ପ୍ରବଳ ଗ୍ରୀଷ୍ମରେ ଆସିଥିବା ଅନେକ ହିତାଧିକାରୀ ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପ୍ରତିମାସ ୩ ତାରିଖରେ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ବହୁ ହିତାଧିକାରୀ ସରକାରୀ ଡାକ୍ତରଖାନାକୁ ଆସୁଥିବା ବେଳେ ଲୋକଙ୍କ ବିନା ସୂଚନାରେ ୧ ତାରିଖରେ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ତାରିଖ ଧାର୍ଯ୍ୟ କରିଥିବାରୁ ଆଜି ଅନେକ ହିତାଧିକାରୀ ପ୍ରବଳ ଖରାରେ ବହୁ କଷ୍ଟରେ ଡାକ୍ତରଖାନାକୁ ଆସି ପୁଣି ଫେରିଥିବା ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବରଗଡ଼ ଦେଓଗାଁ ଚଣ୍ଡିପାଲିର ୬୦ ବର୍ଷର ବୃଦ୍ଧ ଦୟା ଭୁଏ ଦୀର୍ଘ ୧୦ ବର୍ଷ ହେଲା ବିକଳାଙ୍ଗ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଏପରିକି ତାଙ୍କର ସ୍ତ୍ରୀ ମଧ୍ୟ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ଅଟନ୍ତି । ହେଲେ ନା ପାଉଛନ୍ତି ଭତ୍ତା ନା କୌଣସି ସରକାରୀ ସୁବିଧା । କାରଣ ହେଲା ତାଙ୍କ ପାଖରେ ବିକଳାଙ୍ଗ ପ୍ରମାଣ ପତ୍ର ନାହିଁ । ବିକଳାଙ୍ଗ ପ୍ରମାଣ ପତ୍ର ଖଣ୍ଡିକ ପାଇଁ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଗରୁ ଦୁଇ ଦୁଇଥର ଦୀର୍ଘ ୭ କିଲୋ ମିଟର ଦୁରରୁ ଆସି ଫେରିଯାଇଥିବା ବେଳେ ଆଜି ମଧ୍ୟ ଆସି ପ୍ରମାଣ ପତ୍ର ନପାଇ ଫେରିଯାଇଛନ୍ତି ଦୟା ଭୁଏ । କାରଣ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତ୍ୟକ ମାସ ୧ ତାରିଖରେ ବିକଳାଙ୍ଗ ପ୍ରମାଣ ପତ୍ର ପାଇବାକୁ କାଗଜପତ୍ର ତଥା ଡାକ୍ତରୀ ଯାଞ୍ଚ ହୋଇଥାଏ । ମାତ୍ର କେଉଁ ମାସରେ ଏହାକୁ ୧ ତାରିଖରେ କରାଯାଉଥିବା ବେଳେ କେଉଁ ମାସ ୩ ତାରିଖରେ କରୁଛନ୍ତି ଏଣୁ ରୋଗୀ ଖବର ନପାଇ ଦୂର ଦୁରନ୍ତାରୁ ଆସି ହଇରାଣ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଚଳିତ ମାସ ୩ ତାରିଖରେ ଆସିବାକୁ ଦୟା ଭୋଇଙ୍କୁ କୁହାଯାଇଥିବା ବେଳେ ଆଜି ସକାଳ ୯ଟା ସମୟରେ ସେ ନିଜେ ତିନି ଚକିଆ ସାଇକେଲ ସାହାଯ୍ୟରେ ଚିକିତ୍ସାଳୟକୁ ପହଞ୍ଚି ଥିଲେ ମାତ୍ର ଏଠାରେ ତାଙ୍କୁ ନିରୁତ୍ସାହିତ ହେବାକୁ ପଡିଥିଲା କାରଣ ଚଳିତ ମାସ ୧ତାରିଖରେ ଡାକ୍ତରୀ ଯାଞ୍ଚ ସରିଯାଇଛି । ତେବେ ଡାକ୍ତରଙ୍କ ଯେଉଁ ଦିନ ସୁବିଧା ହେବ ସେଦିନ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ଯାଞ୍ଚ ପ୍ରକ୍ରିୟା ରଖାଯାଉଥିବା ବେଳେ ଏପରି କରାନଯାଇ ପୂର୍ବ ପରି ଗୋଟେ ତାରିଖରେ ସ୍ଥାୟୀ ରଖାଯିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.