oom

ସହର ସାରା ମାଳ ମାଳ ବୁଲା କୁକୁର : ଝୁଣି ଖାଇ ଦେଉଛନ୍ତି କଅଁଳା ବାଛୁରୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସହର ସାରା ମାଳ ମାଳ ବୁଲା କୁକୁର । ଏକ କଅଁଳା ବାଛୁରୀକୁ ବୁଲା କୁକୁରମାନେ ଝୁଣି ଖାଇ ଦେଇଥିବା ଭଳି ଏକ ଦୁଃଖଦ ଖବର ମିଳିଛି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ସ୍ଥାନୀୟ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଆଡ଼କୁ ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ରହିଥିବା ବିଲ ଭିତରେ ଦିନ ଦି’ପହର ସମୟରେ ଏକ ଗାଈ ଛୁଆ ଜନ୍ମ କରୁଥିବା ବେଳେ ପ୍ରାୟ ୧୨ରୁ ଅଧିକ ବୁଲା କୁକୁର ରୁଣ୍ଡ ହୋଇ ନବଜନ୍ମିତ କଅଁଳା ବାଛୁରୀକୁ ଝୁଣି ଖାଇ ଦେଇଥିଲେ । ବୁଲା କୁକୁରମାନେ ଏତେ ଆକ୍ରମକ ଥିଲେ ଯେ ମାତ୍ର ଅଧ ଘଣ୍ଟା ଭିତରେ ନବଜନ୍ମିତ ବାଛୁରୀର ଆଉ ଚିହ୍ନବର୍ଣ୍ଣ ଛାଡ଼ି ନଥିବା ଆଲୋଚନା ହେଉଛି । ତେବେ ବୁଲା କୁକୁରମାନଙ୍କ ଦୌରାତ୍ମ୍ୟ ସହରରେ ଦିନକୁ ଦିନ ବଢ଼ୁଥିବା ବେଳେ ବୁଲା କୁକୁରଙ୍କ ମୁହଁରେ ନବଜନ୍ମିତ ମୃତ ଶିଶୁଙ୍କ ଶବକୁ ନେଇ ମଧ୍ୟ ଅନେକ ସମୟରେ ସହରରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଦିନକୁ ଦିନ ଅସମ୍ଭାଳ ଭାବରେ ବଢ଼ି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଉଚିତ୍‌ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ବର୍ଷ ତଳେ ବୁଲା କୁକୁରଙ୍କ ବଂଶବୃଦ୍ଧିକୁ ରୋକିବା ପାଇଁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ଏକ ‘ଆନିମଲ୍‌ ବାର୍ଥ କଂଟ୍ରୋଲ’ ବିଲ୍‌ଡ଼ିଂ ବଲାଙ୍ଗିର ପୌରପାଳିକା ପକ୍ଷରୁ ତିଆରି ହୋଇଥିଲେ ମଧ୍ୟ ତାହା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗକୁ ହସ୍ତାନ୍ତର ହୋଇନାହିଁ ଏବଂ ଏଥିପାଇଁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇନାହିଁ । ତେବେ ଏହି ‘ଆନିମଲ୍‌ ବାର୍ଥ କଂଟ୍ରୋଲ’ ସେଂଟର୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇ ବୁଲା କୁକୁରମାନଙ୍କ ଅସମ୍ଭାଳ ବଂଶବୃଦ୍ଧି ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.