csstore

ମେ ୩୦ ତାରିଖରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩୦ ତାରିଖ ୨୦୨୨ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୃତ୍ତି ଅର୍ଥ ହସ୍ତାନ୍ତର କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଏକ ଜମା ଖାତା, ଏବଂ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏକ ହେଲଥ୍‌ କାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯିବ ।
୧୧ ମାର୍ଚ୍ଚ ୨୦୨୦ରୁ ୨୮ ଫେବୃଆରୀ ୨୦୨୨ ମଧ୍ୟରେ କୋଭିଡ-୧୯ ମହାମାରୀ କାରଣରୁ ଉଭୟ ମାତାପିତା, କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ମାତାପିତା କିମ୍ବା ଜୀବିତ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଶୁଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ବିସ୍ତୃତ ଯତ୍ନ ଏବଂ ସୁରକ୍ଷା ଯୋଗାଇ ଦେବା । ସେମାନଙ୍କୁ ଆବାସିକ ସୁବିଧା ଦେବା, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଏବଂ ସ୍ବାସ୍ଥ୍ୟ ବୀମା ଜରିଆରେ ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଲାଗି ଯୋଜନାରେ ପରିକଳ୍ପନା କରାଯାଇଛି । ଯୋଜନାର ସୁବିଧା ପାଇବା ଲାଗି ଚାହୁଁଥିବା ପିଲାମାନଙ୍କ ପଞ୍ଜୀକରଣ ପାଇଁ pmcaresforchildren.in ନାମକ ଏକ ପୋର୍ଟାଲ ପୂର୍ବରୁ ଖୋଲାଯାଇ ସାରିଛି । ଏହି ପୋର୍ଟାଲରେ ଏକ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ରହିଛି, ଯେଉଁଥିରେ ମଞ୍ଜୁରି ପ୍ରକ୍ରିୟା ସହିତ ପିଲାମାନଙ୍କୁ ଅନ୍ୟ ସବୁ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି ।

jayashree
Leave A Reply

Your email address will not be published.