pakka

ଓଡ଼ିଶାର ପିଏମ କିସାନ୍ ହିତାଧିକାରୀ, ନରେଗା ଶ୍ରମିକ ଓ ଜୈବିକ ଚାଷୀଙ୍କୁ ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ

bbehera

• ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି

ଦିଲ୍ଲୀ, (ପିଆଇବି) : ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ପ୍ରାୟ ୧,୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ସମାରୋହରେ ଏସବୁ ସ୍ୱତନ୍ତ୍ର ଅତିଥିମାନଙ୍କୁ ଦେଖିବାକୁ ମିଳିବ । ବିଶେଷ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ତଥା ସମାଜର ବିଭିନ୍ନ ବର୍ଗର ଜନସାଧାରଣ ।
ଓଡ଼ିଶାରୁ ଏମିତି ଜଣେ ହିତାଧିକାରୀ ହେଉଛନ୍ତି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗ୍ରାମର ଯୁବରାଜ ଛତ୍ରିଆ। ସମୁଦ୍ର ପତ୍ତନଠାରୁ ପ୍ରାୟ ୩ହଜାର ଫୁଟ ଉଚ୍ଚତାରେ ଥିବା ସୁନାବେଡ଼ା ଅଭୟାରଣ୍ୟର ଘଞ୍ଚ ବନାନୀରେ ବସବାସ କରନ୍ତି ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ । ଯୁବରାଜ ଏହି ସମ୍ପ୍ରଦାୟର ଜଣେ ଅଧିବାସୀ । ଆଦିମ ପରମ୍ପରା ଓ ପ୍ରଥାକୁ ମାନି ସେମାନଙ୍କର ଜୀବନଶୈଳୀ ଆଧୁନିକ ସମାଜଠାରୁ ଯେତିକି ଭିନ୍ନ, ସେତିକି ଦୂର । ପ୍ରଧାନମନ୍ତ୍ରୀଙ୍କ କିଷାନନିଧି ଯୋଜନାରେ ବିଭିନ୍ନ କିସ୍ତିରେ ପାଇଥିବା ୨୮ ହଜାର ଟଙ୍କାରେ ସେ ନିଜ ଜମିରେ କ୍ଷୁଦ୍ର ଶସ୍ୟ-ମିଲେଟ୍ ଚାଷ କରୁଛନ୍ତି । ମିଲେଟ୍କୁ ଏବେ ଭାରତ ସମେତ ସାରା ବିଶ୍ବରେ ପ୍ରାଧାନ୍ୟ ଦିଆଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପାଇବା ପରେ ସୁନାବେଡ଼ା ଗ୍ରାମର ଯୁବରାଜ ଛତ୍ରିଆ ଏବଂ ତାଙ୍କ ପତ୍ନୀ ଆସମତି ଛତ୍ରିଆ ଦିଲ୍ଲୀ ଯାତ୍ରା କରୁଛନ୍ତି । ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଈଙ୍କ ପରମ୍ପରାରେ ବିଶ୍ବାସୀ ହୋଇଥିବାରୁ ଅଖ୍ୟାତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେମାନେ ଖାଲି ପାଦରେ ଯାତ୍ରା କରୁଛନ୍ତି । ଦିଲ୍ଲୀ ଯିବାପାଇଁ ଏହି ନିମନ୍ତ୍ରଣ ପାଇଥିବାରୁ ଯୁବରାଜ ଓ ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସେମିତି ଆଉ ଜଣେ ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିରଞ୍ଜି ଗ୍ରାମର ଜଣେ ଜବ୍କାର୍ଡଧାରୀ ଶ୍ରମିକ ଅକ୍ଷୟ ଜୟଫୁଲ । ପତ୍ନୀ ରେଣୁକା ରାଣୀ ମଧ୍ୟ ଜବ୍ କାର୍ଡଧାରୀ ଶ୍ରମିକ । ଚାନ୍ଦିଲି ଗ୍ରାମ ପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଖନନ କରାଯାଇଥିଲା ଏକ ଅମୃତ ସରୋବର । ମନରେଗା ଯୋଜନାରେ ଜବ୍କାର୍ଡଧାରୀ ଶ୍ରମିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ଅକ୍ଷୟ । ତେବେ ମିଶନ ଅମୃତ ସରୋବର ଯୋଜନାରେ କାର୍ଯ୍ୟ କରିବାରେ ତାଙ୍କର ନିଷ୍ଠା ଓ ସହଯୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚଳିତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବାଧୀନତା ଦିବସ ଉତ୍ସବରେ ଯୋଗ ଦେବାକୁ ଅକ୍ଷୟଙ୍କୁ ମିଳିଛି ଆମନ୍ତ୍ରଣ । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ମହାତ୍ମା ଗାନ୍ଧୀ ନରେଗା ଡିଭିଜନ ପକ୍ଷରୁ ସେ ବିଶେଷ ଭାବେ ଆମନ୍ତ୍ରିତ ହୋଇ ନିଜ ପତ୍ନୀ ରେଣୁକାଙ୍କ ସହ ଦିଲ୍ଲୀ ଯାତ୍ରା କରିଛନ୍ତି । ଜଣେ ଦିନମଜୁରିଆ ଭାବେ ଅମୃତ ସରୋବର ଯୋଜନାରେ ସାମିଲ ହୋଇ ନୂଆଦିଲ୍ଲୀକୁ ଆମନ୍ତ୍ରିତ ହେବାରେ ସେ ଆତ୍ମହରା ହୋଇ କେନ୍ଦ୍ର ସରକାରଙ୍କୁ ଆଶେଷ କୃତଜ୍ଞତା ଜଣାଇଛନ୍ତି । ଅକ୍ଷୟଙ୍କୁ ଏଭଳି ନିମନ୍ତ୍ରଣ ମିଳିଥିବାରୁ ତାଙ୍କ ପରିବାର ଏବଂ ଗ୍ରାମବାସୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାର ସନ୍ତୋଷିନୀ ମିଶ୍ର ଜଣେ ସଫଳ ଜୈବିକ ଚାଷୀ ଭାବେ ବେଶ୍ ପରିଚିତ । ଦୀର୍ଘ ୭ ବର୍ଷ ଧରି ସେ ନିଜର ୭ ଏକର ପରିମିତ ଚାଷ ଜମିରେ ଜୈବିକ ପ୍ରଣାଳୀରେ ସମନ୍ବିତ ଚାଷ କରି ଆସୁଛନ୍ତି । ନିଜ ଫସଲରେ ଜୀବାମୃତ ସହିତ ବୁନ୍ଦା ଜଳସେଚନର ବ୍ୟବସ୍ଥା କରି ସେ ପୋଟଳ, ବାଇଗଣ ଆଦି ପନିପରିବା ଉତ୍ପାଦନ କରୁଛନ୍ତି । ଉଭୟ ଖରିଫ ଓ ରବି ଋତୁରେ ପନିପରିବା ଚାଷ କରି ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ନିଜ କ୍ଷେତରୁ ଉତ୍ପାଦିତ ଫସଲକୁ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ବିକ୍ରୟ କରୁଛନ୍ତି । ତାଙ୍କ ଏହି ଜୈବିକ ଚାଷ ଅନ୍ୟଙ୍କୁ ପ୍ରେରଣା ଯୋଗାଇ ଆସୁଛି । ଚଳିତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବାଧୀନତା ଦିବସ ଉତ୍ସବରେ ଯୋଗ ଦେବାଲାଗି ସନ୍ତୋଷିନୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଛି ନିମନ୍ତ୍ରଣ । ଜଣେ ସଫଳ ଚାଷୀ ଭାବେ ସରକାରଙ୍କ ଏହି ସ୍ବୀକୃତି ଏବଂ ଆମନ୍ତ୍ରଣକୁ ଏକ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି ସନ୍ତୋଷିନୀ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

3 × three =