pakka

ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା ।

ଚନ୍ଦ୍ରହାସୋଜ୍ଜ୍ୱାଳକରା ଶାର୍‌ଦୁଳବରବାହନା ।
କାତ୍ୟାୟନୀ ଶୁଭଂ ଦତ୍ୟାଦ୍ଦେବୀ ଦାନବଘାତିନୀ । ।

ମାତା ଦୁର୍ଗାଙ୍କର ଷଷ୍ଠ ସ୍ୱରୂପର ନାମ ହେଉଛି କାତ୍ୟାୟନୀ । ଏହି ନାମ ପଛରେ ଏକ ବୃତ୍ତାନ୍ତ ରହିଛନ୍ତି । ‘କତ’ ନାମରେ ଜଣେ ପ୍ରସିଦ୍ଧ ମହର୍ଷି ଥିଲେ । ତାଙ୍କର ପୁତ୍ର ଋଷି କାତ୍ୟା ଥିଲେ । ସେହି କାତ୍ୟାଙ୍କ ଗୋତ୍ରରେ ବିଶ୍ୱପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମ ହୋଇଥିଲେ । ସେ ଭଗବତୀ ପରାତ୍ମାଙ୍କ ଉପାସନା କରି ବହୁ ବର୍ଷ ଘୋର ତପସ୍ୟାରେ ରତ ହୋଇଥିଲେ । ତାଙ୍କର ଇଚ୍ଛା ଥିଲା ଯେ ତାଙ୍କ ଘରେ ଭଗବତୀ ଝିଅ ହୋଇ ଜନ୍ମ ହୁଅନ୍ତୁ । ମାତା ଭକ୍ତଙ୍କର ସେହି ପ୍ରାର୍ଥନା ସ୍ୱୀକାର କରିଥିଲେ ।

କିଛି କାଳ ପରେ ପୃଥିବୀରେ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ବଢ଼ି ଚାଲିଲା, ସେତେବେଳେ ମହିଷାସୁରକୁ ବିନାଶ କରିବା ନିମନ୍ତେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ନିଜ ନିଜ ତେଜର ଅଂଶ ଦେଇ ଏକ ଦେବୀଙ୍କୁ ଉତ୍ପନ୍ନ କଲେ । ସର୍ବ ପ୍ରଥମେ ମହର୍ଷି କାତ୍ୟାୟନ ସେହି ଦେବୀଙ୍କୁ ପୂଜା କରିଥିଲେ, ମାତା ତାଙ୍କର କନ୍ୟା ରୂପେ ଜନ୍ମ ହୋଇ ତାଙ୍କର ଇଚ୍‌ଛା ପୂରଣ କରିଥିଲେ ଓ କାତ୍ୟାୟନୀ ନାମ ପାଇଥିଲେ ।

ଅନ୍ୟ ଏକ କଥା ଅନୁସାରେ ମାତା କାତ୍ୟାୟନଙ୍କ ଘରେ ଝିଅ ହୋଇ ଜନ୍ମିଥିଲେ ଓ କାତ୍ୟାୟନ ଋଷିଙ୍କର ପୂଜା ଗ୍ରହଣ କରି ଦଶମୀ ଦିନ ମହିଷାସୁରକୁ ବଧ କରିଥିଲେ ।

ମାତା କାତ୍ୟାୟନୀ ହେଉଛନ୍ତି ଅମୋଘ ଫଳଦାୟିନୀ । ବ୍ରଜଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପତି ରୂପରେ ପାଇବା ନିମନ୍ତେ ଯମୁନା ତଟରେ ଏହି ମାତାଙ୍କର ପୂଜା କରିଥିଲେ । ଏହି ମାଆ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରତିଷ୍ଠିତା । ଏହି ମା’ଙ୍କର ସ୍ୱରୂପ ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ । ଏହାଙ୍କର ବର୍ଣ୍ଣ ସୁବର୍ଣ୍ଣ ପରି ଉଜ୍ୱଳ ଓ ଭାସ୍ୱର । ମାତା ଚତୁର୍ଭୁଜା । ମାତାଙ୍କ ଦକ୍ଷିଣ ପଟର ଉପର ହାତରେ ଅଭୟ ମୁଦ୍ରା ଓ ତଳ ହାତରେ ବର ମୁଦ୍ରା; ବାଆ ପଟର ଉପର ହାତରେ ତରବାରୀ ଓ ତଳ ହାତରେ ପ୍ରସ୍ଫୁଟିତ ପଦ୍ମ ଶୋଭାପାଏ, ମାତା ସିଂହବାହିନୀ ଅଟନ୍ତି ।

ଦୁର୍ଗାପୂଜାର ଷଷ୍ଠ ଦିବସରେ ମା’ଙ୍କର ଏହି ସ୍ୱରୂପର ପୂଜା କରାଯାଏ । ସେ ଦିନ ସାଧକଙ୍କ ମନ ‘ଆଜ୍ଞା’ ଚକ୍ରରେ ସ୍ଥିତ ହୁଏ । ଯୋଗସାଧନାରେ ଏହି ଆଜ୍ଞା ଚକ୍ରର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ଚକ୍ରରେ ସ୍ଥିତମାନ ସାଧକ ମାତା କାତ୍ୟାୟନୀଙ୍କ ଚରଣରେ ନିଜର ସର୍ବସ୍ୱ ନିବେଦନ କରିଦିଏ । ସଂପୂର୍ଣ୍ଣ ଆତ୍ମଦାନକାରୀ ସାଧକ ଅତି ସହଜରେ ମା’ଙ୍କର ଦର୍ଶନ ପାଇଯାଆନ୍ତି । ମାତା କାତ୍ୟାୟନୀଙ୍କୁ ଭକ୍ତି ଓ ଉପାସନା କରି ମନୁଷ୍ୟ ଅଦି ସହଜରେ ଅର୍ଥ, ଧର୍ମ, କାମ, ମୋକ୍ଷ – ଚତୁର୍ବଗ ଫଳ ପ୍ରାପ୍ତି କରିଥାଏ । ମା’ଙ୍କ ଆଶିଷ ଲାଭକାରୀ ବ୍ୟକ୍ତି ଇହଲୋକରେ ଥାଇ ମଧ୍ୟ ଅଲୌକିକ ତେଜ ଓ ପ୍ରଭାବର ଅଧିକାରୀ ହୋଇପାରେ ।

Leave A Reply

Your email address will not be published.

nine + 12 =