pakka

ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ସମଲେଇଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ସହର ଅନେକ ଦେବୀ ପୀଠରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ ।

ଦଧାନା କରପଦ୍ମାଭ୍ୟାମକ୍ଷମାଳାକମଣ୍ଡଳୂ ।
ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା । ।

ମାତା ଦୁର୍ଗାଙ୍କର ନବ ଶକ୍ତିର ଦ୍ୱୀତୀୟ ସ୍ୱରୂପଟି ହେଉଛି ବ୍ରହ୍ମଚାରିଣୀ । ଏଠାରେ ‘ବ୍ରହ୍ମ’ ଶଦ୍ଦର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥ ତପଃ-ଚାରିଣୀ, ଯେ ତପ ଆଚରଣ କରନ୍ତି, ସେ । କଥିତ ଅଛି, ଦେବସ୍ତତ୍ତ୍ୱଂ ତପୋ ବ୍ରହ୍ମ – ବ୍ରହ୍ମ ଶଦ୍ଦର ଅର୍ଥ ହେଉଛି ବେଦ, ତତ୍ତ୍ୱ ଓ ତପ । ବ୍ରହ୍ମଚାରିଣୀ ଦେବୀଙ୍କର ସ୍ୱରୂପ ପୂର୍ଣ୍ଣ ଜ୍ୟୋର୍ତିମୟ ଓ ଅତ୍ୟନ୍ତ ଭବ୍ୟ । ତାଙ୍କର ଡାହାଣ ହାତରେ ଜପାମାଳା ଓ ବାଆଁ ହାତରେ ମକଣ୍ଡଳୁ ଶୋଭାପାଏ ।

କଥିତ ଅଛି, ପୂର୍ବ ଜନ୍ମରେ ସେ ଯେତେବେଳେ ହିମାଳୟଙ୍କର ପୁତ୍ରୀ ହୋଇ ଜନ୍ମ ହୋଇଥିଲେ, ସେତେବେଳେ ନାରଦଙ୍କ ଉପଦେଶ ଅନୁସାରେ ଭଗବାନ ଶଙ୍କରଙ୍କୁ ପତି ରୂପେ ପାଇବାକୁ ଘୋର ତପସ୍ୟ କରିଥିଲେ । ସେହି ଦୁଷ୍କର ତପସ୍ୟା ହେତୁ ତାଙ୍କୁ ତପଶ୍ଚାରିଣୀ ଅର୍ଥାତ ବ୍ରହ୍ମଚାରିଣୀ କୁହାଯାଇଛି । ତପକାଳରେ ପୂରା ହଜାରେ ବର୍ଷ ସେ କେବଳ ଫଳମୂଳ ଖାଇ ରହିଲେ । ତା’ ପରେ ଶହେ ବର୍ଷ କେବଳ ଶାଗପତ୍ର ଖାଇ ଜୀବନ ନିର୍ବାହ କଲେ । କିଛି କାଳ ସେ କଠିନ ଉପବାସ କରି ଖୋଲା ଆକାଶ ତଳେ ଖରାବର୍ଷା ଖାଇ ଭୀଷଣ କଷ୍ଟ ସହନ କଲେ । ସେହି କଠିନ ତପସ୍ୟା ପରେ ତିନି ହଜାର ବର୍ଷ ପର୍ଯ୍ୟନ୍ତ କେବଳ ଗଛରୁ ଝଡି ପଡିଥିବା ଶୁଖିଲା ପାଚିଲା ବେଲ ପତ୍ର ଖାଇ ଦିବାନିଶି ଶଙ୍କରଙ୍କର ଆରଧାନା କରି ଚାଲିଲେ । ତା’ ପରେ ସେ ଶୁଖିଲା ପାଚିଲା ବେଲ ପତ୍ର ଖାଇବା ବି ଛାଡିଦେଲେ । କେତେ ହଜାର ବର୍ଷ ସେ ନିର୍ଜଳ ନିରାହାର ତପସ୍ୟାରେ ରତ ହୋଇଗଲେ । ପତ୍ରର ଅନ୍ୟ ନାମ ପର୍ଣ୍ଣ । ତେବେ ସେ ପର୍ଣ୍ଣ ଖାଇବା ବି ଛାଡି ଦେଇଥିବାରୁ ତାଙ୍କର ଆଉ ଗୋଟିଏ ନାମ ହୋଇଗଲା ‘ଅପର୍ଣ୍ଣା’ ।

ହଜାର ହଜାର ବର୍ଷ ଧରି ଏପରି କଠିନ ତପସ୍ୟା କରିବାରୁ ବ୍ରହ୍ମଚାରିଣୀ ଦେବୀଙ୍କର ଶରୀର ଅତୀବ କ୍ଷୀଣ ହୋଇଗଲା । ସେ କୃଶକାୟ ହୋଇଗଲେ । ପୁତ୍ରୀର ଏହି ଦଶା ଦେଖି ତାଙ୍କର ମାଆ ମେନା ଅତ୍ୟନ୍ତ ଦୁଃଖୀତ ହୋଇଗଲେ । ତାଙ୍କୁ ସେହି କଠିନ ତପସ୍ୟାରୁ ବିରତ କରିବାକୁ ମେନା ଡାକ ପକାଇଲେ, ‘ଉଠ୍‌..ମା’ ତପ କର ନାହିଁ ।’ ସେହି ଡାକକୁ ଧରି ବ୍ରହ୍ମଚାରିଣୀ ଦେବୀଙ୍କର ପୂର୍ବଜନ୍ମର ଆହୁରି ଏକ ନାମ ହେଇଗଲା ‘ଉମା’ ।

ଉମାଙ୍କର ସେହି କଠିନ ତପସ୍ୟାରେ ତିନି ଲୋକରେ ହାହାକାର ପଡିଗଲା । ବ୍ରହ୍ମଚାରିଣୀ ଦେବୀଙ୍କର ସେହି ତପସ୍ୟାକୁ ଅଭୂତପୂର୍ବ ପୁଣ୍ୟକୃତ୍ୟ ବୋଲି କହି ଦେବତା, ଋଷି, ସିଦ୍ଧ, ମୁନି – ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ । ହେ ଦେବୀ ! ଆଜି ପର୍ଯ୍ୟନ୍ତ କେହି ଏପରି କଠିନ ତପସ୍ୟା କରି ନଥିଲେ, ଏପରି ତପସ୍ୟା କେବଳ ତୁମ ପକ୍ଷରେ ସମ୍ଭବ ହେଲା । ତୁମର ଏହି ଅଲୌକିକ କୃତ୍ୟ ଚର୍ତୁଦ୍ଦିଗରେ ପ୍ରଶଂସିତ ହେଉଛି । ତୁମର ମନସ୍କାମନା ସର୍ବତୋ ଭାବେ ପରିପୂର୍ଣ୍ଣ ହେବ । ଭଗବାନ ଚନ୍ଦ୍ରମୌଳି ଶିବ ତୁମକୁ ପତି ରୂପରେ ପ୍ରାପ୍ତ ହେବେ । ବର୍ତ୍ତମାନ ତୁମେ ତପସ୍ୟାରୁ ବିରତ ହୋଇ ଘରକୁ ଫେରିଚାଲ; ତୁମ ବାପା ତୁମକୁ ଡାକି ନେବା ପାଇଁ ଅତିଶୀଘ୍ର ଆସୁଛନ୍ତି ।

ମାତା ଦୁର୍ଗାଙ୍କର ଏହି ଦ୍ୱିତୀୟ ସ୍ୱରପ ଭକ୍ତ ଓ ସିଦ୍ଧମାନଙ୍କୁ ଅନନ୍ତ ଫଳ ଦାନ କରନ୍ତି । ତାଙ୍କୁ ଉପାସନା କଲେ ମନୁଷ୍ୟର ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ବୃଦ୍ଧି ହୁଏ । ଜୀବନର କଠିନ ସଂଘର୍ଷରେ ବି ତା’ର ମନ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ନାହିଁ । ମାତା ବ୍ରହ୍ମଚାରିଣୀ ଦେବୀଙ୍କ କୃପାରୁ ସେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତ ହୁଏ । ଦୁର୍ଗାପୂଜାର ଦ୍ୱିତୀୟ ଦିନ ମା’ଙ୍କର ଏହି ସ୍ୱରୂପର ଉପାସନା କରାଯାଏ । ସେହି ଦିନ ସାଧକର ମନ ‘ସ୍ୱାଧିଷ୍ଠାନ’ ଚକ୍ରରେ ସ୍ଥିତ ହୁଏ । ଯେଉଁ ଯୋଗୀଙ୍କର ମନ ଏହି ଚକ୍ରରେ ଅବସ୍ଥିତ ଥାଏ, ସେ ମାତାଙ୍କର କୃପା ଓ ଭକ୍ତି ଲାଭ କରନ୍ତି ।

Leave A Reply

Your email address will not be published.

five − two =