
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଏବଂ ଦେବୀ ମନ୍ଦିରରେ ନବରାତ୍ରୀ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଦେବୀନଗର ସାହିସ୍ଥିତ ମା’ ଶ୍ରୀ ଶ୍ରୀ ବ୍ୟାଘ୍ରଦେବୀ ମନ୍ଦିରରେ ଷୋଡ଼ଶ ଉପଚାର ବିଧିରେ ପାଳିତ ନବରାତ୍ରୀ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଗତ ସୋମବାର ମଧ୍ୟ ରାତ୍ରିରେ ଉଦ୍ଯାପିତ ହୋଇଯାଇଛି । ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରାଜେଶ୍ କୁମାର ସାହୁ, ଉପସଭାପତି ରବିନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ପୂଜା ସମ୍ଭାର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାହିତ ହୋଇଯାଇଛି । ସେହିପରି ନବରାତ୍ରୀ ପୂଜା ପାର୍ବଣ ଉତ୍ସବର ଷୋଡ଼ଶ ବିଧାନରେ ଛତ୍ରପୁର ସହରାଞ୍ଚଳରେ ସମୃଦ୍ଧିଶାଳୀ ପୂଜା ବ୍ରତ ଉପବାସ ସହ ନିଷ୍ଠାର ସହିତ ସଧବା ମହିଳା ମାନଙ୍କ ଅଂଶଗ୍ରହଣ କରି ସମାଜକୁ ଅନେକ ଦିଗଦର୍ଶନ ଦେଇଥିଲେ । ପାର୍ବଣ ଉତ୍ସବର କୁମ୍ଭ କଳସ ଘଟ ବିସର୍ଜନ ହୋଇଯାଇଛି । ଶାରଦୀୟ ନବରାତ୍ର ଦୁର୍ଗାପୂଜା ବ୍ରତ ଉପବାସର ପରିସମାପ୍ତି ଘଟିଛି ।