
ଭୋଗରାଇ, (କେପିଏନଏସ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦ ପିପଳ ପଞ୍ଚାୟତ ଅଧିନ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ଵର ପୀଠରେ ଚାଲିଥିବା ଚଡ଼କ ମେଳା ଗୁରୁବାର ମହାଆଡମ୍ବରର ସହ ଉଦଯାପିତ ହୋଇଯାଇଛି । ୧୨ ଦିନ ବ୍ୟାପି ଚାଲିଥିବା ଚଡ଼କ ମେଳାର ମୁଖ୍ୟ ପାଟପର୍ବରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ପୀଠ ଜନ ସମୁଦ୍ର ପାଲଟିଥିଲା । ଏହି ପୀଠ ନୀତିକାନ୍ତି ଓ ପରମ୍ପରା ଖୁବ୍ ନିଆରା । ଏଠାରେ ପ୍ରଚଳିତ ଚଡ଼କ ମେଳାର ପ୍ରସିଦ୍ଧି ଅନନ୍ୟ । ଏହି ଶୈବପୀଠରେ ଚଡ଼କ ପର୍ବ ଦୀର୍ଘ ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟତଃ ଶିବ କାମିନୀ ବିବାହ, ମହାନୀଳ ପର୍ବ ଓ ପାଟ ପର୍ବ ପାଳନ ହେଇଯାଇଛି । ଏହି ପାଟପର୍ବ କେବଳ ପାରମ୍ପରିକ ଧାର୍ମିକ ରୀତିନୀତି ଅନୁଯାୟୀ ହୋଇଥାଏ ତାହା ନୁହେଁ ୧୨ ଦିନ ଧରି ଏକମନ ଓ ଏକ ଭାବନାନେଇ ପାଳନ କରାଯାଇଥାଏ । ଏହି ଉଦଯାପନି ଉତ୍ସବକୁ ଗ୍ରାମ ସଭାପତି ତରୁଣକାନ୍ତି ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ମୁଖ୍ୟବକ୍ତା ଡଃ କାଳି କିଙ୍କର ଦାସ, ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ବେହେରା, ସ୍ଵପ୍ନଦୀପ ପତ୍ରିକାର ସମ୍ପାଦିକା ସୌଭାଗୀନି ମିଶ୍ର, ସମାଜସେବୀ ଦେବବ୍ରତ ଦେ, ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ଉପସ୍ଥିତ ହୋଇ କଳା ସଂସ୍କୃତିକୁ ବଜାୟ ରଖିବାକୁ ହେଲେ ପ୍ରଥମେ ଭାଇଚାରା ପଣିଆକୁ ମଜବୁତ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ରୋଟାରିଆନ ଡଃ ଶିବନାରାୟଣ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସତ୍ୟନାରାୟଣ ପାତ୍ର, ହରିଶ ଚନ୍ଦ୍ର ଦାସ, ଶ୍ୟାମସୁନ୍ଦର ଦେ, ପାଟଭକ୍ତ ପଦ୍ମଲାଭ ଦେ, ଗିରିଶ ଚନ୍ଦ୍ର ପାତ୍ର, କମଳାକାନ୍ତ ଦେ, ହରେକୃଷ୍ଣ ଦେ, ହେମନ୍ତ କୁମାର ପାତ୍ରଙ୍କ ସହିତ ୧୩ ଭକ୍ତ ଏବଂ ନୟାପାଲି ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ସଙ୍ଗୀତ ସୁର ମିଲନ ମେଲୋଡି଼ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।