
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ୍ ସାଉନ୍ତପୁର ପଞ୍ଚାୟତ ଅନ୍ତର୍ଗତ ସିକାବେହେଙ୍ଗା ଓ ଛତାମଖନା ପଞ୍ଚାୟତର ଲାଦେରବାହାଲ ଗାଁରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ପ୍ରମୋଦ କୁମାର ବଡ଼ପଣ୍ଡା ଧାନ ପରବର୍ତ୍ତୀ ପଡିଆ ଜମିରେ ଡାଲି ଜାତୀୟ ଚାଷର ଉପାଦେୟତା ଏବଂ ନୂଆ ଜ୍ଞାନ କୌଶଳ ଉପରେ ଦିଗଦର୍ଶନ ଦେଇଥିଲେ । ବ୍ଲକ କୃଷି ଅଧିକାରୀ ମିର୍ ମିରାଜ ଅଲି ଡାଲି ଜାତୀୟ ଶସ୍ୟର ବଜାର ବ୍ୟବସ୍ଥା ଏବଂ ସରକାରଙ୍କ ପ୍ରାଇସ୍ ସପୋର୍ଟ ସ୍କିମ ବିଷୟରେ ଅବଗତ କରାଇଥିଲେ । ସହକାରୀ କୃଷି ଅଧିକାରୀ ଅଭିଷେକ ପାଢ଼ୀ ଡାଲି ଜାତୀୟ ଫସଲ ମୃତ୍ତିକା ସ୍ୱାସ୍ଥ୍ୟ, ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ ଏବଂ ଅମଳ ବୃଦ୍ଧି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉପସ୍ଥିତ ମହିଳା ଓ ପୁରୁଷ ଚାଷୀ ନିଜ ନିଜ ଅଭିଜ୍ଞତା କହି ସରକାରଙ୍କ ଏ ଯୋଜନା ଦ୍ୱାରା ଲାଭବାନ ହୋଇଥିବା ମତ ପ୍ରକାଶ କରିଛନ୍ତି । ସୂଚାଇ ଦିଆଯାଏ ଯେ, ସ୍ୱଳ୍ପ ଜଳସେଚନ ବ୍ୟବସ୍ଥା ଥିବା ପୁଇଁତଲା ବ୍ଲକରେ ଖରିଫ୍ ଧାନ ପରେ ଶହ ଶହ ଏକର ଜମି ପଡିଆ ରହିଥାଏ । ମାଟି ଓ ଜଳବାୟୁର ଆର୍ଦ୍ରତା ବା ଅଳ୍ପ ଜଳସେଚନରେ ଡାଲି ଜାତୀୟ ଶସ୍ୟ ଅମଳ ହେଉଛି । ଏଣୁ ଏହି ଯୋଜନା ଦ୍ୱାରା ଚାଷୀଙ୍କ ମଧ୍ୟରେ ଧାନ ଅମଳ ପରବର୍ତ୍ତୀ ପଡିଆ ଜମିରେ ଡାଲି ଜାତୀୟ ଚାଷ ପ୍ରତି ଆଗ୍ରହ ବଢ଼ୁଥିବା ଜଣାଯାଏ । ଗ୍ରାମ୍ୟ କୃଷି ଅଧିକାରୀ ସୁଜାତା ବଙ୍ଗଲା, ବୃନ୍ଦାବନ ଛନ୍ଦ ସଂଯୋଗୀ ସଂସ୍ଥା ପୁଇଁତଲା କୃଷକ ଉତ୍ପାଦକ କମ୍ପାନୀର ପ୍ରଦୀପ ପଧାନ, ପିଣ୍ଟୁ ପଣ୍ଡା ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।