
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି । ତରଭା ନୂତନ ବସଷ୍ଟାଣ୍ଡର ଆନୁଷ୍ଠାନିକ ଭାବେ ଉଦଘାଟନ ଓ ଲୋକାର୍ପଣ ହୋଇଯାଇଛି । ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସଷ୍ଟାଣ୍ଡର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ସାଂସଦଙ୍କ ସୋନପୁର ପ୍ରତିନିଧି ସାନନ୍ଦ ମେହେର, ତରଭା ବ୍ଲକ ପ୍ରତିନିଧି ବିମଳ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ଷଡଙ୍ଗୀ, ତରଭା ଏନଏସି ପ୍ରତିନିଧି ମାନସ ସାହୁ, ତରଭା ଏନଏସି ଅଧ୍ୟକ୍ଷା ବନ୍ଦିତା ନାୟକ ଏବଂ ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ, ଏନଏସି ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ମଲ୍ଲିକ ପ୍ରମୁଖଙ୍କ ସହ ବିଜେପିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସଦ ଶ୍ରୀମତୀ ସିଂଦେଓ କହିଥିଲେ ଯେ, ତରଭା ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରାଇବାରେ ଜିଲ୍ଲାପାଳ ଡ. ସାହୁଙ୍କ ଉଦ୍ୟମ ପ୍ରଶଂସନୀୟ । ନୂତନ ବସଷ୍ଟାଣ୍ଡ ଦ୍ୱାରା ତରଭା ସହର ଓ ଆଖପାଖ ଅଞ୍ଚଳର ଯାତ୍ରୀମାନେ ଉନ୍ନତ ଯାତାୟାତ ସୁବିଧା ପାଇବା ସହ ବସ୍ ଚଳାଚଳ ବ୍ୟବସ୍ଥା ଅଧିକ ସୁଗମ ହେବ ବୋଲି ସହରବାସୀ ତଥା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।