ଯୋଗେନ୍ଦ୍ରନାଥପୁର ଘଟଣାରେ : ୧୦ ତାରିଖ ଦିନ ବିଜେପିର ଥାନା ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ଥାନା ଭୁବନେଶ୍ବରପୁର ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ରାଜେନ୍ଦ୍ର ପାଣ୍ତେଙ୍କ ଚତୁର୍ଥ ଶ୍ରେଣୀରେ ପଡୁଥିବା ୯ ବର୍ଷର ଜଣେ ନାବାଳିକା ଝିଅର ଶବ କ୍ଷତାକ୍ତ ଅବସ୍ଥାରେ ଘର ପାଖ ଜଙ୍ଗଲରୁ ଗତ ୪ ତାରିଖ ଦିନ ଉଦ୍ଧାର ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀମାନଙ୍କୁ ଚିହ୍ନଟ କରିବାରେ ପୋଲିସ ସଫଳ ହେଉ ନଥିବାରୁ ତାର ପ୍ରତିବାଦରେ ଆସନ୍ତା ୧୦ ତାରିଖ ରବିବାର ଦିନ ପାଇକମାଲ ଥାନା ଘେରାଉ କରାଯିବ ବୋଲି ଭାରତୀୟ ଜନତା ପାର୍ଟିର ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ ଥାନାକୁ ଲିଖିତ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଯୋଗେନ୍ଦ୍ରନାଥପୁର ଗ୍ରାମର ରାଜେନ୍ଦ୍ର ପାଣ୍ତେ ତାଙ୍କ ଘର ଠୁ ୧ କି:ମି: ଦୂରରେ ଘର ନିର୍ମାଣ ପାଇଁ ଇଟା ଗଢ଼ୁଥିଲେ । ସେଠାରେ ଇଟାଗଢ଼ା କାର୍ୟ୍ୟରେ ସପରିବାର ନିୟୋଜିତ ହୋଇ ସନ୍ଧ୍ୟାରେ ଘରକୁ ଫେରନ୍ତି । ଗତ ୩ ତାରିଖ ଦିନ ରାଜେନ୍ଦ୍ର ପାଣ୍ତେ ତାଙ୍କ ୯ ବର୍ଷର ଝିଅ ଓ ୫ବର୍ଷର ପୁଅକୁ ଅପରାହ୍ନ ୨ଘଣ୍ଟାରେ ଘରକୁ ପଠାଇଥିଲେ । ସନ୍ଧ୍ୟାରେ ପରିବାର ଲୋକେ ଘରକୁ ଫେରି ଝିଅକୁ ଘରେ ନ ପାଇବାରୁ ପାଖ ପଡୋଶୀ, ଗାଁରେ ଖୋଜାଖୋଜି କରି ଝିଅର ସନ୍ଧାନ ପାଇଲେ ନାହିଁ । ରାତିରେ ଗାଁରେ ସଭା କରି ଗାଁର ପାଖାପାଖି ୧ ଶହ ଜଣ ଲୋକ ସକାଳୁ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ରାଜେନ୍ଦ୍ର ପାଣ୍ତେଙ୍କ ଘର ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଜଙ୍ଗଲ ଭିତରୁ ରକ୍ତାକ୍ତ ଅବସ୍ଥାରେ ଝିଅର ଶବକୁ ଗ୍ରାମବାସୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ବରଗଡ଼ ଏସପି ଅନୁସନ୍ଧାନ କୁକୁର ସହ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଝିଅର ହତ୍ୟାକାରୀ ମାନଙ୍କର ସନ୍ଧାନ ମିଳିନାହିଁ । ଏହା ଏକ ସୁଚିନ୍ତିତ ହତ୍ୟା ଘଟଣା ବୋଲି ଚର୍ଚ୍ଚା ଚାଲିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପାଇକମାଲ ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀ, ଇନ୍ଦ୍ରଜିତ ଭୋଇ, ଶୁକଦେବ ପ୍ରଧାନ, ଫକୀର ଭୋଇ, ଗୋରେଖ ସେଠ, ପର୍ଶୁ ନାୟକ, ସୁନ୍ଦରମଣି ଭୋଇ, ଲକ୍ଷଖପତି ତାଣ୍ତି, ପଙ୍କଜ ସାହୁ, ହିରାଲାଲ ପଟେଲ, ସତ୍ୟନାରାୟଣ ବେହେରା ପ୍ରମୁଖ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଗାଁକୁ ଯାଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ । ପୋଲିସର ନିଷ୍ଣିୟତା ପ୍ରତିବାଦରେ ଆସନ୍ତା ୧୦ ତାରିଖ ଦିନ ଥାନା ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.