ତାରାତାରିଣୀ

  • କୃଷ୍ଣଚନ୍ଦ୍ର ତ୍ରିପାଠୀ

ଗଂଜାମ ଜିଲ୍ଲାର ସପ୍ତ ପ୍ରସିଦ୍ଧ ତାନ୍ତ୍ରିକ ଶକ୍ତିପୀଠ ସିଦ୍ଧଭୈରବୀ, ବାଳକୁମାରୀ, ବାଙ୍କେଶ୍ୱରୀ, ମହୁରୀକାଳୁଆ, ବାଗ୍‌ଦେବୀ, ସିଂହାସନୀ, ନାରାୟଣୀଙ୍କ ସହ ତାରାତାରିଣୀ ଶକ୍ତିପୀଠର ମାହାତ୍ମ୍ୟ ଓ ଆକର୍ଷଣ ସୁଦୂରପ୍ରସାରୀ । ବ୍ରହ୍ମପୁରଠାରୁ ଚାଳିଶି କିଲୋମିଟର ଦୂରରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀର ଦକ୍ଷିଣ ତଟ ଦେଶରେ ତାରାକକ୍ଷ ପାହାଡ଼ର ଦହିହାଣ୍ଡି ଶିଖର ସ୍ଥଳୀରେ ତାରାତାରିଣୀ ଯାମଳା ଭଗିନୀ ଦେବୀ ପୂଜା ପାଇ ଆସୁଛନ୍ତି । ଶକ୍ତି ଉପାସକବୃନ୍ଦ ଏହି ସୁପ୍ରତିଷ୍ଠିତା ଦେବୀ ଆରାଧନା କରିବା ଦିଗରେ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି । ଅଗଣିତ ଭକ୍ତ ପରିବାର ତାରାତାରିଣୀଙ୍କୁ ସ୍ୱଗୃହ ଇଷ୍ଟଦେବତା ଭାବରେ ବଂଶାନୁକ୍ରମେ ଗ୍ରହଣ କରିଆସୁଛନ୍ତି । ସନ୍ତାନଙ୍କ ସୁଖଦୁଃଖରେ ତାରାତାରିଣୀ ନାମ ସ୍ମରଣ କରିଥାନ୍ତି । ସେମାନଙ୍କ ପାଇଁ ତାରାତାରିଣୀ ସଙ୍କଟତାରିଣୀ ସକଳ ବିପଦ ଭଞ୍ଜନୀ ସୁଖସ୍ୱାସ୍ଥ୍ୟ ସାମର୍ଥ୍ୟ ବିଭବ ସୌଭାଗ୍ୟ ସମୃଦ୍ଧି ପ୍ରଦାୟିନୀ । ସେ କରୁଣାମୟୀ ପ୍ରେମମୟୀ ଓ ମମତାମୟୀ ଭକ୍ତବତ୍ସଳା ଅନନ୍ୟା ଶୋକ କ୍ଳେଶ ହାରିଣୀ ଭବଭୟ ନିବାରିଣୀ ପ୍ରତ୍ୟକ୍ଷା ଠାକୁରାଣୀ । ସେ ଆୟୁ, ଜ୍ଞାନ, ଯଶ, ଧନ ଭକ୍ତକୁ ଅନ୍ତର ଭାବବୋଧ କରି ଅଯାଚିତ ଭାବରେ ଦାନ କରିଥାନ୍ତି । ତାରାତାରିଣୀଙ୍କୁ ଗଂଜାମ ଜାହ୍ନବୀ ଋଷିକୁଲ୍ୟା ଜଳରେ ସ୍ନାନ କରି ଦର୍ଶନ କଲେ ଦୁଃଖ ଶୋକ ଚାଲିଯାଏ । ସମସ୍ୟା, ଅଭାବ ଅସୁବିଧା, ଅନ୍ତରାୟ ଯାବତୀୟ ଜାଗତିକ କ୍ଳେଶ ଦୂର ହୋଇଯାଏ । ଅଭୀଷ୍ଟ ଫଳ, ଆୟୁ ପ୍ରାପ୍ତ ହୋଇଥାଏ । ମା’ମାନଙ୍କର ବିଶ୍ୱାସ ସନ୍ତାନଙ୍କୁ ମୁଣ୍ଡନ କରି ଜଗଜ୍ଜନନୀଙ୍କ ପାଦତଳେ ପକାଇଲେ ସନ୍ତାନ ବୀର୍ଯ୍ୟଶାଳୀ ଓ ଚିରାୟୁ ହୋଇଥାଏ । ମାତୃ ଦୟାରୁ ସେ ଜୟୀ ଓ ଯଶସ୍ୱୀ ହୋଇଥାଏ ମଧ୍ୟ । ଦୀନ ଶରଣାଗତର ପରିତ୍ରାଣ ଦିଗରେ ତାରାତାରିଣୀ ହିଁ ସର୍ବ ସୁଖକରୀ, ନିତ୍ୟାନନ୍ଦକରୀ, ବରାଭୟକରୀ, ସୌନ୍ଦର୍ଯ୍ୟ ରତ୍ନାକରୀ, ପ୍ରତ୍ୟକ୍ଷ ମାହେଶ୍ୱରୀ ଦେବୀ । ସନ୍ତାନ ଜନ୍ମ ପରେ ମା’ ତାରାତାରିଣୀଙ୍କୁ ମହାଦୁଃଖ ହରଣ ନିମିତ୍ତ ନିବେଦନ କରିଥାଏ । ମାଆଙ୍କ ପୀଠରେ ପ୍ରଥମ ସ୍ୱନକ୍ଷତ୍ର ବାସରରେ ମୁଣ୍ଡନ କରାଇ ଆଶିଷ ଭିକ୍ଷା କରିଥାଏ ମାଆ । ପାଖରେ ଥାଉ ବା ଦୂରରେ ଥାଉ ରାଜ୍ୟ ଭିତରେ ଥାଉ ବା ରାଜ୍ୟ ବାହାରେ ଥାଉ ଏପରିକି ଦେଶ ବିଦେଶରୁ ମଧ୍ୟ ପ୍ରଥମ ସନ୍ତାନର ମୁଣ୍ଡନ ପାଇଁ ଦମ୍ପତି ଏଠାକୁ ଆସିଥାନ୍ତି । ବିଶେଷ କରି ଗଂଜାମ ସଂସ୍କୃତି ଧର୍ମୀୟ ପରମ୍ପରାରେ ତାରାତାରିଣୀଙ୍କ କରୁଣା ପ୍ରତି ଆସ୍ଥା ନିବିଡ଼ ଓ ପ୍ରଗାଢ଼ – ଭକ୍ତଙ୍କର । ଆଗେ ଏଠାରେ ସନ୍ତାନଙ୍କ କଲ୍ୟାଣ ସୁଖ ସମୃଦ୍ଧି ଲାଗି ମାନସିକ ଛାଗବଳି ପ୍ରଚଳିତ ଥିଲା । ସଂସ୍କାରକାମୀ ଭକ୍ତଙ୍କ ପ୍ରଚେଷ୍ଟାରେ ଶିକ୍ଷାର ପ୍ରସାର ଯୋଗୁଁ ଜନ ସହଯୋଗ ସମର୍ଥନରେ ଆଉ ବଳିଦାନ ଜୀବହତ୍ୟା ଜଘନ୍ୟ ପ୍ରଥା ପରିଦୃଷ୍ଟ ହେଉନାହିଁ । ପାଚିଲା ଫଳ ରମ୍ଭା ନାରୀକେଳ ଅମୃତ ମଣୋହି ସହ ପ୍ରପାନକ ଭୋଗ ନୈବେଦ୍ୟ ଦେବୀଙ୍କୁ ନିବେଦିତ ହେଉଛି । ପୀଠରେ ଭକ୍ତବୃନ୍ଦ ଜାଳୁଛନ୍ତି କାମନା ପୂରଣ ଚିନ୍ତନରେ ଚାରୁ ପ୍ରଦୀପମାଳା । ବିଶେଷତଃ ଚୈତ୍ରମାସ ମଙ୍ଗଳବାର ଓ ସଂକ୍ରାନ୍ତିମାନଙ୍କରେ ମା’ଙ୍କ ପୀଠ ଲୋକାରଣ୍ୟ ହୋଇ ଉଠୁଥାଏ ।

ତାରାକକ୍ଷ ପାହାଡ଼ ପୂର୍ଣ୍ଣଗିରି ପୁଣି ରତ୍ନଗିରି ପାହାଡ଼ ନାମରେ ମଧ୍ୟ ପରିଚିତ । ନଦୀ ତୀରର ମନୋଜ୍ଞ ପ୍ରକୃତି ମଧ୍ୟରେ ପ୍ରତିଷ୍ଠିତ ଏହି ପୀଠରେ ପହଞ୍ôଚବା ପାଇଁ ସହସ୍ର ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ । ଦୃମରାଜିର ସୁଶୀତଳ ଛାୟା ଦେଇ ପକ୍କା ରାସ୍ତାରେ ଭକ୍ତ ଶିଖରୀ ଶିଖରେ ଉପନୀତ ହୋଇ ସର୍ପିଳ ଗତିଶୀଳା ଋଷିକୁଲ୍ୟାର ଧାବମାନ ଜଳ ପ୍ରବାହକୁ ଉପଭୋଗ କରିବାରେ ନୈସର୍ଗିକ ସୁଖ ଉପଭୋଗ କରିଥାଏ । ଦୂରବୀକ୍ଷଣ ଯନ୍ତ୍ର ଦର୍ଶନ ପଥରେ ଚକ୍ଷୁ ଭରି ପାରାବାରର ନୀଳିମା ସୁଷମା ଅନୁଭବ ଅନ୍ତର୍ଭୁକ୍ତ କରିବାରେ ସମର୍ଥ ହୋଇଥାଏ । ତଳେ ଜନବସତିର ଦୃଶ୍ୟାବଳୀ ସର୍ବ ସୁଖଦାୟକ କହିବା ବାହୁଲ୍ୟ । ସଂପ୍ରତି ରଜ୍ଜୁପଥରେ ଦର୍ଶନ ଦୋଳିରେ ବସି ଶୂନ୍ୟତା ଭିତରେ ଗତି କରି ପୁଲକ ସଂଚୟ କରେ । ପକ୍କା ସଡ଼କ ରାସ୍ତାରେ ଉପରକୁ ଉଠିବା ବେଳେ ବୃକ୍ଷରାଜିର ଶୀତଳ ଛାୟା ସୁଖଦାୟକ ।

ତାରାକକ୍ଷ ପୂର୍ଣ୍ଣଗିରି ପାହାଡ଼ ପାଖରେ ରହିଛି ପୁଷ୍କଗିରି ଖଣ୍ଡଶୈଳ । ଏହା ଏକ ସୁନ୍ଦର ଗୁମ୍ଫା ସହିତ ଶିବ ଆରାଧନା ପୀଠକୁ ନେଇ ଐତିହ୍ୟ ଶୁଣାଇବାକୁ ସତେକି ଦଣ୍ଡାୟମାନ । ସମୟ ଥିଲା ଏହି ଗୁମ୍ଫାରେ ବୌଦ୍ଧଭିକ୍ଷୁମାନେ ସାଧନାରତ ଥିଲେ । ଅହିଂସା ଓ ଶାନ୍ତିର ବାର୍ତ୍ତା ଜନସମାଜକୁ ଦେଉଥିଲେ । ତାରାକକ୍ଷ ପାହାଡ଼ ଯାହା ପୂର୍ଣ୍ଣଗିରି ଅଥବା ରତ୍ନଗିରି ନାମରେ ଅଭିହିତ ତାହା ଦିନେ ତାରା ତାରିଣୀଙ୍କର ନିବାସସ୍ଥଳୀ ଗୌରବମୟ ଶକ୍ତି ପୀଠ ଥିଲା । ଯିଏ କି କଳିଙ୍ଗ ସମ୍ରାଟ ଭାବରେ ଇତିହାସର ଅନ୍ତରାଳରେ ଲୁଚି ଯାଇଛନ୍ତି- ସେହି କଳିଙ୍ଗ ସମ୍ରାଟଙ୍କ ଆରାଧ୍ୟା ଦେବୀ ଥିଲେ ତାରା ତାରିଣୀ । ରାଜ୍ୟ ଲିପ୍‌ସୁ ରକ୍ତ ପିପାସୁ ଚଣ୍ଡାଶୋକ ଧଉଳି ପାହାଡ଼ ତଳେ ନୁହେଁ ତାରାକକ୍ଷ ପାହାଡ଼ ପାଦଦେଶରେ ହିଁ ଭୟାବହ କଳିଙ୍ଗ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ । ଏହା ଅଧିକ ବିଶ୍ୱସନୀୟ । କାରଣ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ପାରଳାଖେମୁଣ୍ଡି ନିକଟରେ କଳିଙ୍ଗ ନଗର (ମୁଖଲିଙ୍ଗମ୍‌) ଠାରେ ଥିଲା ।

ସ୍ୱ ମାଟି ସମ୍ମାନାଭିଳାଷୀ କଳିଙ୍ଗବୀରଙ୍କ ରଣହୁଙ୍କାରରେ ରଣକ୍ଷେତ୍ର ଝଲସି ଉଠିଥିଲା । ଆଜି ରଣ ଝଳି ଗାଆଁ ତା’ର ମୂକସାକ୍ଷୀ । ଅସମର୍ଥିତ ଐତିହାସିକ ସ୍ମୃତି ବହନ କରି ଋଷିକୁଲ୍ୟା କୂଳରେ ସ୍ୱରୂପ ପ୍ରକଟ କରୁଛି । ବାଇଶିଶହ ବର୍ଷ ତଳର ଅତୀତକୁ ଟାଣିନେଉଛି ଦର୍ଶକଙ୍କୁ । ସେ ଦିନ ସ୍ୱାଧୀନ କଳିଙ୍ଗବାସୀଙ୍କ ଯୋଦ୍ଧୃପଣ ଏବଂ ଆବାଳବୃଦ୍ଧବନିତାଙ୍କ ସମରକ୍ଷେତ୍ରରେ ଅବତୀର୍ଣ୍ଣ ହେବା ଅତ୍ୟନ୍ତ ବିସ୍ମୟକର ଘଟଣା ଥିଲା । କଳିଙ୍ଗ ସେନାରେ ସାମିଲ ହୋଇଥିଲେ କାଳିଙ୍ଗୀ ବାହିନୀ (କାଳିଞ୍ଜି), ଦଳପତି (ଦଳୁଆ) ଓ ବଳ ଅସି ବାହିନୀ ପରି ପ୍ରସିଦ୍ଧିବହ କଳିଙ୍ଗ ବୀର ସେନାନୀ । ସମସ୍ତଙ୍କର ଲକ୍ଷ୍ୟ ଥିଲା ଏଇ ସ୍ୱାଧୀନ ମାଟିର ସ୍ୱାଭିମାନ ସୁରକ୍ଷା । ଦେଶପ୍ରୀତି ଥିଲା- ଅତୁଳ ଓ ଅନିର୍ବଚନୀୟ । ମଗଧର ବିଶାଳ ସୈନ୍ୟବାହିନୀ ଓ କଳିଙ୍ଗ ସମ୍ରାଟଙ୍କ ଅଦମନୀୟ ସେନାନୀ ଋଷିକୁଲ୍ୟା ତଟସ୍ଥ ରଣଝଳି ଗ୍ରାମର ଉପକଣ୍ଠରେ ଥିବା ବିସ୍ତୃତ ସମର କ୍ଷେତ୍ରରେ ପରସ୍ପର ମୁହାଁମୁହିଁ ହୋଇଥିଲେ । ଆଜି ସେହି ରଣଝଳି ଭୂମିର ରଣ ପ୍ରାଙ୍ଗଣ ଶସ୍ୟ ଶ୍ୟାମଳ ବିଲମାଳରେ ପରିଣତ ହୋଇଛି । ଯୁଦ୍ଧ ବାସ୍ତବିକ ଭୟଙ୍କର ଓ ଐତିହାସିକ ଥିଲା । ଲକ୍ଷାଧିକ ଲୋକ ନିହତ ହେଲେ । ଲକ୍ଷ ଲକ୍ଷ ଆହତ ହେଲେ । ଅଗଣିତ ସୈନ୍ୟ ବନ୍ଦୀ ହେଲେ । ବିଧବାମୟ ହେଲା ରାଜ୍ୟ । ସମୃଦ୍ଧ ବୀର କଳିଙ୍ଗ ଛାରଖାର ହୋଇଗଲା । କିନ୍ତୁ ତାରାକକ୍ଷ ପାହାଡ଼ର ଦହିହାଣ୍ଡି ଶିଖର ଦେଶରୁ କଳିଙ୍ଗ ଯୁଦ୍ଧର ଭୟାବହତା ଓ ବୀଭତ୍ସ ଦୃଶ୍ୟପଟ୍ଟ ସନ୍ଦର୍ଶନରେ ବିସ୍ମିତ ବିବ୍ରତ ଓ ବିଷଣ୍ଣ ହୋଇପଡ଼ିଲେ ମଗଧ ଭୂପତି ଅଶୋକ । ବିଶ୍ୱ ଇତିହାସ ଖ୍ୟାତ ଅଶୋକ । ତାରାକକ୍ଷ (ପୂର୍ଣ୍ଣଗିରି) ପାହାଡ଼ ନିକଟସ୍ଥ ପୁଷ୍ପଗିରି ପାହାଡ଼ରେ ବସି ବିଜନ ମୁହୂର୍ତ୍ତରେ ଅନୁଶୋଚନା କଲେ । ପୁଷ୍ପଗିରିସ୍ଥ ସାଧକ ବୌଦ୍ଧ ତପସ୍ୱୀଙ୍କ ସଂପର୍କରେ ଆସିଲେ । ସବୁଦିନ ପାଇଁ ଅସ୍ତ୍ର ତ୍ୟାଗ କଲେ । ଅହିଂସା ଓ ସତ୍ୟର ବିଜୟ ବାଣୀ ଦୀକ୍ଷା ସ୍ୱରୂପ ନେଇ ଶାନ୍ତିର୍ବଚନର ପ୍ରଚାର ଓ ପ୍ରସାରରେ ମନୋନିବେଶ କଲେ । ଶିଳାତୀର୍ଥ ଖପିଳଙ୍ଗ ଜଉଗଡ଼ ଠାରେ ଲେଖିଗଲେ ସତ୍ୟ ଅହିଂସା କରୁଣା ପ୍ରେମ ମମତା ମୈତ୍ରୀର ମାର୍ମିକ ଆବେଗମୟ ଭାଷା । ପ୍ରଜାଙ୍କ ଲାଗି ମାନବ ଧର୍ମୀୟ ଅନୁଶାସନ ଶିଳା ସନ୍ଦେଶ । ଏବେ ମଧ୍ୟ ଜଉଗଡ଼ ପାହାଡ଼ ପାଷାଣ ପ୍ରାକୃତିକ ପ୍ରାଚୀରରେ ଉପଲବ୍ଧ ଅକ୍ଷତ ଭାବରେ ଅନୁଶାସନାବଳୀ ଦୃଷ୍ଟିଗୋଚର ହୋଇ ବିଶ୍ୱ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବୀର କଳିଙ୍ଗ ଭୂମିକୁ । ଦେଉଛି ସୌର୍ଯ୍ୟର ପ୍ରମାଣ, ଶାନ୍ତିର ବାର୍ତ୍ତା । ଦେଉଛି ସହୃଦୟର ପ୍ରଚ୍ଛନ୍ନ ପ୍ରଣାମ ।

ନାହାନ୍ତି ଆଜି କଳିଙ୍ଗ ସମ୍ରାଟ । ଫେରିଯାଇଛି ମଗଧାଧିପତି ଧର୍ମାଶୋକର ନୂତନ ପରିଚୟ ନେଇ । କିନ୍ତୁ ରହିଛି ସେହି ତାରାକକ୍ଷ ପାହାଡ଼- ଯେଉଁ ଦହିହାଣ୍ଡି ଶୃଙ୍ଗଭୂମିରେ ଆଜି ତାରାତାରିଣୀ ପୂଜା ପାଆନ୍ତି । ତାରାତାରିଣୀ ମନ୍ଦିର ଏକ ସୁପ୍ରତିଷ୍ଠିତ ଶକ୍ତିପୀଠର ପର୍ଯ୍ୟଟନ ସୁଖଦ କେନ୍ଦ୍ରଭିତ୍ତିକ ଆକର୍ଷଣୀୟ ପରିଚୟ ବହନ କରି ଦୂରରୁ ଦୃଷ୍ଟି ପଥାରୁଢ଼ ହେଉଛି । ଭକ୍ତମାନଙ୍କ ହୃଦୟରେ ଅଟଳ ଓ ଅପାର ଧର୍ମୀୟ ଆସ୍ଥା, ବିଶ୍ୱାସ କେଉଁ କାଳରୁ ଅତୁଟ ହୋଇ ରହି ଆସିଛି ।

କଳିଙ୍ଗ ରାଜା କୁଆଡେ଼ ଗଲେ ଇତିହାସ ଜାଣିଲାନି, ମଗଧ ସମ୍ରାଟ ଅଶୋକ ଶାନ୍ତି ବାର୍ତ୍ତା ଆବଣ୍ଟନାର୍ଥେ ନୂତନ ଦିବ୍ୟ ମାର୍ଗ ବାଛିନେଲେ । କିନ୍ତୁ ଏପରି ଜଘନ୍ୟ ପ୍ରଜା ସଂହାର ଦୃଶ୍ୟପଟରେ କଳିଙ୍ଗ ସମ୍ରାଟଙ୍କ ସୀମା ସ୍ଥଳ ଅଧିଷ୍ଠିତା ଆରାଧ୍ୟା ତାରା ତାରିଣୀ ଦେବୀ ନିଜ ସାମ୍ରାଜ୍ୟବାସୀ ଭକ୍ତଙ୍କୁ ରକ୍ଷା କରିନପାରି ଅକଥନୀୟ ଅନୁଶୋଚନାରେ ତାରାକକ୍ଷ ପାହାଡ଼ର ଦହି ହାଣ୍ଡି ଶିଖରରୁ ଅନ୍ତର୍ହିତ ହୋଇ ପଡ଼ିଥିଲେ । ସେହି ଦିନରୁ ଶକ୍ତି ଶୂନ୍ୟ ହୋଇଗଲା ତାରା କକ୍ଷ ପାହାଡ଼ । ସେହି ଶିଖର ଦେଶରେ ପୁନଃ ଜଗଜ୍ଜନନୀ ପ୍ରବଳ ଶକ୍ତି ସ୍ୱରୂପିଣୀ ତାରାତାରିଣୀ କେଉଁ ପରିସ୍ଥିତିରେ ସିଂହାସନାରୂଢ଼ା ହେଲେ ଏହି ପରିପ୍ରେକ୍ଷୀରେ ତା’ର ସମ୍ୟକ୍‌ ବିବରଣୀ ସୁପ୍ରତିଷ୍ଠିତ ଜନଶ୍ରୁତି ଆଧାରରେ ଉପସ୍ଥାପନ ସ୍ୱଳ୍ପ ଶବ୍ଦରେ କରିବାକୁ ଲେଖକ ଉପାଦେୟ ମନେ କରୁଛି ।

ଏକଦା ବସୁ ପ୍ରହରାଜା ଅଗ୍ନିଷ୍ଟୋମ ଓ ଶରତ ବାଜପେୟ ଯଜ୍ଞ ମହାସମାରୋହରେ କରିବାକୁ ମନସ୍ଥ କରିଥିଲେ । ଏହି ଯଜ୍ଞ ଏପରି ବ୍ୟୟବହୁଳ ଥିଲା- ଯାହାର ଅନ୍ନ ଯଜ୍ଞ ବିଭାଗର ପରିଚାଳନା ପାଇଁ ଡାଲି ଫୁଟଣକୁ ବାଇଶି ଭରଣ ଜୀରା (ପ୍ରାୟ ପଚାଶ କ୍ୱିଣ୍ଟାଲ୍‌) ଆବଶ୍ୟକ ପଡ଼ିଥିଲା । ବଦାନ୍ୟ ରାଜନ୍ୟମଣ୍ଡଳୀଙ୍କ ପାଖକୁ ଅନ୍ନବ୍ୟଞ୍ଜନ ପ୍ରସ୍ତୁତି ତାଲିକା ବସୁ ନେଇ ଯେବେ ଯାଆନ୍ତି ସମସ୍ତେ ତଟସ୍ଥ ଓ ଅସମର୍ଥ ହୋଇ ପଡିଥିଲେ ଦାନ ସହଯୋଗାର୍ଥେ । କାରଣ ଡାଲି ଫୁଟଣର ଜୀରା ପରିମାଣ ଯଦି ଏତେ ଅଧିକ ଅନ୍ୟାନ୍ୟ ଶସ୍ୟ ବସ୍ତୁପୂଜା ଆଦି ଉପକରଣର ଆବଶ୍ୟକତା କଳନାତୀତ ଥିଲା । ପରିଶେଷରେ ଯଜ୍ଞ ଆୟୋଜନ ଲାଗି ସଂକଳ୍ପବଦ୍ଧ ବସୁ ପ୍ରହରାଜ ମାନବ ଉପରେ ଆଶ୍ରୟ ଓ ଆଶା ନ କରି ଈଶ୍ୱରଙ୍କଠାରେ ପୂର୍ଣ୍ଣ ବିଶ୍ୱାସ ଓ ଆସ୍ଥା ସାନ୍ତର ସାଦର ରଖି ଯଜ୍ଞକାର୍ଯ୍ୟକୁ ଅନ୍ତତଃ କାୟିକ ମାନସିକ ବାଚନିକ ସମର୍ଥନ ଦେଇ ଯଜ୍ଞସ୍ଥଳରେ ରାଜୋଚିତ ଆଡ଼ମ୍ବର ପଟୁଆରରେ ଉପସ୍ଥିତ ରହିବା ଲାଗି ଅଷ୍ଟଦୁର୍ଗର ଭୂପତିଙ୍କ ସହ ପଡେ଼ାଶୀ ରାଜ୍ୟର ନୃପବରବୃନ୍ଦଙ୍କୁ ନିବେଦନ କଲେ ଏବଂ ନିଜେ ଘୁମୁସରାଧିପତି ଭଞ୍ଜଙ୍କୁ ନିମନ୍ତ୍ରଣ ଦେବାଲାଗି କୁଲାଡ଼ ଗମନ କଲେ । ରାଜବିଧାନୋଚିତ ନିମନ୍ତ୍ରଣ ପ୍ରଦାନ କରି ସ୍ୱଗ୍ରାମ ଖରିଡ଼ା ଜଗନ୍ନାଥପୁର ଶାସନ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରୀ ହେଲେ । ଆଠଗଡ଼ ଓ ଘୁମୁସର ସୀମାନ୍ତସ୍ଥ ଶୈଳଖଣ୍ଡ ଅରଣ୍ୟାନି ସଂକୁଳ ଦୁର୍ଗମ ପଥରେ ଫେରିବାକୁ ପଡ଼ୁଥିଲା । ଅଷ୍ଟଦୁର୍ଗ ମୁଲକର ସୁଖ୍ୟାତ ଅସ୍ତାଚଳ ମନ୍ଦାର ଶିଖରୀମାଳାର ଶିଖର ଦେଶରେ ବିକର୍ତ୍ତନ ବିକର୍ତ୍ତିତ ହୋଇ ଅସ୍ତ ଯାଉଥିଲେ । ଲୋହିତ ମନୋଜ୍ଞ କୋମଳ ରଶ୍ମି ବିଚ୍ଛୁରିତ ହୋଇ ପଡ଼ୁଥିଲା – ବୃକ୍ଷଲତା ବେଷ୍ଟିତ ରମଣୀୟ ଅଖଣ୍ଡ ପ୍ରାକୃତିକ ଅଭିରୂପମୟ ନିସର୍ଗ ସଂଗଠିତ ଚିତ୍ରପଟ୍ଟରେ ସହସା ବସୁଙ୍କ ଦୃଷ୍ଟିଗୋଚର ହେଲେ ଶିଳା ଶଯ୍ୟା ଉପରେ ଅଲୌକିକ ରୂପ ମାଧୁରୀ ସଂପନ୍ନା କିଶୋରୀ ଯାମଳ ଭଗିନୀ । ସେମାନଙ୍କ ମୁଖମଣ୍ଡଳରୁ ଅପୂର୍ବ ଜ୍ୟୋତି ନିର୍ଗତ ହେଉଥିଲା । ସେମାନେ ଅତ୍ୟନ୍ତ ସୁପ୍ରସନ୍ନ ଓ ଦେବୀ ସମ ସୁନ୍ଦର ଥିଲେ । ମୁକୁଳିତ କେଶରେ ଭଗିନୀ ଦ୍ୱୟ ଉପବେଶନ କରିଥିଲେ । ବିଜନ ଭୂମିରେ ଏପରି ଅସମୟରେ କନ୍ୟାବେନିଙ୍କୁ ଦେଖି ବିସ୍ମିତ ଓ ଆନନ୍ଦିତ ହୋଇପଡ଼ିଲେ । ସାଥୀରେ ଥିବା କାଳୁ ଭଣ୍ଡାରୀ କେବଳ ସ୍ତମ୍ଭୀଭୂତ ହୋଇ ଚାହିଁ ରହିଥିଲା । ଗୋସାଇଁ ମହାପ୍ରଭୁ ବସୁ ପ୍ରହରାଜଙ୍କ ପ୍ରତିକ୍ରିୟା ଲକ୍ଷ୍ୟ କରୁଥିଲା ।

ବସୁ ପ୍ରଶ୍ନ କଲେ- ‘ତୁମେ କିଏ ? ଏହି ନିର୍ଜନ ବେଳାରେ ଏକାକିନୀ କାହିଁକି ବସିଛ ?’ କନ୍ୟାଦ୍ୱୟ ଉତ୍ତର ଦେଲେ- ‘ଆମେ ତାରାତାରିଣୀ’ କୁଲାଡ଼ ରାଜଭବନରେ ଆପଣ ନିମନ୍ତ୍ରଣ ଭଞ୍ଜ ରାଜାଙ୍କୁ ଦେଇଥିଲେ- ଅଗ୍ନିଷ୍ଟୋମ ଓ ଶରତ୍‌ ବାଜେପେୟ ଯଜ୍ଞ ଦେଖି ଆସିବାକୁ । କଳିଯୁଗରେ ଏପରି ଯଜ୍ଞାନୁଷ୍ଠାନ କରିବାକୁ ଯାଉଛନ୍ତି- ବସୁ ପ୍ରହରାଜ, ଆମ୍ଭମନରେ ଆନନ୍ଦ ଓ କୌତୁହଳ ଜାତ ହେଲା । ଆମ୍ଭେ ଆପଣଙ୍କୁ ଅନୁଧାବନ କରି ଆସିଛୁ । କ୍ଳାନ୍ତ ହୋଇ ବସି ପଡ଼ିଥିଲୁ । ଆପଣ ଓ କାଳୁଙ୍କୁ ଦେଖି ଏବେ ସୁଖୀ ହେଲୁ । ଆପଣଙ୍କ ଗୃହକୁ ଯିବାକୁ ବର୍ତ୍ତମାନ ପ୍ରସ୍ତୁତ, ଆମ୍ଭେ ବସୁଙ୍କ ଯଜ୍ଞ ଦେଖିବୁ ।’ ବସୁ ପ୍ରହରାଜଙ୍କ ସହ ଆସିଲେ ତାରା ତାରିଣୀ ସେଦିନ ବସୁଗୃହକୁ । ପରମ ଆନନ୍ଦିତ ହୋଇ ପଡ଼ିଥିଲେ ବସୁ ପ୍ରହରାଜ । ସେମାନେ ବସୁଙ୍କୁ ପିତୃତୁଲ୍ୟ ମନେ କରି ବସୁ ଗୃହରେ ଅବସ୍ଥାନ କଲେ ।

ପାଳିତା କନ୍ୟା ପରି ତାରା ତାରିଣୀ ଆଦୃତା ହେଲେ । ଲୋକ ଅଗୋଚରରେ ପିତୃ-କନ୍ୟା ସମ୍ବନ୍ଧ ନିବିଡ଼ ହୋଇ ପଡ଼ିଥିଲା । ସେମାନେ କନ୍ୟା ପରି ଯାତାୟତ କରୁଥିଲେ । ଅସ୍ୱାଭାବିକତା କିଛି ନଥିଲା । ଆଶ୍ଚର୍ଯ୍ୟର କଥା ତାରାତାରିଣୀଙ୍କ ଉପସ୍ଥିତିରେ ବସୁଙ୍କ ଯଜ୍ଞ ଅନୁଷ୍ଠାନ ସଂକଳ୍ପ କାର୍ଯ୍ୟକାରୀ ହେବାରେ ଆଦୌ ବାଧା ରହିଲା ନାହିଁ । ଅନିଶ୍ଚିତତା ଓ ଆଶଙ୍କା ବସୁ ହୃଦୟରୁ ଆପେ ଦୂରୀଭୂତ ହେଲା । ପଦାର୍ଥ ଉପକରଣ ଗୃହ ଆପେ ଆପେ ପୂର୍ଣ୍ଣ ହୋଇଗଲା । ଅଗ୍ନିଷ୍ଟୋମ ଓ ଶରତ ବାଜପେୟ ଉଭୟ ଯଜ୍ଞ ମହାସମାରୋହରେ ଯାବତୀୟ ବିଧି ବିଧାନ ମଧ୍ୟରେ ସମାହିତ ହେଲା । ନିର୍ବିଘ୍ନରେ ଯଜ୍ଞାନୁଷ୍ଠାନ ଶେଷ କରିଥିଲେ । ସଂଖ୍ୟାତୀତ ଶ୍ରଦ୍ଧାଳୁ ଜନତା ଅହୋରାତ୍ରି ଯଜ୍ଞ ପ୍ରସାଦ ଭୋଜନ କରି ତୃପ୍ତ ହୋଇ ଫେରି ଯାଉଥିଲେ । ଯାଚକମାନେ ଯାଚନା କରିବା ମାତ୍ରକେ ପୂର୍ଣ୍ଣକରରେ ଫେରି ଯାଉଥିଲେ । ସର୍ବସ୍ୱ ଦାନ କରିବାକୁ ଲାଗିଥିଲେ ବସୁ ପ୍ରହରାଜ । ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କଠାରୁ ଆରମ୍ଭ କରି ଆଠଗଡ଼, ଧରାକୋଟ, ଖଲ୍ଲିକୋଟ ଘୁମୁସର ଇତ୍ୟାଦି ସେତେବେଳର ଦକ୍ଷିଣ ଓଡ଼ିଶାର ଅଠରଗଡ଼ର ରାଜାମାନେ ସେହି ଯଜ୍ଞରେ ଉପସ୍ଥିତ ଥିବାର କପିଳେଶ୍ୱର ରଚନାବଳୀରୁ ଜଣାଯାଏ । ଶରତ ବାଜପେୟ ଯଜ୍ଞ ପୀଠରେ ବର୍ତ୍ତମାନ ଜଗନ୍ନାଥ ମୂର୍ତ୍ତି ଯଜ୍ଞନାରାୟଣ ବିଜେ କରିଥିବା ଓ ଅଗ୍ନିଷ୍ଟୋମ ପୀଠରେ କୂପ ପ୍ରତିଷ୍ଠିତ ହେବା ଏବଂ ଉଭୟ ପବିତ୍ର ପୀଠରେ ବସୁଙ୍କ ବଂଶଧରମାନେ ଅଧିବାସୀ ହୋଇ ବାସ କରୁଥିବା ତଥ୍ୟ ଉକ୍ତ ରଚନାବଳୀରେ ଉଲ୍ଲେଖ ରହିଛି ।

ଏହି ଅସାଧାରଣ ଯଜ୍ଞରେ ଦିନେ ସ୍ୱୟଂ ନାରାୟଣ କ୍ଷୁଧାର୍ତ୍ତ ବ୍ରାହ୍ମଣ ବେଶ ଧାରଣ କରି ଉପସ୍ଥିତ ହୋଇଥିଲେ । ବ୍ରାହ୍ମଣଙ୍କର ଭିକ୍ଷା ଥିଲା ଏକ ଗୁଆରସ କଳସୀ । ବସୁ ବ୍ରାହ୍ମଣଙ୍କୁ ଅନ୍ୟ କିଛି ଖାଦ୍ୟ ବ୍ୟଞ୍ଜନ ଭୋଜନ ଲାଗି ମାଗିବାକୁ କହିଥିଲେ ହେଁ ବ୍ରାହ୍ମଣଙ୍କର ଜିଦ୍‌ ଥିଲା ଏକ ପୂର୍ଣ୍ଣ ଗୁଆରସ କଳସୀ । ସେ ବସୁଙ୍କୁ କହିଥିଲେ ଗୁଆରସ ବ୍ୟତୀତ ସେ କିଛି ଭୋଜନ କରନ୍ତି ନାହିଁ । କାଳବିଳମ୍ବ ନକରି ଗୁଆରସ ଭେଜାନ ଦେବାର ବ୍ୟବସ୍ଥା ହେଉ- ନୋଚେତ୍‌ ସେ ଭୋକରେ ବସୁ ଯଜ୍ଞ ଶାଳାରୁ ଫେରିଯିବେ । ଚିନ୍ତାରେ ପଡ଼ିଯାଇଥିଲେ ବସୁ ପ୍ରହରାଜ । ବ୍ରାହ୍ମଣଙ୍କ ଗୁଆରସ ଭୋଜନ ଅଭିଳାଷ ପୂର୍ଣ୍ଣ କରିବାକୁ ହେଲେ ଯଥେଷ୍ଟ ଗୁଆ ସଂଗ୍ରହ କରିବାକୁ ହେବ । ଗୁଆ ପରି କଠିନ ବସ୍ତୁରୁ ରସ ଆହରଣ ହେବ ବା କିପରି ? ପୁଣି ଏକ ପୂର୍ଣ୍ଣ କଳସ ଗୁଆରସର ଆବଶ୍ୟକତା, ସ୍ୱ କାର୍ଯ୍ୟାଳୟରେ ମଥାବନତ କରି ବସିପଡ଼ିଲେ ବସୁ ପ୍ରହରାଜ । ଏପରି ଧର୍ମସଂକଟ ସମୟରେ ତାରା ତାରିଣୀ ନିର୍ଜନ ପ୍ରକୋଷ୍ଠରେ ପିତା ବସୁଙ୍କ ପାଖରେ ଉପସ୍ଥିତ ହୋଇ ଚିନ୍ତାର କାରଣ ବୋଧ କଲେ । ଯାଚକ ଗୁଆରସ ଭୋଜନ ନ କରି ଫେରିଗଲେ ଯଜ୍ଞ ଫଳ ଶୂନ୍ୟ ହୋଇପଡ଼ିବ କହିଲେ- ବସୁ ପ୍ରହରାଜ । କିନ୍ତୁ ତାରା ତାରିଣୀ ରୋଷେଇ ଘରେ ଏକ ପୂର୍ଣ୍ଣ ଗୁଆରସ କଳସୀ ମହଜୁଦ ଥିବା କଥା ଶୁଣାଇ କରି ରୋଷେଇ ଘରେ ପୂର୍ଣ୍ଣ ଗୁଆରସ କଳସୀକୁ ଆବିଷ୍କାର କଲେ ଓ ତତ୍‌କ୍ଷଣାତ୍‌ ବ୍ରାହ୍ମଣଙ୍କୁ ଭେଜାନ ଲାଗି ପରିବେଷଣ ନିଜେ କରିଥିଲେ । ଚମକ୍ରାର ଦୃଶ୍ୟ ଦେଖିବାକୁ ପାଇଥିଲେ ବସୁ ପ୍ରହରାଜ । ବ୍ରାହ୍ମଣଙ୍କ ସ୍ଥାନରେ ସ୍ୱୟଂ ନାରାୟଣ ଠିଆ ହୋଇ ଆଶୀର୍ବଚନ ଶୁଣାଇ ଯଜ୍ଞ ସାଫଲ୍ୟ ଘୋଷଣା କରିଥିଲେ । ବସୁ ଓ ନାରାୟଣଙ୍କ ଭେଟ ଅତ୍ୟନ୍ତ ରୋମାଞ୍ଚକରଥିଲା ।

ଯଜ୍ଞ ଶେଷରେ ଘର ଝିଅମାନେ ସେମାନଙ୍କ ପତି ଗୃହକୁ ପ୍ରତ୍ୟାବର୍ତ୍ତନ ଲାଗି ପ୍ରସ୍ତୁତ ହେଲେ । ବସୁ କାଚରାଙ୍କୁ ଡକାଇ ପଠାଇଲେ । ସମସ୍ତ ଝିଅ ଓ ବୋହୂଙ୍କୁ କାଚରା କାଚ ପିନ୍ଧାଇଲା । କାଚରା କାଚର ପଇସା ପୈଠ ନେଲା ବେଳେ ହିସାବରେ ଚାରି ମୁଠା ଅଧିକ ଦାବୀ କଲା । ମାତ୍ର କାଠ ପିନ୍ଧିଥିବା ସ୍ତ୍ରୀମାନଙ୍କର ସଂଖ୍ୟା ବାରମ୍ବାର ଗଣନା କଲା ସମୟରେ ଦୁଇଜଣଙ୍କ କାଚ ଅଧିକ ଆସିବା କଥା ଜଣାପଡ଼ିଲା- କାଚରାର ଦାବୀ ଅନୁସାରେ ଆଉ କାହାକୁ ଅଧିକ ପିନ୍ଧାଇଲା ବୋଲି ଅନୁସନ୍ଧାନ ଚାଲିଲା । ବସୁ ଠାକୁର ଘର କବାଟ ଖୋଲିଲେ । ଦୁଇ ଭଉଣୀ ତାରା ତାରିଣୀ ସୁନ୍ଦର ପଞ୍ଚୁବର୍ଣ୍ଣୀ ଚାରିମୁଠା କାଚ ପିନ୍ଧି ବସିଛନ୍ତି ଓ ହସୁଛନ୍ତି । ତାରା ତାରିଣୀ ପିତା ବସୁ ପ୍ରହରାଜଙ୍କୁ ପ୍ରଶ୍ନ କରିଥିଲେ- “ସବୁ ଝିଅ ବୋହୂ ସମସ୍ତ ସ୍ତ୍ରୀ ଲୋକ କାଚ ପିନ୍ଧିଲେ- ଆମ୍ଭେ ଆପଣଙ୍କର ଝିଅ । ଆମ୍ଭେ କାଚ ନ ପିନ୍ଧିବୁ କିପରି । ଆପଣ ଘରର ସବୁ ଝିଅଙ୍କୁ ଯେପରି ସମ୍ମାନ ସସମ୍ଭାରେ ପତି ଗୃହକୁ ବିଦାୟ ଦେବେ ଆମ୍ଭର ବିଦାୟ ବ୍ୟବସ୍ଥା ଆପଣ କରନ୍ତୁ ।” ବସୁ ପ୍ରଶ୍ନ କଲେ- ତୁମ୍ଭେ ଯିବ କେଉଁଠିକି ??

ତାରା ତାରିଣୀ ଉତ୍ତର ଦେଲେ- ଋଷିକୁଲ୍ୟାର ଦକ୍ଷିଣ ତୀରରେ ଅବସ୍ଥିତ ତାରାକକ୍ଷ ପାହାଡ଼ । ମୁଁ ତାରା ବହୁଦିନ ହେଲା ମୋହର ପୀଠ ଛାଡ଼ି ଚାଲିଯାଇଥିଲି । ଦହିହାଣ୍ଡି ଶୃଙ୍ଗରେ ମୋହର ଆସ୍ଥାନ ଶୂନ୍ୟପଡ଼ିଛି – ମୋର ଏ ଭଉଣୀ ତାରିଣୀ ସହ ଚିରଦିନ ପାଇଁ ତାରାକକ୍ଷ ପାହାଡ଼ରେ ରହିବି । ତାରା ତାରିଣୀ ନାମରେ ଆମ୍ଭେ ବିଖ୍ୟାତ ହେବୁ କାଳ କାଳକୁ । ଆପଣ ବସୁ ପ୍ରହରାଜ ଆମ୍ଭର ପିତା ଭାବେ ଜନ ଜଗତରେ ସ୍ମରଣୀୟ ହୋଇ ରହିବେ । ତାରା ତାରିଣୀଙ୍କ ଇଚ୍ଛା ପୂର୍ଣ୍ଣ କଲେ ବସୁ ପ୍ରହରାଜ । କନ୍ୟା ତାରା ତାରିଣୀ ଶିଳା ମୂର୍ତ୍ତିରେ ବସୁଙ୍କ ଦିଅଁ ଘରେ ରୂପାନ୍ତରିତ ହୋଇଯାଇଥିଲେ । ବସୁ, କନ୍ୟାଙ୍କ ବିଦାୟ ଉତ୍ସବ ଆୟୋଜନ କଲେ । ଘଣ୍ଟ, ମୃଦଙ୍ଗ, ମର୍ଦ୍ଦଳ, କାହାଳୀ, ତୂରୀ ବାଜି ଉଠିଲା । ଲଳନାଙ୍କ କଣ୍ଠ ହୁଳହୁଳି ଶୁଭଧ୍ୱନିରେ ନିନାଦିତ ହେଲା ଖରିଡ଼ା ଧରଣୀ । ବିଶାଳ ଶୋଭାଯାତ୍ରା, ତାରା ତାରିଣୀଙ୍କର ଆରମ୍ଭ ହେଲା ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ, ମୁଣ୍ଡମୟ ଦେଖାଗଲା ଚତୁର୍ଦ୍ଦିଗ । ଲୋକ ଅରଣ୍ୟ ହୋଇ ଉଠିଲା ତାରାକକ୍ଷ ପାହାଡ଼ ଆଡ଼କୁ ଲମ୍ବି ଯାଇଥିବା ରାସ୍ତା । ବସୁ ନିଜେ ତାରା ତାରିଣୀଙ୍କୁ ତାରାକକ୍ଷ ପାହାଡ଼ରେ ଦହିହାଣ୍ଡି ଶୃଙ୍ଗରେ ଆସୀନ କରାଇଲେ- ମନ୍ତ୍ର ଧ୍ୱନିର ପବିତ୍ର ଉଚ୍ଚାରଣରେ, ତାରାତାରିଣୀ ମା’ ରୂପେ ସବୁଦିନ ପାଇଁ ବିଜେ ହୋଇ ତାରାକକ୍ଷ ପାହାଡ଼ରେ ରହିଲେ । ବସୁ କନ୍ୟାଙ୍କୁ ଯଥା ପୂଜା ଆରାଧନା ମଧ୍ୟରେ ସ୍ଥାପନ କରି ଖରିଡ଼ା ସ୍ୱଗୃହକୁ ଫେରିଲେ । ସେହିଦିନ ଠାରୁ ବସୁଙ୍କର ଘର ସ୍ତ୍ରୀ ମାନେ ପଞ୍ଚୁବର୍ଣ୍ଣୀ କାଚ ନ ପିନ୍ଧି ଶୁକ୍ଳ ଟୋପା ଥିବା କଳା କାଚ ପିନ୍ଧିବାର ପରମ୍ପରା ଗ୍ରହଣ କଲେ ।

ବସୁ ପ୍ରହରାଜ ଅଭୂତପୂର୍ବ ଯଜ୍ଞ ଅନୁଷ୍ଠାନ ସଂଗଠନରେ ସାଫଲ୍ୟ ଅର୍ଜନ ସକାଶେ ଦେବୀଙ୍କ ପାଖରେ ଯେଉଁ ପ୍ରଚ୍ଛନ୍ନ ଆଶାପୋଷଣ କରିଥିଲେ, ଫଳତଃ ନବ ବିଦ୍ୟୁ ଆଭା ଲକ୍ଷ୍ମୀ ସଦୃଶା ବେନି ଭଗିନୀଙ୍କର ଦର୍ଶନ ନେଇ ସ୍ତମ୍ଭୀଭୂତ ହୋଇଯାଇଥିଲେ । ସେମାନେ ହିଁ ଲକ୍ଷ୍ମୀ ରୂପରେ ଅଜାଡ଼ି ଦେଇଥିଲେ ଅଯାଚିତ ଐଶ୍ୱର୍ଯ୍ୟ ଡାଲି ଫୁଟଣ ଲାଗି ଆବଶ୍ୟକ ଥିବା ବାଇଶି ଭରଣ ଜୀରା ସହ ସମସ୍ତ ଉପାଦାନ ଓ ଉପକରଣ ଯଜ୍ଞ ଭଣ୍ଡାର ଶାଳାରେ ଭର୍ତ୍ତି କରୁଥିଲେ ତାରା ତାରିଣୀ । ପୁରାଣ କଥା ଅନୁସାରେ ସତୀ ଦକ୍ଷ ଯଜ୍ଞରେ ଆତ୍ମହୂତି ଦେଇଥିବା ବେଳେ ଶିବଙ୍କ କରରେ ବିଖଣ୍ଡିତ ହୋଇ ସ୍ତନ ଋଷିକୁଲ୍ୟା କୂଳ ତାରାକକ୍ଷ ପାହାଡ଼ର ଦହିହାଣ୍ଡି ଶିଖରେ ପଡ଼ିଥିଲା । ସ୍ତନପୀଠ ଭାବରେ ଏହି ପୀଠ ପରିଚିତ । ସ୍ତନ ଦ୍ୱୟ ତାରାତାରିଣୀ ଭାବରେ ପ୍ରକଟିତ । ଲୋକ ମୁଖରେ ତାରାତାରିଣୀଙ୍କ ସମ୍ବନ୍ଧରେ ଶୁଣାଯାଉଛି ଯେ ଥରେ ବଶିଷ୍ଠ ମୁନି ସ୍ତନ ପୀଠରେ ତାରାତାରିଣୀଙ୍କୁ ଆରାଧନା କରି ଅଭୀଷ୍ଟ ପୂରଣ କରିବାରେ ଅକ୍ଷମ ହୋଇଥିଲେ ଓ ସ୍ତନ ପୀଠ ଗୌରବ ନେଇ ଅହଂକାରିଣୀ ବୋଲି ଭର୍ତ୍ସନା କରି ଅଭିଶାପ ଦେଇଥିଲେ ଅପୂଜା ରହିବା ପାଇଁ । ତାରାତାରିଣୀଙ୍କ ଆବିର୍ଭାବ ଓ ବିନୟ ବଚନରେ ଶାପ ମୋଚନର ସୂଚନା ଦେଇଥିଲେ । “ବ୍ରାହ୍ମଣ କୂଳରେ ବସୁ ପ୍ରହରାଜ ଜନ୍ମ ନେବେ ଓ ତାରାତାରିଣୀ ତାଙ୍କର କନ୍ୟା ଭାବରେ ପାଳିତ ହେବେ । ବସୁ ପ୍ରହରାଜ ହିଁ ତାରା ତାରିଣୀଙ୍କୁ ପ୍ରତିଷ୍ଠିତ କରାଇ ଅପୂଜ୍ୟା ଦୋଷରୁ ମୁକ୍ତ କରି ଜଗତ ପୂଜ୍ୟ କରାଇବେ- ଦହି ହାଣ୍ଡି ପାହାଡ଼ ଶୃଙ୍ଗରେ ।”

ନରସିଂହ ମାଠଙ୍କ ରଘୁନାଥ କୀର୍ତ୍ତନରେ ଲେଖାଅଛି – ମହୀରାବଣ ରାମ ଲକ୍ଷ୍ମଣଙ୍କୁ ପାତାଳକୁ ଅପହରଣ କରି ନେଲା । ସୀତା ଏହି ବାର୍ତ୍ତା ଅସୁରୀମାନଙ୍କ ଠାରୁ ପାଇ ଅତି ଶୋକରେ ଅଶୋକବନରେ ରୋଦନ କଲେ । ସୀତାଙ୍କ ବେନି ଅଶ୍ରୁ ବିନ୍ଦୁରୁ ବେନି ଚଣ୍ଡୀ ଭୀଷଣ ରୂପ ବହନ କରି ଆବିର୍ଭୂତ ହେଲେ । ରାମ ଲକ୍ଷ୍ମଣଙ୍କୁ ଉଦ୍ଧାର କଲେ । ବିଂଶବାହୁ ସବଂଶ ବିନଷ୍ଟ ହେଲେ । ଲଙ୍କା ବିଜୟ ରାଘବ କଲେ । ସୀତା ଲଙ୍କା ବିଜୟ ପରେ ବେନି ଚଣ୍ଡୀ ଦେବୀଙ୍କୁ ଋଷିକୁଲ୍ୟା ନଦୀ ତୀରସ୍ଥ ତାରାକକ୍ଷ ପାହାଡ଼ର ଦଧିହାଣ୍ଡି ଶୃଙ୍ଗରେ ସଂସ୍ଥାପିତ କରାଇଥିଲେ । ସେହି ଦେବୀଦ୍ୱୟ ସଂକଟ ତାରିଣୀ ତାରା ତାରିଣୀ ନାମରେ ଖ୍ୟାତି ବହନ କରି ଗଞ୍ଜାମରେ ରାମାୟଣ ସମୟରୁ ପୂଜା ପାଇ ଆସୁଛନ୍ତି । କବି ନରସିଂହ ମାଠଙ୍କ ଭାଷାରେ-
“ହୋଇଲା ମୋର ଦୁଃଖ ଲୋତକୁ ଜନ୍ମ ତୁମ
ଦେଲଇ ତୋଷେ ହେ ତାରା ତାରିଣୀ ନାମ,
ରଖିଲ ସ୍ୱାମୀଙ୍କୁ ମୋ ସଙ୍କଟ ତାରି ଦେଲେ,
ସଙ୍କଟ ତାରିଣୀ ତୁମ୍ଭେ ବୋଲାଅ କାଳେ କାଳେ ।”

ସେହି ତାରା ତାରିଣୀ ହିଁ ଆଜି ତାରାକକ୍ଷ ପାହାଡ଼ ଶିଖର ସ୍ଥଳରେ ଭକ୍ତାଭୀଷ୍ଟ ପୂର୍ଣ୍ଣ କରି ଚାଲିଛନ୍ତି- ଚାରିଶହ ବର୍ଷର ଇତିହାସ ନେଇ । କି ଶିକ୍ଷିତ, କି ଅଶିକ୍ଷିତ ସମସ୍ତେ କଥିତ ଅଞ୍ଚଳରେ ମାଆଙ୍କ କରୁଣା ଆଶ୍ରୟ ଓ ଅଭୀଷ୍ଟ ପୂରଣ ଆଶାୟୀ । ଆଜି ତାରାତାରିଣୀ ପୀଠର ଅନେକ ଉନ୍ନତି ସାଧିତ ହୋଇଚାଲିଛି- ଉନ୍ନୟନ ପରିଷଦଙ୍କ ଉନ୍ନତ ପରିଚାଳନାରୋ- ଦୂରଦୃଷ୍ଟି ସଂପନ୍ନ ମହାନ୍‌ ସଂଗଠନରେ, ପ୍ରଶାସନର ସହଯୋଗ ହାତ ମଧ୍ୟ ଲମ୍ବିଛି ମା’ଙ୍କ ପୀଠର ଉନ୍ନତିକରଣରେ । ଗଣମାଧ୍ୟମ ବନ୍ଧୁଗଣ ମାଆଙ୍କ ମହିମା ଓ ପୀଠର ଆକର୍ଷଣ ବିଶେଷତ୍ୱ ବର୍ଣ୍ଣନା କରିଚାଲିଛନ୍ତି ସ୍ୱ ସ୍ୱ କ୍ଷମତା ପରିସରରେ । ଏକଦା ପୁରୁଷୋତ୍ତମପୁର ଥାନା ଅଧିକାରୀ ଅଭିମନ୍ୟୁ ପ୍ରଧାନ ପାଦରୁ ଶିଖଯାଏଁ ପକ୍କା ପିଚୁ ରାସ୍ତା, କଳ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍‌ ବ୍ୟବସ୍ଥା କରି ସ୍ମରଣୀୟ ଅଛନ୍ତି । ଭକ୍ତ ଶିରୋମଣି ଚିଟିି ରାମେୟା ନ ଶହ ଅନେଶ୍ୱତ ପାବଚ୍ଛ ତାରାତାରିଣୀଙ୍କ ଇଚ୍ଛା ଓ ଆଶୀର୍ବାଦରେ ନିର୍ମାଣ କରିଥିବା କଥା ଜନଶ୍ରୁତିରେ ରହିଛି । ତାରାତାରିଣୀ ପୀଠ କେବଳ ଏକ ଆଧ୍ୟାତ୍ମିକ ଆକର୍ଷଣ ବିଭବର ପୀଠ ନୁହେଁ- ଏହାର ପ୍ରାକୃତିକ ଦୃଶ୍ୟ ବହୁଳ ସଂସ୍ଥିତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସର୍ବ ଯୋଗ୍ୟତା ସଂପନ୍ନ ପ୍ରକୃଷ୍ଟ କ୍ଷେତ୍ର । ଆର୍ଥିକ ସ୍ଥିତି ସୁଧାରିବାରେ ପର୍ଯ୍ୟଟନ ଶିଳ୍ପକୁ ପ୍ରାଧାନ୍ୟ ଓ ମାନ୍ୟତା ଦିଆଯାଉଥିବା ସ୍ଥଳେ ଏହାକୁ ପର୍ଯ୍ୟଟନ କ୍ଷେତ୍ର ଘୋଷଣାରେ ସ୍ଥାନୀୟ ଜନସାଧାରଣଙ୍କ ଅର୍ଥ ସ୍ୱଚ୍ଛଳତା ରକ୍ଷାରେ ତାରାତାରିଣୀ ପୀଠ ଯେ ସହାୟକ ହେବ ଏହା କହିବା ବାହୁଲ୍ୟ ମାତ୍ର । ବର୍ତ୍ତମାନ ତାରାତାରିଣୀଙ୍କ ନବନିର୍ବିତ ସୁଦୃଶ୍ୟ ଭବ୍ୟ ମନ୍ଦିର ଭକ୍ତମାନଙ୍କୁ ଦୂରଦୂରାନ୍ତରୁ ଆକର୍ଷିତ କରୁଛି । ଏହି ପୀଠର ଅଦ୍ଭୁତ ଉନ୍ନତି ଦର୍ଶନରେ ପ୍ରାଣ ଉଲ୍ଲସିତ ହୋଇ ଉଠୁଛି- ଦ୍ରୁମ ବହୁଳ ବଙ୍କିଳ ଉନ୍ନତ ପଥରେ ବାରବାର ଯିବାକୁ ଜନମନ ବ୍ୟାକୁଳ ହେଉଛି ।

ଲୁଣିଘାଟୀ, ଗୋପୀନାଥପୁର ଶାସନ
ପୋଲସରା, ଗଂଜାମ
୮୭୬୩୪୭୪୩୮୮

Leave A Reply

Your email address will not be published.

three × one =

error: Content is protected !!