jayashree

ବର୍ଷା, ପବନର ତାଣ୍ଡବ : ସହର ସହ ଗ୍ରାମାଞ୍ଚଳର କ୍ଷୟକ୍ଷତି

କେସିଙ୍ଗା/ବୋରିଆ, (ପ୍ରୀତେଶ ପଟେଲ) : ପାଣିପାଗ ବିଭାଗ ତରଫରୁ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଯୋନ୍ ଘୋଷିତ ହୋଇଥିଲା । ଲଘୁଚାପ ପ୍ରଭାବରେ ସାରା ଅଞ୍ଚଳରେ ଲାଗି ରହିଥିବା ଲଗାଣ ବର୍ଷା ସାଙ୍ଗକୁ ପବନ ଯୋଗୁଁ କେସିଙ୍ଗା ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପବନର ବେଗ ଅଧିକ ରହିବାରୁ ଅଞ୍ଚଳର ଅନେକ ସ୍ଥାନରେ ଗଛ ଭାଙ୍ଗି ଘର, ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିବା ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବାବେଳେ ଘର ଭାଙ୍ଗିଯାଇଛି । ବାଦିପଡ଼ା ଓ ନୂନମାଠ ଗ୍ରାମରେ ଘର ଉପରେ ଗଛ ପଡ଼ିବାରୁ ଘର ଭାଙ୍ଗିଯାଇଛି । ଅଗ୍ନିଶମ ବିଭାଗ ଦୁଇଟି ଘର ଉପରେ ପଡ଼ିଥିବା ଗଛ କାଟି ସଫା କରିଛନ୍ତି । ସହର ଭିତରେ କଳିଙ୍ଗ ରାଇସ ମିଲ୍‌ ନିକଟରେ ଏକ ଗଛ ଭାଙ୍ଗି ବିଦ୍ୟୁତ ଲାଇନ ଉପରେ ପଡ଼ିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା । ତେବେ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ଉକ୍ତ ଗଛକୁ କାଟି ରାସ୍ତା ତଥା ତାର ଉପରୁ ସଫା କରାଯିବା ପରେ ସହରର ସେହି ଅଂଶରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରାଯାଇଛି । ଅପରପକ୍ଷରେ, ବ୍ଲକର ଗ୍ରାମାଞ୍ଚଳରେ ସ୍ଥିତି ଏବେ ବି ସଙ୍ଗୀନ ରହିଛି । ପରଲସିଙ୍ଗା ଗ୍ରାମ ନିକଟସ୍ଥ ଜମି ହୁଡ଼ାରେ ଥିବା ଏକ ବିରାଟ ଗଛ ୧୧ ହଜାର କେଭି ହାଇଟେନସନ ତାର ଓ ଖୁଣ୍ଟ ଉପରେ ଉପୁଡ଼ି ପଡ଼ି ରହିଛି । ଫଳରେ ପରଲସିଙ୍ଗା, ମାଲପଡ଼ା, କୁରୁକାଭାଡ଼ି, ବାହାଦୁରପିଟା, ନୂଆପଡ଼ା ଓ ସୌରାପଦର ଭଳି ପ୍ରାୟ ଅଧଡଜନ ଗ୍ରାମରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସହରରେ ଲାଇନ ଚାଲୁ ହୋଇ ସାରିଥିବାବେଳେ ପରଲସିଙ୍ଗା ଓ ଆଖପାଖ ଅଞ୍ଚଳରେ ଏବେ ବି ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରିନାହିଁ । ଲଗାତାର ବର୍ଷା ଜାରି ରହିଥିବାରୁ କାମ କରିବାରେ ବାଧା ଉପୁଜୁଥିବା ବେଳେ ରାତି ସୁଦ୍ଧା ମରାମତି ଶେଷ କରି ଲାଇନ୍ ଚାର୍ଜ କରିବା ପାଇଁ ଉଦ୍ୟମ ଜାରି ରହିଥିବା ବିଭାଗୀୟ ଏସଡିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.