csstore

କନ୍ୟାରତ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କନ୍ୟାରତ୍ନ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ବ୍ଲକ କନ୍‌ଫରେସନ୍‌ ହଲରେ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ତାଲିମ ଶିବିର ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନଙ୍କ ପରାମର୍ଶକ୍ରମେ ସିଡିପିଓ ସଲୀଳା ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଶିଶୁ ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏବିଇଓ ସଂଯୁକ୍ତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ଼ିପିସି ଦେବବ୍ରତ ମହନ୍ତ, ପ୍ରୋଗ୍ରାମ ସଂଯୋଜକ କାମେଶ୍ଵର ପରିଡା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ପିଆରଆଇ ମେମ୍ବରମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧରେ ତାଲିମ ଦେବାକୁ ଯାଇ ଗ୍ରାମାଞ୍ଚଳରେ ଲୁଚାଛପାରେ କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ ରୋକିବା ନେଇ ସଚେତନମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଝିଅ ଜନ୍ମ ବୋଝ ଭାବନା ପରିହାର କରି ଉକ୍ତ ଅନ୍ଧ ବିଶ୍ୱାସକୁ ମନରୁ ଦୂରେଇ ଦେଇ ପୁଅ ଓ ଝିଅଙ୍କ ପ୍ରତି ସମାନ ଭାବନା ନେଇ ଜନ ସଚେତନତା ସୃଷ୍ଟି କରିବାକୁ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ମେମ୍ବରମାନଙ୍କୁ ସିଡିପିଓ ଶ୍ରୀମତୀ ପ୍ରଧାନ ଦାୟିତ୍ୱ ସମ୍ପନ୍ନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ପ୍ରାୟ ୭୦ ଜଣ ପିଆରଆଇ ମେମ୍ବର ଉପସ୍ଥିତ ରହି ଶିଶୁ କନ୍ୟା ସୁରକ୍ଷା ନେଇ ଶପଥ ଗ୍ରହଣ କରିଥିବା ବେଳେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସଚେତନମୂଳକ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା ।

jayashree
Leave A Reply

Your email address will not be published.