
ବଲାଙ୍ଗିର, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁଲିଆଦରୋ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ମୋବାଇଲ୍ ରିଚାର୍ଜ ପାଇଁ ଟଙ୍କା ମାଗିବା ପରେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ହେଉଛନ୍ତି କୁଲିଆଦରୋ ଗାଁ ବସ୍ତିପଡ଼ାର ଦେବେନ୍ଦ୍ର ବନଛୋର । ସୂଚନା ଅନୁସାରେ, ଦେବେନ୍ଦ୍ର ମୋବାଇଲ୍ ରିଚାର୍ଜ ପାଇଁ ଘରେ ପ୍ରାୟ ୩୦୦ରୁ ୩୫୦ ଟଙ୍କା ମାଗିଥିଲେ । ତେବେ ଘର ପକ୍ଷରୁ ଟଙ୍କା ଦେବାକୁ ମନା କରାଯାଇଥିବା ପରେ ସେ ଘରୁ ବାହାରି ଯାଇଥିବା ଜଣାପଡ଼ିଛି । ପରେ ଗାଁ ନିକଟସ୍ଥ ଏକ ଗଛରେ ରଶି ଲଗାଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ଦେବେନ୍ଦ୍ରଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ କଣ୍ଟାବାଞ୍ଜି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।