
ପଦ୍ମପୁର, (ନିରୋଜ କୁମାର ପାଣୀ) : ମା’ ମାଟି ଭାଷା ସଂସ୍କୃତି ପ୍ରତି ଆକର୍ଷଣ ସୁସ୍ଥ ସମାଜ ଗଠନର ପରିଚାୟକ ଅଟେ । ପ୍ରତିଭାର ବିକାଶ କରାଇବା ସମାଜିକ ଦାୟିତ୍ୱ ବୋଧ ଅଟେ । ଏ ଦିଗରେ ଟଙ୍କିକିଆ ସଙ୍ଗୀତ ବିଦ୍ୟାଳୟର ଅବଦାନ ଓ ପ୍ରତିବଦ୍ଧତା ନିଆରା ଉଦ୍ୟମ ଅଟେ ବୋଲି ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ପଦ୍ମପୁରର ୩ୟ ବାର୍ଷିକ ଉତ୍ସବ ସମାରୋହରେ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ସଂସ୍ଥାପକ ତଥା ସଙ୍ଗୀତ ଗୁରୁ ସୁରେନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମାରୋହରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଛାତ୍ରଛାତ୍ରୀ, ଅଭିଭାବକ, କଳାକାର, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦାନ କରିଥିଲେ । ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର, ସାହିତ୍ୟିକ ଅଶୋକ ପୂଜାହାରୀ, ସମାଜସେବୀ ନିରୋଜ ଦୋରା, ପଦ୍ମପୁର ଲୋକ ମହୋତ୍ସବ ସଂଯୋଜକ ଅଶୋକ ମିଶ୍ର, ସଞ୍ଚାର କଳାକାର ଅଚ୍ୟୁତ ବେହେରା, ବିଦ୍ୟାଳୟ ପରିଚାଳକ ମଞ୍ଜୁଳା ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ଉଦ୍ଘାଟନ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଯୁବନେତା ପ୍ରୀତେଶ କୁମାର ବହିଦାର, ପ୍ରଫେସର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର ପ୍ରମୁଖ ଯୋଗଦାନ କରି କଳାକାରଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ପ୍ରକୃତି ଓ ସଂସ୍କୃତି ସୁରକ୍ଷାକୁ ଗୁରୁତ୍ୱ ଆରୋପ ଆଳରେ ଗନ୍ଧମାର୍ଦନ ଆନ୍ଦୋଳନ ସଂକ୍ରାନ୍ତରେ ପର୍ଯ୍ୟବେସିତ ଲୋକଗୀତ ଗାଇ ସାଂସଦ ଶ୍ରୀମାନ ପୁରୋହିତ ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲେ । କଳା ଓ ସଂସ୍କୃତି ମଣିଷ ଜୀବନକୁ କିଭଳି ଭାବରେ ପ୍ରଭାବିତ କରିଥାଏ ଉଦାହରଣ ମାଧ୍ୟମରେ ହଳଧର ନାଗ ଆଲୋକପାତ କରିଥିଲେ । ଦିନବ୍ୟାପୀ ଟଙ୍କିକିଆ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରତିଭା ପ୍ରଦର୍ଶନ ସ୍ଵରୂପ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମାଜସେବୀ ଚନ୍ଦନ ବଂଶଲ, ଲୋକକଳାକାର(ବିର୍ତିଆ) ଅଲେଖ ପାଣିଗ୍ରାହୀ, ସମାଜିକ କର୍ମୀ ସୁନୀଲ ବେହେରା ଏବଂ ଫେଲୋସିଫ୍ ଓ ଛାତ୍ର ବୃତ୍ତି ପାଇଥିବା ବିଭିନ୍ନ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ କଳାକାର ରମେଶ ଗୁର୍ଲ୍ଲା ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଗୁରୁ ସୁରେନ୍ଦ୍ର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଶିଷ କନ୍ଧେର, ଅଶ୍ୱିନୀ ପଟେଲ, ପିଙ୍କୁ ମହାନନ୍ଦଙ୍କ ସମେତ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କଳାକାରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସାମିଲ ହୋଇଥିଲେ ।