ଓଡ଼ିଶାର ଯାଜପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :
ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ବିଶ୍ୱେଶ୍ୱର ଟୁଡୁ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !
ଜୟ ଜଗନ୍ନାଥ
ମହାପ୍ରଭୁ ଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଯାଜପୁର ଓ ଓଡ଼ିଶାରେ ବିକାଶର ଏକ ନୂଆ ଧାରା ପ୍ରବାହିତ ହେବା ଆରମ୍ଭ ହୋଇଛି । ବିଜୁ ବାବୁଙ୍କ ଜୟନ୍ତୀ । ଓଡ଼ିଶାର ବିକାଶ ପାଇଁ ଓ ଦେଶର ବିକାଶ ନିମନ୍ତେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କୁ ପ୍ରଣାମ କରୁଛି ।
ବନ୍ଧୁଗଣ,
୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ ହୋଇଛି । ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଆଣବିକ ଶକ୍ତି ସମ୍ବନ୍ଧୀୟ ଯୋଜନା ହେଉ କିମ୍ବା ସଡ଼କ, ରେଳ ବାଇ ଓ ପରିବହନ ସମ୍ବନ୍ଧୀୟ ଯୋଜନା, ଏହି ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ଏଠାରେ ଶିଳ୍ପ ସମ୍ବନ୍ଧିତ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସବୁ ପ୍ରକଳ୍ପ ପାଇଁ ମୁଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ
ଦେଶରେ ଏମିତି ଏକ ସରକାର ଅଛି, ଯିଏ ବର୍ତ୍ତମାନକୁ ନେଇ ଚିନ୍ତିତ ଏବଂ ବିକଶିତ ଭାରତର ସଂକଳ୍ପ ନେଇ ଭବିଷ୍ୟତ ପାଇଁ ମଧ୍ୟ କାମ କରୁଛି । ଶକ୍ତି କ୍ଷେତ୍ରରେ ଆମେ ରାଜ୍ୟ ଗୁଡ଼ିକର ସାମର୍ଥ୍ୟ ବଢ଼ାଉଛୁ, ବିଶେଷ କରି ପୂର୍ବ ଭାରତର ଶକ୍ତି ବୃଦ୍ଧି କରୁଛୁ । ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ୫ଟି ବଡ଼ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ପାଇଁ ବଡ଼ ପ୍ରକଳ୍ପ ଚାଲିଛି । ପାରାଦୀପ – ସୋମନାଥପୁର – ହଳଦିଆ ପାଇପଲାଇନକୁ ମଧ୍ୟ ଦେଶ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।
ପାରାଦୀପ ବିଶୋଧନାଗାରରେ ପ୍ରାକୃତିକ ଗ୍ୟାସ ପ୍ରକ୍ରିୟାକରଣର ଏକ ୟୁନିଟ୍ ଉଧ୍‌ଘାଟିତ ହୋଇଛି । ପାରାଦୀପ ବିଶୋଧନାଗାରରେ ମୋନୋ – ଏଥିଲିନ୍ ଗ୍ଲାଇକୋଲର ଏକ ନୂତନ ପ୍ଲାଣ୍ଟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହା ପୂର୍ବ ଭାରତର ବହୁମୁଖୀ ଶିଳ୍ପରେ ବିପ୍ଳବ ଆଣିବ । ଏହି ପ୍ରକଳ୍ପ ଦ୍ୱାରା ଭଦ୍ରକ ଓ ପାରାଦୀପରେ ନିର୍ମାଣ ହେବାକୁ ଥିବା ବୟନ ପାର୍କଗୁଡ଼ିକୁ ମଧ୍ୟ କଞ୍ଚା ମାଲ ସହଜରେ ଉପଲବ୍ଧ ହେବ ।
ବନ୍ଧୁଗଣ
ଆଜିର ଏହି ଆୟୋଜନ ବିଗତ ବର୍ଷ ଗୁଡ଼ିକରେ ଆମ ଦେଶରେ କାର୍ଯ୍ୟ- ସଂସ୍କୃତି କେତେ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି ତାହାର ମଧ୍ୟ ଏକ ସ୍ୱୀକୃତି । ପୂର୍ବରୁ ଯେଉଁ ସରକାର ଥିଲେ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରିବାକୁ ଆଗ୍ରହ ପ୍ରକାଶ କରୁନଥିଲେ । କିନ୍ତୁ ଆମ ସରକାର ଯେଉଁ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରୁଛନ୍ତି, ସେହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୪ ପରେ ଦେଶରେ ଏମିତି ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି, ଯାହା ଅଟକି ରହିଥିଲା, ଝୁଲି ରହିଥିଲା । ପାରାଦୀପ ବିଶୋଧନାଗାର ଉପରେ ମଧ୍ୟ ୨୦୦୨ ମସିହାରେ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୩ – ୧୪ ପର୍ଯ୍ୟନ୍ତ କିଛି କରାଯାଇନଥିଲା । ଆମ ସରକାର ହିଁ ପାରାଦୀପ ବିଶୋଧନାଗାରର କାର୍ଯ୍ୟ ଶେଷ କରିଛନ୍ତି । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ପାରାଦୀପ – ହାଇଦ୍ରାବାଦ ପାଇପଲାଇନ୍ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ତିନି ଦିନ ତଳେ ପଶ୍ଚିମବଙ୍ଗର ଆରାମବାଗରେ ହଳଦିଆରୁ ବରାଉଣି ପର୍ଯ୍ୟନ୍ତ ୫୦୦ କିଲୋମିଟରରୁ ଅଧିକ ଅଶୋଧିତ ତୈଳ ପାଇପଲାଇନ ମଧ୍ୟ ଆରମ୍ଭ ହୋଇଛି ।
ବନ୍ଧୁଗଣ
ପୂର୍ବ ଭାରତରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ଆମ ସରକାର ଏହି ସମ୍ବଳକୁ, ଓଡ଼ିଶା ଭଳି ରାଜ୍ୟର ବିରଳ ଖଣିଜ ସମ୍ପଦକୁ ଏହାର ବିକାଶ ପାଇଁ ବ୍ୟବହାର କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଡିସାଲିନେସନ୍ (ଅଣଲବଣୀକରଣ) ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି । ଏହା ଦ୍ୱାରା ଓଡ଼ିଶାର ହଜାର ହଜାର ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ଜରିଆରେ ଦୈନିକ ୫୦ ଲକ୍ଷ ଲିଟର ଲୁଣିପାଣିକୁ ପିଇବା ପାଇଁ ଉପଯୁକ୍ତ କରାଯିବ ।
ବନ୍ଧୁଗଣ,
ଓଡ଼ିଶାର ସମ୍ବଳ ଓ ରାଜ୍ୟର ଶିଳ୍ପ ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏଠାରେ ଆଧୁନିକ ଯୋଗାଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଏ ଦିଗରେ ଅଭୂତପୂର୍ବ କାର୍ଯ୍ୟ ହୋଇଛି । ବିଗତ ୧୦ ବର୍ଷ ମଧ୍ୟରେ ଆମେ ଓଡ଼ିଶାରେ ପ୍ରାୟ ୩ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିଛୁ ଏବଂ ରେଳବାଇର ବଜେଟ୍ ପ୍ରାୟ ୧୨ ଗୁଣା ବୃଦ୍ଧି କରିଛୁ । ରେଳ, ରାଜପଥ ଓ ବନ୍ଦର ସଂଯୋଗରେ ଉନ୍ନତି ଆଣିବା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କେନ୍ଦୁଝର ଜିଲ୍ଲାରେ ଜାତୀୟ ରାଜପଥ ସଂପ୍ରସାରଣ କରାଯାଉଛି । ଏବେ ଅନୁଗୁଳ – ସୁକିନ୍ଦା ନୂଆ ରେଳ ଲାଇନର ସୁବିଧା ମଧ୍ୟ ଏଠାକାର ଲୋକଙ୍କ ପାଇଁ ଉପଲବ୍ଧ ହୋଇଛି । ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳର ସମ୍ପ୍ରସାରଣ ପାଇଁ ବାଟ ଖୋଲିଛି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦ୍ରୁତ ଗତିରେ କାର୍ଯ୍ୟ ଜାରି ରଖିବେ । ବିଜୁବାବୁଙ୍କ ଜୟନ୍ତୀରେ ମୁଁ ପୁଣି ଥରେ ଶ୍ରଦ୍ଧାର ସହ ତାଙ୍କୁ ସ୍ମରଣ କରି ବିକାଶମୂଳକ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
ଜୟ ଜଗନ୍ନାଥ ।

Leave A Reply

Your email address will not be published.

four + 5 =